କହନ୍ତୁ କୋରୋନା କୁ ନା: ଜାଣନ୍ତୁ କ’ଣ କରିବେ, କ’ଣ କରିବେନି

କୋରୋନା ବା କୋଭିଡ୍-୧୯କୁ ନେଇ ସାରା ବିଶ୍ବ ଏବେ ଚିନ୍ତିତ। ଚୀନ୍‌ର ଉହାନ୍‌ ସହରରୁ ସୃଷ୍ଟ ଏହି ପ୍ରାଣଘାତୀ ଭୂତାଣୁ ବିଶ୍ବର ପ୍ରାୟ ସମସ୍ତ ଦେଶରେ ନିଜ କାୟା ବିସ୍ତାର କରି ସାରିଲାଣି। ଏହି ଭୂତାଣୁକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ପକ୍ଷରୁ ମହାମାରୀ ଭାବେ ଘୋଷଣା କରାଯାଇଛି। ବିଶ୍ବବ୍ୟାପୀ ମହାମାରୀ ଆତଙ୍କ ସୃଷ୍ଟି କରିଥିବା ଏହି ଭୂତାଣୁକୁ କାବୁ କରିବା ପାଇଁ ଅହର୍ନିଶି ଉଦ୍ୟମ ଜାରି ରହିଛି। କୋରୋନା ଭୂତାଣୁ ସହ ଆରମ୍ଭ ହୋଇଛି ଏକ ପ୍ରକାର ବିଶ୍ବଯୁଦ୍ଧ। ଯଦିଓ ଏହାକୁ ନିରସ୍ତ୍ର କରିବା ପାଇଁ ବିଶ୍ବର କୌଣସି ଦେଶ ଏଯାବତ୍‌ ମହୌଷଧି ପ୍ରସ୍ତୁତ କରିବାରେ ସକ୍ଷମ ହୋଇପାରି ନହାନ୍ତି, ତଥାପି କୋରୋନାକୁ ରୋକିବାକୁ ସମ୍ମିଳିତ ଚକ୍ରବ୍ୟୁହ ରଚନା ହୋଇ ସାରିଛି। କୋରୋନା ପୀଡ଼ିତ ରାଷ୍ଟ୍ରସମୂହ ସହିତ ତାଳ ଦେଇ ଭାରତ ଏବଂ ଓଡ଼ିଶା ମଧ୍ୟ ସଚେତନତା ଓ ସ୍ବଚ୍ଛତା ରୂପକ ପ୍ରାରମ୍ଭିକ ଅସ୍ତ୍ରରେ କୋରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ରଣନୀତି ଆପଣାଇଛନ୍ତି। କୋରୋନାକୁ ବିପର୍ଯ୍ୟୟ ଭାବେ ଘୋଷଣା କରି ଏହାର ବ୍ୟାପକତାକୁ ହ୍ରାସ କରିବା ପାଇଁ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାର ରାତିଦିନ ଏକ କରି ଲୋକମାନଙ୍କୁ ସଚେତନ କରୁଛନ୍ତି। କୋରୋନା ଭୂତାଣୁ ସଂକ୍ରମଣ ସମଗ୍ର ମାନବ ସମାଜ ପାଇଁ ଏକ ପ୍ରମୁଖ ଆହ୍ବାନ ଭାବେ ଉଭା ହୋଇଛି। ଆମେମାନେ ଏମିତି ଏକ ମହାମାରୀ ସହିତ ଲଢ଼ୁଛେ ଯାହାର କୌଣସି ପ୍ରତିକାର ନାହିଁ। କେବଳ ପ୍ରତିଷେଧକ ବ୍ୟବସ୍ଥା ହିଁ ଆମକୁ ସୁରକ୍ଷିତ ରଖିପାରିବ। ନିଜକୁ ଏବଂ ନିଜ ପରିବାର ସଦସ୍ୟଙ୍କୁ ଏହି ମହାମାରୀ ଠାରୁ ସୁରକ୍ଷିତ ରଖିବା ପାଇଁ ଆମକୁ ବ୍ୟକ୍ତିଗତ ସ୍ତରରେ ପ୍ରତିବଦ୍ଧ ଓ ପାରିବାରିକ ସ୍ତରରେ ଦାୟିତ୍ବ ସମ୍ପନ୍ନ ହେବାକୁ ପଡ଼ିବ। କୋରୋନାକୁ ନେଇ ମିଥ୍ୟା ପ୍ରଚାର ଓ ଭୁଲ୍‌ ତଥ୍ୟଠାରୁ ଦୂରେଇ ରହିବାକୁ ପଡ଼ିବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୋରୋନା ଭୂତାଣୁ ମୁକାବିଲା ନେଇ ବିଭିନ୍ନ ପରାମର୍ଶ ଓ ନିର୍ଦେଶନାମା ଜାରି କରାଯିବା ପରେ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟ ସଚେତନତା ପାଇଁ ନିର୍ଦ୍ଦିଷ୍ଟ ପରାମର୍ଶ ଏବଂ ନିର୍ଦେଶନାମା ଜାରି କରିଛନ୍ତି। ଏହାକୁ ମାନି ଚଳିଲେ ଆମେ କୋରୋନା କୁ ନା ବୋଲି କହିପାରିବା।
ତେବେ ମିଳିଥିବା ଏକ ରିପୋର୍ଟ ମୁତାବକ ସମଗ୍ର ବିଶ୍ବରେ କୋରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ଲୋକମାନଙ୍କ ମଧ୍ୟରେ ମାତ୍ର ୭ ପ୍ରତିଶତ ଆକ୍ରାନ୍ତଙ୍କ ଅବସ୍ଥା ଗୁରୁତର ଥିବା ବେଳେ ୯୩ ପ୍ରତିଶତ ଲୋକଙ୍କ ଅବସ୍ଥା ସ୍ଥିର ରହିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ଭୂତାଣୁ ସଂକ୍ରମଣରେ ମୃତ୍ୟୁବରଣ କରୁଥିବା ଲୋକମାନଙ୍କ ପ୍ରତିଶତ ହେଉଛି ମାତ୍ର ୮ ପ୍ରତିଶତ। ଏଥିସହ ୯୨ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏହି ଭୂତାଣୁ ଦ୍ବାରା ଜନ୍ମରୁ ୯ ବର୍ଷ ପର୍ଯ୍ୟନ୍ତ କୌଣସି ଶିଶୁ ଆକ୍ରାନ୍ତ ହୋଇଥିବା ସୂଚନା ନାହିଁ। ତେଣୁ କୋରାନାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। କେବଳ ଲଗାତର ସଚେତନତା, ସମୀକ୍ଷା, ପଦକ୍ଷେପ ଓ ସହଯୋଗ ହିଁ ଆମକୁ କୋରୋନାରୁ ରକ୍ଷା କରିପାରିବ। ସୁରକ୍ଷା ନେଇ କୌଣସି ହେଳା ଓ କୋହଳ ମନୋଭାବ ପ୍ରତିପୋଷଣ ନ କରିବାକୁ ‘ପ୍ରତିନିଧି’ ତରଫରୁ ତା’ର ଦାୟିତ୍ବବାନ ପାଠକ/ପାଠିକାଙ୍କୁ ଅନୁରୋଧ କରାଯାଉଛି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଜନସାଧାରଣଙ୍କୁ ସଚେତନ କରିବାକୁ ‘ପ୍ରତିନିଧି’ ତରଫରୁ ଏକ ଛୋଟ ପ୍ରୟାସ। କୋରୋନାର ମୁକାବିଲା ପାଇଁ ଆମେ ସମସ୍ତେ ପ୍ରସ୍ତୁତ ରହିବା, କିନ୍ତୁ ଭୟଭୀତ ହେବା ନାହିଁ କି କାହାକୁ ଭୟଭୀତ କରିବା ନାହିଁ।
କରୋନା ସନ୍ଦିଗ୍ଧ କିଏ?
ଯଦି ଜଣେ ବ୍ୟକ୍ତି ବିଗତ ଦିନରେ ବିଦେଶ କିମ୍ବା ବାହାର ଅଞ୍ଚଳରୁ ଫେରିବା ପରେ ଜ୍ବର ସହିତ କାଶ ଓ ନିଃଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ଅନୁଭୁତ କରୁଛନ୍ତି, ତାଙ୍କୁ ସନ୍ଦିଗ୍ଧ ବୋଲି ଧରାଯିବ। ସନ୍ଦିଗ୍ଧ ବ୍ୟକ୍ତି ଜଣକ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିଜର ରକ୍ତ ନମୁନା ପରୀକ୍ଷା କରାଇବେ। ପରୀକ୍ଷାରେ ପଜିଟିଭ୍‌ ଲକ୍ଷଣ ବାହାରିଲେ କରୋନା ଆକ୍ରାନ୍ତ ବୋଲି ସୁନିଶ୍ଚିତ କରାଯିବ।
କୋରୋନା ଭୂତାଣୁ କିପରି ସଂକ୍ରମିତ ହୁଏ?
-ଯଦି ସଂକ୍ରମିତ ବ୍ୟକ୍ତି ସୁସ୍ଥ ବ୍ୟକ୍ତିର ସଂସ୍ପର୍ଶରେ ଆସେ
-ଯଦି ସଂକ୍ରମିତ ବ୍ୟକ୍ତିର କାଶ, ଛିଙ୍କ ଯଦି ଜଣେ ସୁସ୍ଥ ବ୍ୟକ୍ତିର ଆଖି, ନାକ, ପାଟି ସଂସ୍ପର୍ଶରେ ଆସିଥାଏ
-ଅସୁସ୍ଥ ବ୍ୟକ୍ତିର ଲାଳ ଅନ୍ୟ ବ୍ୟବହାରିକ ଉପକରଣରେ ଲାଗିଲେ କୋରୋନା ସଂକ୍ରମିତ ହୋଇଥାଏ
-ଯଦି ସଂକ୍ରମିତ ବ୍ୟକ୍ତିର ହାତ କବାଟ ଶିକୁଳି, କଲମ, ମାଉସ୍‌, ଡିଜିଟାଲ ସାମଗ୍ରୀ, ଟିସ୍ୟୁ ପେପର, ଲିଫ୍ଟ ବନମ୍‌, ପାହାଚ ହ୍ୟାଣ୍ଡଲ୍‌ ସଂସ୍ପର୍ଶରେ ଆସେ ଏବଂ ସଂକ୍ରମିତ ବ୍ୟକ୍ତି ଯେଉଁ ସବୁ ଜିନିଷ ବ୍ୟବହାର କରନ୍ତି ବା ଯେଉଁ ଜାଗାରେ ହାତ ଲଗାଇଥାନ୍ତି, ଜଣେ ସୁସ୍ଥ ବ୍ୟକ୍ତି ସେହି ଜାଗା ଛୁଇଁବା ଫଳରେ କୋରୋନା ବ୍ୟାପିଥାଏ।
କ’ଣ କରିବେ
-ହାତ ପରିଷ୍କାର ଦେଖାଯାଉଥିଲେ ମଧ୍ୟ ହାଣ୍ଡୱାଶ୍‌ କିମ୍ବା ସାବୁନ୍‌ରେ ହାତକୁ ବାରମ୍ବାର ଧୁଅନ୍ତୁ
-କାଶ/ଛିଙ୍କ ସମୟରେ ନାକ ଏବଂ ମୁହଁକୁ ରୁମାଲ୍‌/ଟିସ୍ୟୁ ପେପର୍‌ ଦ୍ବାରା ଘୋଡ଼ାଇ ରଖନ୍ତୁ
-ବ୍ୟବହୃତ ଟିସ୍ୟୁ ପେପର୍‌କୁ ଯଥାଶୀଘ୍ର ଢାଙ୍କୁଣୀ ଥିବା ଡଷ୍ଟବିନ୍‌ରେ ପକାଇ ଦିଅନ୍ତୁ
-ନିଜ ଆଖି, କାନ ଓ ମୁହଁକୁ କଦାପି ଛୁଅଁନ୍ତୁ ନାହିଁ
-ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରୁହନ୍ତୁ, ଆଖପାଖ ଲୋକଙ୍କୁ ମଧ୍ୟ ଏ ଦିଗରେ ସଚେତନ କରାନ୍ତୁ
-ନିୟମିତ ଭାବେ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ ଯଥା ଟେବଲ୍‌, ଡୋର୍‌ନବ୍‌, ଲାଇଟ୍‌ ସ୍ବିଚ୍‌, ହ୍ୟାଣ୍ଡଲ୍‌, ଡେସ୍କ, କମ୍ପ୍ୟୁଟର୍‌, ଫୋନ୍‌, କି’ବୋର୍ଡ ଓ ସର୍ବୋପରି ଟଏଲେଟ୍‌ ଆଦିକୁ ସଫା କରନ୍ତୁ
-ଯଦି ଆପଣ ଅସୁସ୍ଥ ଅଛନ୍ତି ଅବା ଜନଗହଳିପୂର୍ଣ୍ଣ ସ୍ଥାନକୁ ଯାଉଛନ୍ତି, ତା’ହେଲେ ମୁହଁରେ ମାସ୍କ ବ୍ୟବହାର କରନ୍ତୁ
-କାହା ସହିତ ହାତ ମିଳାଇବା ପରିବର୍ତ୍ତେ ନମସ୍କାର କରନ୍ତୁ
-ପରସ୍ପର ଅଭିନନ୍ଦନ ବେଳେ ଅନ୍ୟୂନ ୧ ମିଟର ଦୂରତା ରକ୍ଷା କରନ୍ତୁ
-ଅନ୍ୟଠାରୁ ନିଜକୁ ସର୍ବଦା ୩ ଫୁଟ୍‌ ଦୂରତାରେ ରଖନ୍ତୁ
-ପରସ୍କରକୁ ଆଲିଙ୍ଗନ କରନ୍ତୁ ନାହିଁ
-ବାହାଘର, ବ୍ରତ ଘର ଭଳି ସାମାଜିକ କାର୍ଯ୍ୟରେ ଅତିଥିଙ୍କ ସଂଖ୍ୟା ଯଥାସମ୍ଭବ କମ୍‌ କରିବାକୁ ଚେଷ୍ଟା କରନ୍ତୁ
-ବିଦେଶରୁ ଫେରିଥିଲେ ହେଲ୍‌ପ୍‌ ଲାଇନ୍‌ ନମ୍ବରରେ ସୂଚନା ପ୍ରଦାନ କରିବା ସହ ରାଜ୍ୟ ସରକାରଙ୍କ ପୋର୍ଟାଲ୍‌ରେ ପଞ୍ଜୀକରଣ କରନ୍ତୁ
-ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନେ ଯଦି ସମ୍ଭବ ତେବେ ନିଜ ଘରେ ରହି ଦାୟିତ୍ବ ସମ୍ପାଦନ କରନ୍ତୁ
-କୋରୋନା ସମ୍ପର୍କିତ ସଚେତନ ଫଳକ କାର୍ଯ୍ୟାଳୟରେ ଟାଙ୍ଗନ୍ତୁ
-କୌଣସି ଫ୍ଲୁ ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତିଙ୍କୁ ଅଫିସ୍‌କୁ ଆସିବାକୁ ବାରଣ କରନ୍ତୁ
-ଯଦି ଆପଣ ଜ୍ବର, କାଶ କିମ୍ବା ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରନ୍ତି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ଏବଂ ଡାକ୍ତରଖାନାକୁ ଯିବା ସମୟରେ -ମାସ୍କ ବ୍ୟବହାର କରନ୍ତୁ
-ଯଦି ଆପଣଙ୍କର ଏଭଳି କିଛି ଲକ୍ଷଣ ଦେଖାଯାଉଥାଏ ତେବେ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ
-ଅଧିକ ସୂଚନା ପାଇଁ ସ୍ବାସ୍ଥ୍ୟ ସହାୟତା ଫୋନ୍‌ ନମ୍ବର ୧୦୪ କିମ୍ବା, ୯୪୩୯୯୯୪୮୫୭/ ୯୪୩୯୯୯୪୮୫୯ରେ ଯୋଗାଯୋଗ କରନ୍ତୁ
ପରିଶେଷରେ ନିଜେ ସଚେତନ ହୁଅନ୍ତୁ ଓ ଅନ୍ୟମାନଙ୍କୁ ସଚେତନ କରନ୍ତୁ।
କ’ଣ କରିବେନି
-ଯଦି ଆପଣ ଜ୍ବର, କାଶ କିମ୍ବା ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଥିବେ, ତେବେ ଅନ୍ୟମାନଙ୍କ ସହ ମିଳାମିଶା କରନ୍ତୁ ନାହିଁ
-ଆଖି, ନାକ ଓ ପାଟିକୁ ସ୍ପର୍ଶ କରନ୍ତୁ ନାହିଁ
-ସର୍ବସାଧାରଣ ସ୍ଥାନରେ ଛେପ, ଖଙ୍କାର ପକାନ୍ତୁ ନାହିଁ
-କାହା ସହିତ କରମର୍ଦ୍ଦନ କରନ୍ତୁ ନାହିଁ କିମ୍ବା ଚଟାଣରେ ହାତ ଲଗାନ୍ତୁ ନାହିଁ
-କାହା ସହିତ କରମର୍ଦ୍ଦନ କରନ୍ତୁ ନାହିଁ କିମ୍ବା ଚଟାଣରେ ହାତ ଲଗାନ୍ତୁ ନାହିଁ
-ନିଜ ମୁହଁକୁ ମଧ୍ୟ ଛୁଇଁବା ଉଚିତ ନୁହେଁ
-ଆବଶ୍ୟକତା ନ ଥିଲେ ବାହାରକୁ ଯାଆନ୍ତୁ ନାହିଁ, ବରଂ ନିଜ ଘରେ ରୁହନ୍ତୁ
-ସର୍ବସାଧାରଣ ପରିବହନ ଯାନ (ବସ୍‌ ଓ ଟ୍ରେନ୍‌)ରେ ଯାଆସ କରନ୍ତୁ ନାହିଁ
-ପାରିବାରିକ ମେଳା ଓ ଉତ୍ସବ ଆୟୋଜନ କରନ୍ତୁ ନାହିଁ
-କୌଣସି ବି ପରିସ୍ଥିତିରେ ଆବଶ୍ୟକତା ନ ଥିଲେ ଡାକ୍ତରଖାନା ଯାଆନ୍ତୁ ନାହିଁ
-ନିଜ ଅସୁସ୍ଥ ସମ୍ପର୍କରେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ କୌଣସି ବି ତଥ୍ୟ ଲୁଚାନ୍ତୁ ନାହିଁ
-ଅସୁସ୍ଥ ବ୍ୟକ୍ତିଙ୍କ ପୋଷାକ ଛୁଅଁନ୍ତୁ ନାହିଁ, ଧାର୍ମିକ ସ୍ଥଳ ପରିଦର୍ଶନରେ ଯାଆନ୍ତୁ ନାହିଁ
-କୌଣସି ପାର୍କ, ଜିମ୍‌, ସିନେମା ହଲ୍‌ ଓ ସାମାଜିକ ଅନୁଷ୍ଠାନକୁ ଯାଆନ୍ତୁ ନାହିଁ
-କୌଣସି ମିଥ୍ୟା ଗୁଜବ ପ୍ରଚାର କରନ୍ତୁ ନାହିଁ କିମ୍ବା ଗୁଜବରେ ବିଶ୍ବାସ କରନ୍ତୁ ନାହିଁ
-୪ ବା ୫ ଜଣରୁ ଅଧିକ ଲୋକ ଏକାଠି ବସି ବୈଠକକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ
-ସୁସ୍ଥ ଥିଲେ ମାସ୍କ ପିନ୍ଧନ୍ତୁ ନାହିଁ
ନିଃସଙ୍ଗବାସରେ ରହନ୍ତୁ
ଯଦି ଆପଣ କୋରୋନା ସଂକ୍ରମିତ ଦେଶ/ଅଞ୍ଚଳ ଗସ୍ତ କରିଥାନ୍ତି ବା କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥାନ୍ତି, କିନ୍ତୁ ଆପଣଙ୍କଠାରେ ଜ୍ବର, ସର୍ଦ୍ଦି, କାଶ ଭଳି କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥାଏ କିମ୍ବା ଏଭଳି କୌଣସି ଇତିହାସ ନ ଥାଇ ମଧ୍ୟ ଆପଣଙ୍କଠାରେ ଜ୍ବର, ସର୍ଦ୍ଦି, କାଶ ଭଳି ଲକ୍ଷଣ ପ୍ରକାଶ ପାଏ ତେବେ ଆପଣ ୧୪ ଦିନ ପର୍ଯ୍ୟନ୍ତ ନିଃସଙ୍ଗବାସ (ହୋମ୍‌ କ୍ୱାରେଣ୍ଟାଇନ) ବା ଗୃହ ପୃଥକୀକରଣରେ ରୁହନ୍ତୁ।
ପୃଥକୀକରଣ କକ୍ଷ ପାଇଁ
-ମୁକ୍ତ ବାୟୁ ଚଳାଚଳ କରୁଥିବା ଏବଂ ଏସି ଲଗାଯାଇ ନ ଥିବା କକ୍ଷ ବ୍ୟବହାର କରନ୍ତୁ
-ଦିନବେଳା ଘରର ଝରକା ଖୋଲା ରଖନ୍ତୁ
-ସନ୍ଦିଗ୍ଧ ସଂକ୍ରମିତ ବ୍ୟକ୍ତି ସ୍ବତନ୍ତ୍ର ଶୌଚାଳୟ ବ୍ୟବହାର କରିବା ଉଚିତ୍‌
-ରୋଗୀର ବାସନ, ବିଛଣାପତ୍ର ଓ ଅନ୍ୟାନ୍ୟ ଜିନିଷ ଅନ୍ୟମାନେ ବ୍ୟବହାର କରିବା ଅନୁଚିତ୍‌
-ନିଜର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତୁ
-ସଂକ୍ରମିତ ଚାଦର, ଗାମୁଛା ଏବଂ ଅନ୍ୟାନ୍ୟ କପଡ଼ାକୁ ଭଲଭାବେ ସାବୁନ୍‌ରେ ସଫା କରି ଖରାରେ ଶୁଖାନ୍ତୁ
-ସଂକ୍ରମିତ ମାସ୍କ, ଟିସ୍ୟୁପେପର୍‌ ଏବଂ ସାନିଟାରୀ ପ୍ୟାଡ୍‌କୁ ଘୋଡ଼ଣୀ ଥିବା ଡଷ୍ଟବିନ୍‌ରେ ରଖୁନ୍ତୁ ଓ ପରେ ପୋଡ଼ି ଦଅନ୍ତୁ
-କୀଟାଣୁ ନାଶକ ଦ୍ବାରା ଆସବାବପତ୍ର, ହାତଧୂଆ ବେସିନ୍‌ ଏବଂ ଶୌଚାଳୟକୁ ସଫା କରନ୍ତୁ
-ଘରକୁ କୀଟାଣୁ ନାଶକ ଦ୍ରବଣ ଦ୍ବାରା ସଫା କରନ୍ତୁ
-ସେବା ପ୍ରଦାନକାରୀଙ୍କ ପାଇଁ କକ୍ଷ ସମ୍ମୁଖରେ ସାବୁନ୍‌ ଓ ପାଣିରେ ହାତଧୋଇବାର ବ୍ୟବସ୍ଥା କରନ୍ତୁ
କେମିତି ହାତ ଧୋଇବେ?
-ନିୟମିତ ବ୍ୟବଧାନରେ ହାତ ଧୁଅନ୍ତୁ
-ହାତ ଧୋଇଲା ବେଳେ ଆଲକହଲ ଯୁକ୍ତ ସାବୁନ, ହ୍ୟାଣ୍ଡ୍‌ଓ୍ୱାଶ୍‌ ବା ହ୍ୟାଣ୍ଡ ସାନିଟାଇଜର୍‌ ବ୍ୟବହାର କରନ୍ତୁ
-ପ୍ରଥମେ ହାତକୁ ପାଣିରେ ସମ୍ପୂର୍ଣ୍ଣ ଭିଜାଇ ଦିଅନ୍ତୁ, ଏହାପରେ ସାବୁନକୁ ହାତରେ ଘଷନ୍ତୁ, ଯଦି ଆପଣ ହ୍ୟାଣ୍ଡ୍‌ଓ୍ୱାଶ୍‌ ବା ସାନିଟାଇଜର ବ୍ୟବହାର କରୁଛନ୍ତି -ତେବେ ଆବଶ୍ୟକ ପରିମାଣର ତରଳ ନିଅନ୍ତୁ ଯାହା ଆପଣଙ୍କ ହାତ ପାଇଁ ଯଥେଷ୍ଟ ହେବ
-ଅନ୍ତତଃ ୨୦ରୁ ୩୦ ସେକେଣ୍ଡ୍‌ ପର୍ଯ୍ୟନ୍ତ ହାତକୁ ସାବୁନ୍‌ରେ ମକଚି, ହାତ ପାପୁଲି, ବିଭିନ୍ନ ଆଙ୍ଗୁଠି, ଆଙ୍ଗୁଠି ସନ୍ଧି, ନଖ, କଚଟିର ତଳ ଉପର ଭଲ ଭାବେ ଧୁଅନ୍ତୁ
-ସାଧାରଣତଃ ରନିଙ୍ଗ୍‌ ଓ୍ୱାଟର ବା ପାଇପ ପାଣିରେ କିମ୍ବା ହାତରେ ପାଣି ଢାଳି ହାତ ଧୋଇବାକୁ ଚେଷ୍ଟା କରନ୍ତୁ
-ହାତ ଧୋଇବା ପରେ ହାତକୁ ଭଲ ଭାବେ ପରିଷ୍କାର କପଡ଼ାରେ ପୋଛି ଶୁଖାଇ ଦିଅନ୍ତୁ
ତେଣୁ ଖାଇବା ପୂର୍ବରୁ, ମୁହଁ ଧୋଇବା ପୂର୍ବରୁ ଓ ନିୟମିତ ବ୍ୟବଧାନରେ ହାତ ଧୋଇବା ଧାରା ପ୍ରଣାଳୀ ଅନୁସରଣ କରି ସୁସ୍ଥ ରହନ୍ତୁ
ମାସ୍କ କେମିତି ବାନ୍ଧିବେ?
-କେବଳ ମାସ୍କ ପିନ୍ଧିଲେ କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରି ହେବ ତାହା ଭାବିବା ଭୁଲ୍‌, କାରଣ ଠିକ ଭାବେ ମାସ୍କର ବ୍ୟବହାର କରି ନ ଜାଣିଲେ -ଏଥରୁ କୌଣସି ଫାଇଦା ମିଳି ନ ଥାଏ।
-ମାସ୍କ ବାନ୍ଧିବା ପୂର୍ବରୁ ପ୍ରଥମେ ହାତକୁ ଆଲକହଲଯୁକ୍ତ ସାବୁନ୍‌ରେ ଭଲ ଭାବରେ ଧୁଅନ୍ତୁ
-ଏହାପରେ ମାସ୍କକୁ ମୁହଁରେ ବାନ୍ଧନ୍ତୁ ବାନ୍ଧିବା ପରେ ନାକ ପାଖରେ ଥିବା ମେଟାଲ୍‌ ଷ୍ଟ୍ରିପକୁ ଟାଇଟ୍‌ କରନ୍ତୁ
-ମାସ୍କକୁ ଭଲ ଭାବରେ ସାଇଜ୍‌ କରନ୍ତୁ, ଯେପରି ମାସ୍କ ମୁହଁ ଭିତରେ ଫାଙ୍କା ରହିବ ନାହିଁ
-ବାରମ୍ବାର ମାସ୍କର ବାହାର ପଟକୁ ଛୁଅନ୍ତୁ ନାହିଁ, ଯଦି ଛୁଇଁବେ ତେବେ ହାତ ସାବୁନରେ ଧୁଅନ୍ତୁ
-ମାସ୍କକୁ ଖୋଲିବା ବେଳେ ପ୍ରଥମେ କାନରେ ଲାଗିଥିବା ଇଲାଷ୍ଟିକ୍‌କୁ କାଢ଼ନ୍ତୁ, ତୁରନ୍ତ ଡଷ୍ଟବିନ୍‌ରେ ପକାନ୍ତୁ, ହାତକୁ ସାବୁନରେ ଧୁଅନ୍ତୁ
ଟ୍ରାଭେଲ୍‌ ଆଡଭାଇଜରୀ ମାନନ୍ତୁ
-ଜରୁରୀ ପଡ଼ିଲେ ଆପଣ ଯଦି ବସ୍‌, ଟ୍ରେନ୍‌ ବା ଫ୍ଲାଇଟ୍‌ରେ ଯାତ୍ରା କରୁଥାନ୍ତି, ତେବେ ଏହି ଟ୍ରାଭେଲ୍‌ ଆଡଭାଇଜରୀ ପାଳନ କରନ୍ତୁ।
-ଆପଣଙ୍କର କୌଣସି ସହଯାତ୍ରୀଙ୍କୁ କାଶ, ଜ୍ୱର, ଥଣ୍ଡା ହୋଇଥିଲେ ତାଙ୍କଠୁ ଦୂରେଇ ରହନ୍ତୁ
-ଯାତ୍ରା ସମୟରେ ମାସ୍କ ନିଶ୍ଚୟ ପିନ୍ଧନ୍ତୁ, ମାସ୍କ କିଣିବାବେଳେ ସବୁବେଳେ ସର୍ଜିକାଲ୍‌ ମାସ୍କ କିଣନ୍ତୁ
-ଖାଦ୍ୟ, ପାନୀୟ ଆଦିରେ ବିଶେଷ ସାବଧାନତା ଅବଲମ୍ବନ କରନ୍ତୁ
-ବସ୍‌, ଟ୍ରେନ୍‌ର ଝରକା ରେଲିଂ, କବାଟ ଆଦି ଛୁଅନ୍ତୁ ନାହିଁ
-ମୁହଁରେ, ଆଖିରେ, କାନରେ ହାତ ଲଗାନ୍ତୁ ନାହିଁ
-ନିୟମିତ ବ୍ୟବଧାନରେ ଆଲକହଲ ଯୁକ୍ତ ସାବୁନରେ ହାତ ଧୁଅନ୍ତୁ
-କରୋନା ପ୍ରଭାବିତ ଅଞ୍ଚଳ ବା ଦେଶକୁ ଏହି ସମୟରେ ଯାତ୍ରା କରିବା ଉଚିତ୍‌ ନୁହେଁ
କୋରୋନା ପାଇଁ ପଦକ୍ଷେପ
-ରାଜ୍ୟର ସମସ୍ତ ସ୍କୁଲ୍‌, କଲେଜ୍‌, ବିଶ୍ବବିଦ୍ୟାଳୟ, ଜିମ୍‌, ମିଉଜିୟମ୍‌, ସିନେମା ହଲ୍‌, ସୁଇମିଂ ପୁଲ୍‌, ଶପିଂ ମଲ୍‌, ସାଂସ୍କୃତିକ ଅନୁଷ୍ଠାନ ଓ ପର୍ଯ୍ୟଟନସ୍ଥଳୀକୁ ସାମୟିକ ବନ୍ଦ ଘୋଷଣା
-ସମସ୍ତ ପରୀକ୍ଷା ବାତିଲ୍‌ କରାଯାଇଛି
-ଧର୍ମାନୁଷ୍ଠାନଗୁଡ଼ିକରେ ପ୍ରବେଶ ଉପରେ କଟକଣା
-ମେଳା, ମହୋତ୍ସବ ଆଦିକୁ ସାମୟିକ ଭାବେ ବାତିଲ୍‌
-ସରକାରୀ ଓ ଘରୋଇ ସ୍ବାସ୍ଥ୍ୟ ସେବା ପ୍ରଦାନ କରୁଥିବା ସଂସ୍ଥାମାନଙ୍କ ପାଇଁ ପରାମର୍ଶ
-କରୋନା ସନ୍ଦିଗ୍ଧଙ୍କ ପଞ୍ଜୀକରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
-ବ୍ୟାଙ୍କ୍‌, ପୋଷ୍ଟ୍‌ ଅଫିସ୍‌ ଓ ବ୍ୟାବସାୟିକ ପ୍ରତିଷ୍ଠାନଙ୍କ ପାଇଁ ନିୟମାବଳୀ
-ପ୍ରତି ଏଟିଏମ୍‌ ସେଣ୍ଟରରେ କରୋନା ସତର୍କ ସୂଚନା ଫଳକ ଲଗାଯିବା ସହ ସାନିଟାଇଜ୍‌ କରିବାକୁ ନିର୍ଦେଶ
-ଜନସମାଗମ ସ୍ଥାନରେ ୧୪୪ ଧାରା ଜାରି
-ରାଜ୍ୟର ସମସ୍ତ ଅଦାଲତ ପାଇ ଗାଇଡ୍‌ଲାଇନ୍‌ ଜାରି
-ଡିଏଲ୍‌ ପାଇଁ ଟେଷ୍ଟ୍‌ ଡ୍ରାଇଭିଂ ଏବଂ ବ୍ରେଥ୍‌ ଆନାଲାଇଜର୍‌ ବନ୍ଦ
-ବଜାର, ହାଟ ଉପରେ କଟକଣା
-ଆଟିଓ ଅଫିସ୍‌ରେ ଭିଡ଼ ନିୟନ୍ତ୍ରଣ ପାଇଁ କଟକଣା
-ଏକକାଳୀନ ୪ ମାସର ଭତ୍ତା ଏବଂ ୩ ମାସର ପିଡିଏସ୍‌ ସାମଗ୍ରୀ ଯୋଗାଣ ପାଇଁ ନିଷ୍ପତ୍ତି
-ଭିଡ଼ ନିୟନ୍ତ୍ରଣ ପାଇଁ ଆହର କେନ୍ଦ୍ରରେ କଟକଣା
-ମାଟ୍ରିକ୍‌ ଖାତା ମୂଲ୍ୟାୟନ କେନ୍ଦ୍ରରେ ସ୍ବତନ୍ତ୍ର ବ୍ୟବସ୍ଥା
-ଜିଲ୍ଲା ପ୍ରଶାସନ ପାଇଁ ନିର୍ଦେଶନାମା
-ଆବଶ୍ୟକ ପଡ଼ିଲେ ଲୋକଙ୍କ ଏକାଠି ହେବା ରୋକିବା ନେଇ ସିଆର୍‌ପିସି ୧୪୪ ଧାରା ଲାଗୁ କରିବେ
-ସହରାଞ୍ଚଳ ପୋଲିସ୍‌ ଆଇନ ଅନୁଯାୟୀ ପୋଲିସ୍‌ କମିଶନର ଆବଶ୍ୟକ ପଦକ୍ଷେପ ନେଇପାରିବେ
-ଆହାର କେନ୍ଦ୍ର, ଓମ୍‌ଫେଡ୍‌ ବୁଥ୍‌, କ୍ୟାଣ୍ଟିନ୍‌ ଓ ରେସ୍ତୋରାଁରେ ହାତ ଧୋଇବା ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରାଯିବ
-ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଳୁଥିବା ରାସନ୍‌ ସାମଗ୍ରୀ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଘରେ ପହଞ୍ଚାଇ ଦିଆଯିବ
-ପିଡିଏସ୍‌ କାଉଣ୍ଟରରେ ପିଓଏସ୍‌ ମେସିନ ବ୍ୟବହାର ପରେ ହାତକୁ ସାନିଟାଇଜରରେ ପୋଛାଯିବ
-ପ୍ରତି ଜିଲ୍ଲା ପ୍ରଶାସନ ସାମାଜିକ ଦୂରତା ରକ୍ଷା ନିରୀକ୍ଷଣ ପାଇଁ ଜଣେ ନୋଡାଲ୍‌ ଅଧିକାରୀ ନିଯୁକ୍ତି କରିବେ
-କୌଣସି ବି ପରିସ୍ଥିତିରେ ଲୋକଙ୍କୁ ଆତଙ୍କିତ ହେବାକୁ ଦିଆଯିବ ନାହିଁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ