ଟାଟାଷ୍ଟିଲ ଡାକ୍ତରଖାନାରେ ଚିକିତ୍ସା ପାଇଁ ଗର୍ଭବତୀଙ୍କୁ ମନାକଲେ ଡାକ୍ତର
ଆଶାକର୍ମୀ ଓ ମହିଳାଙ୍କୁ ଡାକ୍ତର କଲେ ଗାଳି
ଡାକ୍ତରଖାନା ବାହାରେ ଦୀର୍ଘ ୧ ଘଂଟା ଯନ୍ତ୍ରଣାରେ ଛଟପଟ ହେଲେ ଗର୍ଭବତୀ ମହିଳା
ଯୋଡା (ସମୀର କୁମାର ଦାସ) : ସହରରେ ଥିବା ଟାଟାଷ୍ଟିଲ ଡାକ୍ତରଖାନାରେ ଜଣେ ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତି ଏବଂ ଚିକିତ୍ସା କରିବାକୁ ମନା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଜଣାପଡିଛି ଯେ, ଯୋଡା ପୌରପାଳିକା ୮ ନଂ ଓାର୍ଡର ବାଦଳା ହାଟିଂରେ ରହୁଥିବା ସୁଧା ହେମ୍ବ୍ରମ ନାମ୍ନୀ ଗର୍ଭବତୀ ମହିଳା ଙ୍କର ସୋମବାର ରାତି ପେଟ ଯନ୍ତ୍ରଣା ହେବାରୁ ସ୍ଥାନୀୟ ଓାର୍ଡର ଆଶାକର୍ମୀ ନିରୂପମା ନାଏକ ୧୦୨ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କମାରଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ଗର୍ଭବତୀ ମହିଳା ସୁଧା ନାଏକଙ୍କୁ ଡାକ୍ତରଖାନାରେ ଭର୍ତି କରି ଚିକିତ୍ସା ଆରମ୍ଭ କରିଥିଲେ ଏବଂ ପରେ ଡାକ୍ତରଖାନା ପକ୍ଷରୁ ସୁଧା ନାଏକଙ୍କୁ ଚମ୍ପୁଆ କିମ୍ବା କେନ୍ଦୁଝର ଡାକ୍ତରଖାନାକୁ ନେବା ପାଇଁ ଆଶାକର୍ମୀ ନିରୂପମା ନାଏକଙ୍କୁ କୁହାଯାଇଥିଲା । ମାତ୍ର ଗର୍ଭବତୀ ମହିଳା ଜଣକ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାର ଲୋକେ ଚମ୍ପୁଆ କିମ୍ବା କେନ୍ଦୁଝର ଡାକ୍ତରଖାନାକୁ ନେବା ଅସମର୍ଥ ହୋଇଥିଲେ । ଫଳରେ କମାରଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମହିଳା ଡାକ୍ତର ପୁଷ୍ପାଜଂଳୀ ପ୍ରଧାନ ନିକଟସ୍ଥ ଯୋଡା ଟାଟାଷ୍ଟିଲ ଡାକ୍ତରଖାନାକୁ ନେବା ପାଇଁ ପରାମର୍ଶ ଦେଇଥିଲେ । ଆଶାକର୍ମୀ ନିରୂପମା ନାଏକ ଉକ୍ତ ଗର୍ଭବତୀ ମହିଳାଙ୍କୁ ମଙ୍ଗଳବାର ସକାଳେ ଯୋଡାସ୍ଥିତ ଟାଟାଷ୍ଟିଲ ଡାକ୍ତରଖାନାକୁ ଭର୍ତି କରିବା ପାଇଁ ନେଇଥିଲେ ହେଁ, ଡାକ୍ତରଖାନା ପକ୍ଷରୁ ତାଙ୍କୁ ଚିକିତ୍ସା ପାଇଁ ଭର୍ତି କରାଯାଇନଥିଲା । ଫଳରେ ଦୀର୍ଘ ୧ ଘନ୍ଟା ସମୟ ଧରି ପେଟ ଯନ୍ତ୍ରଣାରେ ମହିଳା ଜଣକ ଡାକ୍ତରଖାନା ବାହାରେ ଚିତ୍କାର କରି ଛଟପଟ ହେଉଥିଲେ । ଏହି ଘଟଣା ସମ୍ପର୍କରେ ଆଶାକର୍ମୀ ନିରୂପମା ନାଏକ ଓ ୮ନଂ ଓାର୍ଡର ଅନ୍ୟ ଜଣେ ମହିଳା ଦୀପା ନାଏକ ଦୁହେଁ ମିଶି ଟାଟାଷ୍ଟିଲ ଡାକ୍ତରଖାନାରେ ଡାକ୍ତର ଏ.କେ. ରାୟ ଙ୍କୁ ଉକ୍ତ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତି କରିବା ପାଇଁ ନିବେଦନ କରିଥିଲେ । ମାତ୍ର ଡାକ୍ତର ଏ,କେ. ଋାୟ ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ନିମନ୍ତେ ଭର୍ତି କରିବା ପରିବର୍ତେ ଆଶାକର୍ମୀ ଓ ମହିଳା ଦୀପା ନାଏକଙ୍କୁ ଓଲଟା ଧମକ ଦେଇଥିଲେ ଏବଂ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତି କରିବା ପାଇଁ ମନା କରିଦେଇଥିଲେ । ଏହାପରେ ଡାକ୍ତରଖାନାର ଅନ୍ୟ ଜଣେ ମହିଳା ଡାକ୍ତର ଦେବଜାନୀ ରାୟ ମଧ୍ୟ ସେଠାକୁ ଆସି ଆଶାକର୍ମୀ ଓ ମହିଳା ଦୀପା ନାଏକ ଙ୍କୁ ଗାଳିଗୁଲଜ କରିଥିବା ମହିଳା ଦୀପା ନାଏକ ଓ ଆଶାକର୍ମୀ ନିରୂପମା ନାଏକ ତାଙ୍କ ଅଭିଯୋଗରେ କହିଛନ୍ତି । ଏହି ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ଡକାଯିବ ଆଶାକର୍ମୀ ନିରୂପମା ନାଏକ କହିବାରୁ , ସଙ୍ଗେ ସଙ୍ଗେ ଉକ୍ତ ଗର୍ଭବତୀ ମହିଳାଙ୍କୁ ଆଇସୋଲେସନ୍ ଓାର୍ଡକୁ ନିଆଯାଇଥିଲା ବୋଲି ଆଶାକର୍ମୀ ନିରୂପମା ନାଏକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ସଂପ୍ରତି ରାଜ୍ୟ ତଥା ଦେଶରେ କରୋନା ଭୂତାଣୁ ମହାମାରୀ ରୂପ ନେଇଥିବା ବେଳେ ଡାକ୍ତର ଏବଂ ଡାକ୍ତରଖାନାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବାବେଳେ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କୁ ଅଣଦେଖା କରିବା ବଡ ଦୁର୍ଭାଗ୍ୟଜନକ ବିଷୟ ବୋଲି ଯୋଡା ବିକାଶ ପରିଷଦରସଭାପତି ନିରଂଜନ ବହିଦାର କହିଛନ୍ତି ।


