ସମସ୍ୟା ଘେରରେ ନୟାହାଟ ଅଞ୍ଚଳ
ନୟାହାଟ (ଜୁଗାବ୍ଦ ନ୍ୟୁଜ୍): ପୁରୀ ଜିଲ୍ଲା ଗୋପ ବ୍ଲକ୍ର ନୟାହାଟ ଅଞ୍ଚଳ ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ । ଏଠାକୁ ପ୍ରତିଦିନ ହଜାର ହଜାର ବ୍ୟବସାୟୀ ଓ ଗ୍ରାହକ ଆସିଥାନ୍ତି । ଧୂମାଳ, ଜଙ୍ଗଲବୋରୀ, ଦେସ୍ଥଳୀ, ଈଷାଣପୁର, ବଉଲାଙ୍ଗ, ସୋରଭା, ବୀରତୁଙ୍ଗ, ଏବରଙ୍ଗ ଆଦି ପଞ୍ଚାୟତ, କାକଟପୁର ଓ ଅସ୍ତରଙ୍ଗ, ନିମାପଡ଼ା ଓ ନିଆଳି ବ୍ଲକ୍ର ଜନସାଧାରଣ ନୟାହାଟ ଉପରେ ନିର୍ଭରଶୀଳ । ଏଠାରେ ମୁଖ୍ୟତଃ ପାନ ଓ ଧାନ ଏବଂ ପନିପରିବା ଚାଷ ହୋଇଥାଏ ।ଏଠାରୁ ପାନ ଓ ଧାନ ରାଜ୍ୟ ବାହାରକୁ ଯାଉଛି । ମାତ୍ର ବ୍ୟବସାୟୀମାନେ ପାନୀୟ ଜଳ ପାଉନଥିବା ବେଳେ ଖରାଦିନରେ ବସ୍ଷ୍ଟାଣ୍ଡ, ଦୁର୍ଗାମଣ୍ଡପ, ଲକ୍ଷ୍ମୀବଜାରଠାରେ ଯାତ୍ରୀ ବିଶ୍ରାମଗାର ନଥିବାରୁ ଲୋକମାନେ ହଇରାଣ ହରକତର ହେଉଛନ୍ତି । ସୁଲଭ ଶୌଚାଳୟ ମଧ୍ୟ ନାହିଁ । ମୁଖ୍ୟ ରାସ୍ତାର ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି । ଏଠାରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ମଧ୍ୟ ରହନ୍ତି ନାହିଁ । ମୁଖ୍ୟ ସମସ୍ୟା ରାସ୍ତା ଓସାର କରାଯାଉନଥିବାରୁ ଗୁରୁତର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି । ନୟାହାଟ ଫାଣ୍ଡିକୁ ଥାନା କରିବା ପାଇଁ ବାରମ୍ବାର ଦାବି ହେଉଥିଲେ ବି ତାହା କାଗଜକଲମରେ ରହିଯାଇଛି । ଫାଣ୍ଡିରେ ଆବଶ୍ୟକ କର୍ମଚାରୀ ନଥିବାରୁ ଆଇନଶୃଙ୍ଖଳା ସୁଚାରୁ ରୂପେ ପରିଚାଳନା ହୋଇପାରୁନାହିଁ । ଡାକ ବିଭାଗର ନିଜସ୍ୱ ଘର ନଥିବାରୁ ୫୫ବର୍ଷ ହେଲା ଭଡ଼ା ଘରେ ଚାଲିଛି । ନୟାହାଟ ବଜାରକୁ ବାଇପାସ୍ ରାସ୍ତା କୁଣ୍ଡେଇ କେନାଲ ବନ୍ଧରେ କରାଯାଇଥିଲେ ମଧ୍ୟ ତାହା ଶୋଚନୀୟ ହୋଇପଡ଼ିଛି । ଏ ଦିଗରେ କାକଟପୁର ବିଧାୟକ ତଥା କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଦୃଷ୍ଟିଦେବାକୁ ବିଜେଡି ପକ୍ଷରୁ ଦାବି ହେଉଛି ।