ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ
ଖୋର୍ଦ୍ଧା (ଜୁଗାବ୍ଦ ନ୍ୟୁଜ୍):ଜିଲ୍ଲାରେ ସାମ୍ଭାବ୍ୟ ବନ୍ୟା ଓ ବାତ୍ୟାର ସଫଳ ମୁକାବିଲା କରିବା ନିମନ୍ତେ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଭୂପିନ୍ଦର ସିଂ ପୁନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭୁବନେଶ୍ୱର ଏକାମ୍ର ବିଧାୟକ ତଥା ବିଜ୍ଞାନ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା, ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ଭୁବନେଶ୍ୱର(ମଧ୍ୟ) ବିଧାୟକ ଅନନ୍ତନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ ପ୍ରମୁଖ ଯୋଗଦେଇ ବୈଠକରୋ ଅଂଶଗ୍ରହଣ କରିଥିଲେ ।
ପ୍ରଳୟଙ୍କରୀ ବାତ୍ୟା ଫାନିରେ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଜିଲ୍ଲା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର କବଳିତ ହେଉଥିବା ପ୍ରରିପ୍ରେକ୍ଷୀରେ ଏହା ଜିଲ୍ଲା ପାଇଁ ଏକ ବଡ ଆହ୍ୱାନ ଓ ଏହାର ସଫଳ ମୁକାବିଲା ନିମନ୍ତେ ସମସ୍ତଙ୍କର ସକ୍ରିୟ ସହଯୋଗର ଆବଶ୍ୟକତା ରହିଥିବା ବୈଠକରେ ଉପସ୍ଥିତ ବିଧାୟକମାନେ ମତବ୍ୟକ୍ତ କରିଥିଲେ । ବୈଠକରେ ଆଲୋଚନା ଅନୁଯାୟୀ ସମସ୍ତ ଜଳସେଚନ ବିଭାଗ ଓ ସମ୍ପୃକ୍ତ ତହସିଲଦାରମାନେ ଦୁର୍ବଳ ନଦୀ ଓ କେନାଲ ବନ୍ଧ ଗୁଡିକର ଯୁଗ୍ମ ତଦନ୍ତ କରି ଜୁନ୍ ୧୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବେ । ଦୁର୍ବଳ ନଦୀ ଓ କେନାଲ ବନ୍ଧର ମରାମତି ମୌସୁମୀ ଆଗମନ ପୂର୍ବରୁ ସାରିବା ପାଇଁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଗଙ୍ଗୁଆ ନାଳ ସମେତ ଜିଲ୍ଲାରେ ପ୍ରବାହିତ ସମସ୍ତ ନଦୀ ଓ ଜଳ ନିଷ୍କାସନ ନାଳ ଓ କେନାଲ ଗୁଡିକରୁ ଦଳ ପରିଷ୍କାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ବିଡିଓ, ପୌର ନିର୍ବାହୀ ଅଧିକାରୀ ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଓ କୃଷି ଉପନିର୍ଦ୍ଦେଶକଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ୭ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅରକ୍ଷୀ ଅଧିକ୍ଷକଙ୍କ ସମେତ ଖୋର୍ଦ୍ଧା ଓ ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଉପଜିଲ୍ଲାପାଳ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ସମସ୍ତ ବ୍ଲକ ଅଧ୍ୟକ୍ଷ, ବିଡିଓ, ତହସିଲ୍ଦାରଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ ।