କୋରୋନା ବିଭୀଷିକାରେ ଚୀନ୍କୁ ଟପିଲା ଇଟାଲୀ
ରୋମ୍: ଗୋଟିଏ ପଟେ କୋରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଚୀନ୍ରେ ୩ ମାସ ଭିତରେ ପ୍ରଥମ ଥର ପାଇଁ ୨୪ ଘଣ୍ଟା ମଧ୍ୟରେ ଜଣେ ବି ଆକ୍ରାନ୍ତ ଠାବ ହୋଇନାହାନ୍ତି। ଅନ୍ୟପକ୍ଷରେ ଇଟାଲୀରେ ଏହି ସଂଖ୍ୟା ଅତି ଉଦ୍ବେଗଜନକ ଭାବେ ବଢ଼ିଚାଲିଛି। ଫଳସ୍ବରୂପ କୋରୋନାର ଭୟାବହତା ଦୃଷ୍ଟିରୁ ବିଚାର କଲେ, ବର୍ତ୍ତମାନ ଇଟାଲୀ ଚୀନ୍କୁ ଟପିଯାଇଛି ବୋଲି କୁହାଯାଇପାରେ। କାରଣ ଗୁରୁବାର ସୁଦ୍ଧା ଦେଶରେ ଏହି କୋରୋନା ଭୂତାଣୁ ଆକ୍ରମଣରେ ୩ ହଜାର ୪୦୫ ଜଣଙ୍କର ମୃତ୍ୟୁ ଘଟିସାରିଲାଣି। ଅବଶ୍ୟ ଚୀନ୍ରେ ଏହାଠାରୁ ପାଖାପାଖି ଦେଢ଼ ଶହ ଲୋକ ଅଧିକ ମରିଛନ୍ତି। କିନ୍ତୁ ଚୀନ୍ର ଲୋକସଂଖ୍ୟା ଓ ଇଟାଲୀର ଲୋକସଂଖ୍ୟା ମଧ୍ୟରେ ତୁଳନା କରାଗଲେ, ଇଟାଲୀରେ କୋରୋନା ଭୂତାଣୁର ବ୍ୟାପକତା ଚୀନ୍ଠାରୁ ବି ସାଂଘାତିକ ସ୍ଥିତିରେ ପହଞ୍ଚିଯାଇଛି ବୋଲି କୁହାଯିବ। ୬୦ ନିୟୁତ ଜନସଂଖ୍ୟା ବିଶିଷ୍ଟ ଇଟାଲୀ ତୁଳନାରେ ଚୀନ୍ର ଜନସଂଖ୍ୟା ପାଖାପାଖି ୨୦ ଗୁଣ ଅଧିକ। ଗୁରୁବାର ଚୀନ୍ ସହ ଉହାନ୍ରେ ଜଣେ ବି ଆକ୍ରାନ୍ତଙ୍କୁ ଠାବ କରାଯାଇ ନ ଥିବା ବେଳେ ସଂଯୋଗବଶତଃ ଉକ୍ତ ଦିନ ହିଁ ଇଟାଲୀ ସର୍ବାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ରେକର୍ଡ କରିଛି।
ଚୀନ୍ରେ ସମ୍ପୂର୍ଣ୍ଣ ଭାବେ ସାଧାରଣ ଜୀବନଯାତ୍ରାକୁ ଠପ୍ କରିଦିଆଯାଇଛି। ସବୁଆଡ଼େ କର୍ଫ୍ୟୁବତ୍ ପରିସ୍ଥିତି ରହିଛି। ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଆଦିକୁ ବନ୍ଦ କରିଦିଆ ଯାଇଥିବା ବେଳେ ଏହା ଦେଶରେ କୋରୋନାର ନିୟନ୍ତ୍ରଣ ଦିଗରେ ଠୋସ୍ ପଦକ୍ଷେପ ସାବ୍ୟସ୍ତ ହୋଇଛି। ଗୁରୁବାର ଇଟାଲୀରେ ପହଞ୍ଚିଥିବା ଚୀନ୍ ରେଡକ୍ରସ୍ ଟିମ୍ର ସଦସ୍ୟମାନେ ଇଟାଲୀ ସରକାରଙ୍କୁ ସମାଲୋଚନା କରିଛନ୍ତି। ଦେଶରେ ନିଃସଙ୍ଗବାସ ବ୍ୟବସ୍ଥାକୁ ଠିକ୍ ଭାବେ କାର୍ଯ୍ୟକାରୀ କରାଯାଉ ନ ଥିବା ବେଳେ ସରକାର ତୁରନ୍ତ ଲକ୍ଡାଉନ୍ ଦିଗରେ ନିଷ୍ପତ୍ତି ନେବାକୁ ଏହି ରେଡକ୍ରସ୍ ଟିମ୍ ପରାମର୍ଶ ଦେଇଛି। ସୂଚନାଯୋଗ୍ୟ ଯେ ସମଗ୍ର ବିଶ୍ବରେ ପାଖାପାଖି ୧୦ ହଜାର ଲୋକ ମୃତ୍ୟୁବରଣ କରିସାରିଥିବା ବେଳେ ୨ ଲକ୍ଷ ୨୦ ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ ସୂଚୀରେ ସାମିଲ୍ ହୋଇଛନ୍ତି। ଏହାଛଡ଼ା ୮୫ ହଜାର ଲୋକ ସୁସ୍ଥତା ଲାଭ କରିଛନ୍ତି।