ମାନ-ଧନ୍ ଯୋଜନାଲେ ଅଣସଂଗଠିତ ଶ୍ରମିକଙ୍କୁ ୩ହଜାର ଟଙ୍କା ପେନ୍ସନ୍
ଅହମ୍ମଦାବାଦ୍(ଏଜେନ୍ସି): କେନ୍ଦ୍ର ସରକାର ନିଜ ପ୍ରତିଶ୍ରୁତି ମୁତାବକ ୨ଠ୧୯ ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରମିକଙ୍କ ପାଇଁ ଏକ ବୃହତ୍ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ଅହମ୍ମଦାବାଦ୍ରେ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନ-ଧନ୍ ଯୋଜନା (ପିଏମ୍ଏସ୍ୱାଇଏମ୍)ର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଦେଶର ୪୨କୋଟି ଅଣସଂଗଠିତ ଶ୍ରମିକଙ୍କୁ ସମର୍ପିତ କରାଯାଇଛି ବୋଲି ଜନସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି । ଏହି ଅବସରରେ ୧୩.୫୮ କୋଟି ରାଶି ୧୧ ଲକ୍ଷ ୫୧ ହଜାର ଲାଭାର୍ଥୀଙ୍କ ପେନସନ ଖାତାକୁ ପଠାଯାଇଥିବା ସୂଚନା ମିଳିଛି ।ଏହି ଯୋଜନାରେ ମାସିକ ଆୟ ୧୫ହଜାର ଟଙ୍କାରୁ କିମ୍ବା ତା’ ଠାରୁ କମ୍ ଥିବା ଅଣସଂଗଠିତ ଶ୍ରମିକଙ୍କୁ ସାମିଲ କରାଯାଇଛି । ଶ୍ରମିକ, ରିକ୍ସା ଚାଳକ, ହକର, ଘରୋଇ କର୍ମଜୀବି, ଦର୍ଜୀ ପାନଦୋକାନୀ ଏବଂ ଛୋଟ ଦୋକାନୀଙ୍କ ଭଳି ଅଣସଂଗଠିତ କ୍ଷେତ୍ର ଶ୍ରମିକମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଉଛି । ତେବେ ୧୮ବର୍ଷରୁ ୪ଠବର୍ଷର ହିତାଧିକାରୀ ଏହି ଯୋଜନାର ଲାଭ ପାଇପାରିବେ । ୧୮ବର୍ଷ ବୟସରେ ହିତାଧିକାରୀଙ୍କୁ ମାସିକ ୫୫ଟଙ୍କା ପ୍ରିମୟମ୍ ଦେବାକୁ ପଡିବ ଏବଂ ୨୯ବର୍ଷ ବୟସରେ ଯୋଜନାରେ ସାମିଲ ହେବା ପାଇଁ ୧ଠଠ ଟଙ୍କାର ମାସିକ ପ୍ରିମିୟମ୍ ଦେବାକୁ ପଡିବ । ଏହି ଯୋଜନାରେ ହିତାଧିକାରୀଙ୍କ ଜମା ପରିମାଣର ସମାନ ଅଥ; କେନ୍ଦ୍ର ସରକାର ପୈଠକ କରିବେ । ୬ଠ ବର୍ଷ ପରେ ଅଣସଂଗଠିତ ଶ୍ରିମକଙ୍କୁ ପ୍ରତ୍ୟେକ ମାସରେ ୩ଠଠଠ ଟଙ୍କା ପେନସନ୍ ରୂପେ ମିଳିବ । ସୂଚନାଯୋଗ୍ୟ ଫେବ୍ରୁଆରୀ ୧ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ ଏକ ଯୋଜନା ଘୋଷଣା କରିଥିଲେ । ଏହି ଯୋଜନା ପାଇଁ ଫ୍ରେୁଆରୀ ୧୫ରେ ପଞ୍ଜିକରଣ ଆରମ୍ଭ ହୋଇଯାଇଥିଲା । ମୋଦି କହିଛନ୍ତି ଯେ, ଦେଶର ସବୁ ଶ୍ରମିକମାନଙ୍କ ମନରେ ଗୋଟିଏ ପ୍ରଶ୍ନ ନିହାତି ଭାବରେ ଉଠିଥାଏ ଯେ, ଯେବେ ପର୍ଯ୍ୟନ୍ତ ନିଜର ହାତଗୋଡ ଚାଲୁଥିବ ସେବେଯାଏଁ ସେମାନଙ୍କୁ କାମ ମିଳିବ, କିନ୍ତୁ ଶରୀର ଯେତେବେଳେ ଦୁର୍ବଳ ହୋଇଯିବ ସେତେବେଳେ କ’ଣ ହେବ? ସେହି ସମୟ ସେମାନଙ୍କ ପାଇଁ ସବୁଠାରୁ ଅଧିକ କଷ୍ଟ ଦେଇଥାଏ । ସେହି କଷ୍ଟ ତାଙ୍କ ମନରେ ମଧ୍ୟ ଥିଲା ବୋଲି ମୋଦି କହିଛନ୍ତି । ସେହି କଷ୍ଟରୁ ହିଁ ଏହି ଯୋଜନାର ଜନ୍ମ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ନିଜକୁ ଶ୍ରମିକ ନଂ ୧ ବୋଲି ଦର୍ଶାଇବା ସହ ଦେଶବାସୀଙ୍କ ଆଶିର୍ବାଦରୁ ଦେଶ ନିର୍ମାଣ ଦିଗରେ ସେ କାମ କରୁଥିବା ମୋଦି କହିଛନ୍ତି ।