କାଲିଫର୍ଣ୍ଣିଆରେ ଘରୁ ନ ବାହାରିକୁ ନିର୍ଦେଶ ଦେଲେ ଗଭର୍ଣ୍ଣର୍
ଲସ୍ ଏଞ୍ଜେଲ୍ସ: ଆମେରିକାର ଅନ୍ୟତମ ପ୍ରମୁଖ ରାଷ୍ଟ୍ର କାଲିଫର୍ଣ୍ଣିଆରେ କୋରୋନା ଭୂତାଣୁର ବ୍ୟାପକତାକୁ ପ୍ରତିହତ କରିବା ସକାଶେ ସ୍ଥାନୀୟ ସରକାର ରାଜ୍ୟର ସମସ୍ତ ଲୋକଙ୍କୁ ଘରେ ରହିବାକୁ ନିର୍ଦେଶ ଦେଇଛନ୍ତି। ଗଭର୍ଣ୍ଣର୍ ଗାଭିନ୍ ନ୍ୟୁସୋମ୍ ଏହି ନିର୍ଦେଶ ଦେଇଥିବା ବେଳେ ଗୁରୁବାର ସନ୍ଧ୍ୟାରୁ ଏହା ଲାଗୁ ହୋଇଛି। ଏଥିସହ ଏହା ପ୍ରଥମ ରାଜ୍ୟ ଭାବେ ସମସ୍ତ ନାଗରିକଙ୍କୁ ଘରେ ରହିବାକୁ କହିଛି। ଫଳସ୍ବରୂପ କାଲିଫର୍ଣ୍ଣିଆର ରାସ୍ତାଘାଟ ଶୂନ୍ଶାନ୍ ହୋଇପଡ଼ିଛି ଓ ସବୁକିଛି ବନ୍ଦ ହୋଇଯାଇଛି। କୋରୋନାରୁ ରକ୍ଷା ପାଇବା ସକାଶେ ବିଭିନ୍ନ ଦେଶର ସରକାର ଭିନ୍ନ ଭିନ୍ନ ପଦକ୍ଷେପ ନେଉଥିଲେ ହେଁ ଅଦ୍ୟାବଧି କୌଣସିଠାରେ ଶତପ୍ରତିଶତ ଲୋକଙ୍କୁ ଘରେ ରହିବାକୁ କୁହାଯାଇ ନ ଥିଲା। ତେଣୁ ଏ କ୍ଷେତ୍ରରେ କାଲିଫର୍ଣ୍ଣିଆ ପ୍ରଥମ ରାଜ୍ୟ ହୋଇଛି। ତେବେ ଜରୁରୀକାଳୀନ ସେବା ଓ ଖାଦ୍ୟ ସାମଗ୍ରୀ ଉପଲବ୍ଧ ହେଉଥିବା ଦୋକାନବଜାରକୁ ଏହି କଟକଣାଠାରୁ ଦୂରରେ ରଖାଯାଇଛି।
ତେବେ ଏପରି ଏକ ଅଜବ ନିର୍ଦେଶ ଦେଇଥିବା ନ୍ୟୁସୋମ୍ ନିଜ ନିଷ୍ପତ୍ତିକୁ ଠିକ୍ ସାବ୍ୟସ୍ତ କରିବା ସକାଶେ କହିଛନ୍ତି ଯେ ସାମ୍ପ୍ରତିକ ସମୟର ଏହା ଏକ ଆହ୍ବାନ ଓ ସମସ୍ତେ ଘରେ ରହିଲେ, ଏହି ଭୂତାଣୁ ଆଦୌ ବ୍ୟାପିବ ନାହିଁ। ତେବେ ଏହି କଟକଣାର କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯାଇନାହିଁ। ତେବେ ଆଗାମୀ ଦିନରେ ପରିସ୍ଥିତିରେ ସୁଧାର ଆସିଲେ ଏହି କଟକଣାକୁ ଉଠାଇ ନିଆଯିବ ବୋଲି ନ୍ୟୁସୋମ୍ କହିଛନ୍ତି। କାଲିଫର୍ଣ୍ଣିଆରେ ୩୯ ନିୟୁତ ଲୋକ ବସବାସ କରୁଥିବା ବେଳେ ଆମେରିକାର ଏହା ସବୁଠାରୁ ଅଧିକ କୋରୋନା ପ୍ରଭାବିତ ରାଜ୍ୟ ହୋଇଛି। ଏଠାରେ ଅଦ୍ୟାବଧି ୧୮ ଜଣ ଲୋକ ଏହି ଘାତକ ଭୂତାଣୁ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଏଠାରେ ପ୍ରତି ୪ ଘଣ୍ଟାରେ ଜଣେ ଲୋକ ମୃତ୍ୟୁବରଣ କରୁଥିବାରୁ ଏହାକୁ ରୋକିବା ସକାଶେ ଆର୍ଥିକ ସହଯୋଗ ଯୋଗାଇ ଦେବା ସକାଶେ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଅନୁରୋଧ କରିଛନ୍ତି।