ନାଉଗାଁରେ କରୋନା ପାଇଁ ଆଇସୋଲେସନ କେନ୍ଦ୍ର
ନାଉଗାଁ:କରୋନା ସଂକ୍ରମଣ ଦେଶବ୍ୟାପୀ ଭୟର ବାତାରଣର ସୃଷ୍ଟି କରିଛି । ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପଂଚାୟତ ସ୍ତରରେ ଆଇସୋଲେସନ କେନ୍ଦ୍ର ଖୋଲାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି କେନ୍ଦ୍ର ଖୋଲା ହେବା ପାଇଁ ପଂଚାୟତର ସିଏଫସି/ଏସଏଫସି ପାଣ୍ଠିରୁ ୫ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯିବ । ଏଥିରେ ବିଦ୍ୟୁତ ସେବା, ପଙ୍ଖା, ପିଇବା ପାଣି, ଶୌଚାଳୟ ବ୍ୟବସ୍ଥା, ୱାସ ବେସିନ, ଇନେଭେଟର ବ୍ୟବସ୍ଥା, ବିୁଦ୍ୟତର ବ୍ୟବସ୍ଥା ନଥିଲେ ଜେନେରେଟର ବ୍ୟବସ୍ଥା ଆଦି କରିବା ପାଇଁ ନିର୍ଦ୍ଦେଶରେ ଦର୍ଶାଯାଇଛି । ରାଜ୍ୟ ଓ ଦେଶ ବାହାରୁ ଆସିଥିବା ଲୋକମାନେ ନିକଟସ୍ଥ ସ୍ଥାସ୍ଥ୍ୟ କେନ୍ଦ୍ରରେ ନାମ ପଂଜିକରଣ କରି ଏଠାରେ ୧୪ ଦିନ ରହି ସ୍ୱାସ୍ଥ୍ୟଗତ ସମସ୍ୟାକୁ ପରିକ୍ଷା କରିପାରିବେ । ଯାହାଫଳରେ ୧୬ଟି ପଂଚାୟତରେ ୧୬ଟି ଆଇସୋଲେସନ କେନ୍ଦ୍ର ଖୋଲା ଯିବା ପାଇଁ ବିଡିଓ ନିର୍ଦ୍ଦେଶ କରିଥିଲେ । ହେଲେ ଆଜି ସୁଦ୍ଧା ୧୫ଟି ପଂଚାୟତରେ ଏହି କେନ୍ଦ୍ରର ଖୋଲା ଯାଇଥିବା ବେଳେ ତିରୁଣା ପଂଚାୟତରେ ଏହି କେନ୍ଦ୍ର ଖୋଲା ଯାଇ ନଥିବା ଦେଖିବାକୁ ମିଳିଥିଲା । ଅପରପକ୍ଷରେ ଖୋଲା ଯାଇଥିବା କେନ୍ଦ୍ର ଗୁଡିକରେ ସ୍କୁଲରେ ଥିବା ବେଂଚ ଗୁଡିକୁ ଯୋଡା ଯାଇ ବେଡ କରାଯାଇଛି । ଏହା ଉପରେ କେବଳ ବେଡସିଟ୍ ବିଛାଯାଇଛି । ଏପରିକି କେନ୍ଦ୍ର ମଧ୍ୟରେ ୱାସ ବେସିନ ଲଗାଯିବା ସହିତ ସାନିଟାଇଜେର ରଖାଯାଇଛି । ହେଲେ କୌଣସି ଗୋଟିଏ କେନ୍ଦ୍ରରେ ବିଦ୍ୟୁତ ସରବରାହ ଜନୀତ ତ୍ରୁଟି ଦେଖା ଦେଲେ ବିକଳ୍ପ ବ୍ୟବସ୍ଥା କରାଯାଇ ନଥିବା ଦେଖିବାକୁ ମିଳୁଛି । ଅନ୍ୟପଟରେ ନାଉଗାଁ ବ୍ଲକରେ ରାଜ୍ୟ ବାହାରୁ ୨୦୯ ଜଣ ଓ ଦେଶ ବାହାରୁ ୧୦ଜଣ ବ୍ୟକ୍ତି ସେମାନଙ୍କର ନାମ ପଂଜିକୃତ କରିଥିବା ବ୍ଲକ ପକ୍ଷରୁ ସୂଚନା ଦିଆଯାଇଛି । ହେଲେ ଉକ୍ତ ଲୋକମାନେ ଉକ୍ତ କେନ୍ଦ୍ର ନ ରହି ବଜାର ଘାଟରେ ଖୁଲମଖୁଲା ବୁଲୁଥିବା ଦେଖାଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ବାହାରୁ ଆସିଥିବା ଲୋକମାନେ ଉକ୍ତ କେନ୍ଦ୍ରରେ ୧୪ଦିନ ରହିବା ସହିତ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପ୍ରତିଦିନ କରାଯିବ । କିନ୍ତୁ ଏହି ନିୟମକୁ ନାଉଗାଁ ବ୍ଲକ ପ୍ରଶାସନ ପକ୍ଷରୁ ପାଳନ କରାଯାଉ ନଥିବା ଦେଖାଯାଇଛି । ଫଳରେ କାର୍ଯ୍ୟକ୍ଷମ ହୋଇଥିବା ଆଇସୋଲେସନ କେନ୍ଦ୍ର ଗୁଡିକ ଫାଙ୍କା ପଡିଛି । ସୂଚନା ଥାଉକି ନାଉଗାଁ ବ୍ଳକର ୧୬ଟି ପଂଚାୟତରେ ୧୬ଟି ଆଇସୋଲେସନ କେନ୍ଦ୍ର ତଥା ଅଲଣା ପଂଚାୟତ ପାଇଁ ଅଲଣାହାଟ ହାଇସ୍କୁଲ, ନୂଆଗାଁର ଶୁଦ୍ଧକଂଠି ହାଇସ୍କୁଲ, ନାଉଗାଁର ନାଉଗାଁହାଟ ହାଇସ୍କୁଲ, ଡାବରର ମହନାପାରୀ ୟୁପି ସ୍କୁଲ,ଡେରିକିର ମଉଳାଭଣଜା ମହାବିଦ୍ୟାଳୟ, ଘୋଡାଂଶର ଓଡପଏଙ୍ଗା ହାଇସ୍କୁଲ, ଗଜରାଜପୁର ର ଗଜରାଜପୁର ହାଇସ୍କୁଲ, ଗଳଦାରୀର ଏରେଡା ହାଇସ୍କୁଲ, ରୋହିଆର ରୋହିଆ ହାଇସ୍କୁଲ, ତିରୁଣାର ତିରୁଣା ହାଇସ୍କୁଲ, ଓଷକଣାର ଭଟଣା ମଧ୍ୟ ଇଂରାଜୀ ବିଦ୍ୟାଳୟ, କୋରୁଅର ଗାରୋଇ ହାଇସ୍କୁଲ, ଶିଖରର ଅଙ୍ଗେଶ୍ୱରପଡା ହାଇସ୍କୁଲ, ଜାମୁଗାଁର କଂଟୁଣିଆ ହାଇସ୍କୁଲ, ବାଂଶର ବାଂଶ ୟୁପି ସ୍କୁଲ, ବଛାଳୋର ବଛାଳୋ ହାଇସ୍କୁଲ ଆଦିକୁ ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଥିଲା ।


