ସପିଂ ମଲ୍ ଯୋଗୁଁ ରାସ୍ତା ଜାମ ,ନିଜସ୍ୱ ଗାଡ଼ି ପାର୍କିଂସ୍ଥଳ କରିବାକୁ ଦାବି

ବାଲୁଗାଁ  (ଜୁଗାବ୍ଦ ନ୍ୟୁଜ୍‍):ପର୍ଯ୍ୟଟନସ୍ଥଳୀ ବାଲୁଗାଁ ଏକ ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ହୋଇଥିବାରୁ ଏଠାରେ ପ୍ରତିଦିନ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ । ୧୬୨ ବର୍ଗ କିମି ଏରିଆ ବିଶିଷ୍ଟ ଏହି ସହରରେ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଲୋକ ବସବାସ କରୁଥିବା ଏହି ଜନଗହଳି ପରିବେଶ ଅତ୍ୟନ୍ତ ଶାନ୍ତ, ସରଳ ଏବଂ ସ୍ୱଭାବ ପ୍ରକୃତିର । ମାତ୍ର ଦିନକୁ ଦିନ ଗାଡ଼ିମୋଟରର ବୃଦ୍ଧି ସାଙ୍ଗକୁ ନୂତନ ଭାବେ ଗଢ଼ି ଉଠୁଥିବା ଦୋକାନ ବଜାର ଯାହାକି ସମଗ୍ର ଏରିଆକୁ ଅତ୍ୟନ୍ତ ଗହଳିପୂର୍ଣ୍ଣ କରିଦେଉଛି । ଯାହାର ତତ୍ତ୍ୱାବଧାନ କରିବା ପାଇଁ କାହାର ନଜର ହିଁ ନାହିଁ । ଏନ୍ଏସି କର୍ତ୍ତୃପକ୍ଷଙ୍କ ସମେତ ପ୍ରଶାସନିକ ସ୍ତରରେ ମଧ୍ୟ ଏହାର ସୁପରିଚାଳନା ହୋଇପାରୁନାହିଁ । ଟ୍ରାଫିକ୍ ବ୍ୟବସ୍ଥା ନକହିବା ଭଲ । ୩/୪ ବର୍ଷ ତଳେ ଏଠାରେ ଜଣେ ଟ୍ରାଫିକ୍ ପୁଲିସ୍ ନିଯୁକ୍ତ ହୋଇଥିବାବେଳେ ବର୍ତ୍ତମାନ ତାହା ଖାଲିପଡ଼ିଛି । ବାଲୁଗାଁ ସହରର ମୁଖ୍ୟଛକ ହେଉଛି ଗାନ୍ଧୀଛକ । ଯେଉଁଠାରେ ଚତୁଃପାଶ୍ୱର୍କୁ ରାସ୍ତା ସଂଯୋଗ କରିଛି । ଉତ୍ତର ପାଶ୍ୱର୍ ଭୁବନେଶ୍ୱରକୁ ସଂଯୋଗ କରୁଥିବା ବେଳେ ଦକ୍ଷିଣ ପାଶ୍ୱର୍ ବ୍ରହ୍ମପୁରକୁ ଏବଂ ପୂର୍ବପାଶ୍ୱର୍ରେ ଚିଲିକାକୁ ରାସ୍ତା ଥିବା ବେଳେ ପଶ୍ଚିମପାଶ୍ୱର୍ ମା’ ଭଗବତୀ ପୀଠକୁ ରାସ୍ତା । ଏଥିସହ ବାଣପୁର ଅଞ୍ଚଳକୁ ଯିବାର ମୁଖ୍ୟରାସ୍ତା । ଏହି ରାସ୍ତାର ଗାନ୍ଧୀଛକଠାରୁ ମାତ୍ର ୧୦୦ ମିଟର ଦୂରରେ ନୂତନ ଭାବେ ଗଢ଼ି ଉଠିଥିବା ଏକ ସପିଂ ମଲ୍ ଷ୍ଟାଇଲ୍ ବଜାର ଆଜି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଦିନତମାମ ପ୍ରବଳ ଖରା ଯୋଗୁଁ ସପିଂ ମଲ୍ଟି ସାମାନ୍ୟ ଫାଙ୍କା ଥିବା ବେଳେ ସନ୍ଧ୍ୟା ସମୟରେ ନାହିଁନଥିବା ଭିଡ଼ ଜମିଥିଲା । ଯାହାଫଳରେ ମୁଖ୍ୟରାସ୍ତା ସମେତ ପାଶ୍ୱର୍ରାସ୍ତା ଗୁଡ଼ିକ ପ୍ରବଳ ଭିଡ଼ ହୋଇଥିଲା । ପ୍ରବଳ ଜନଗହଳି ଦ୍ୱାରା ସାଧାରଣଜନତା ରାସ୍ତା ଅତିକ୍ରମ କରିବା ତ ଦୂରର କଥା ରୋଗୀଟିଏ ମଧ୍ୟ ଡାକ୍ତରଖାନାକୁ ଯିବା ଅସମ୍ଭବ ହୋଇପଡ଼ିଥିଲା । ସମଗ୍ର ସହରରେ ସଂକୀର୍ଣ୍ଣ ରାସ୍ତା ସାଙ୍ଗକୁ ଗାଡ଼ି ପାର୍କିଂର ସୁବ୍ୟବସ୍ଥା ନଥିବା ଯୋଗୁଁ ଲୋକେ ରାସ୍ତାକଡ଼ରେ ଗାଡ଼ି ରଖିବାରୁ ପ୍ରବଳ ଜାମ ଦେଖାଦେଇଥିଲା । ପ୍ରଶାସନିକ ସ୍ତରରୁ ଯେତେ ତାଗିଦ୍ କଲେ ମଧ୍ୟ ଲୋକଙ୍କ ଉପରେ କୌଣସି ପ୍ରଭାବ ପଡ଼ିନଥିଲା । ସାଧାରଣ ଜନତାଙ୍କ କହିବା ମୁତାବକ ସପିଂ ମଲ୍ ତାର ନିଜସ୍ୱ ଗାଡ଼ି ପାର୍କିଂର ବ୍ୟବସ୍ଥା ନକରିବା ପର୍ଯ୍ୟନ୍ତ ଏଭଳି ଭିଡ଼ ଜମିବ ଏବଂ ଜନସାଧାରଣ ଅସୁବିଧା ଭୋଗିବେ । ଆଗକୁ ପୂଜା ବଜାର ଥିବା ବେଳେ ସମ୍ପୃକ୍ତ ସପିଂ ମଲ୍ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ