ସଙ୍ଗୀତ ଭିତ୍ତିକ ନୃତ୍ୟରେ ଶେଷ ହେଲା ଇଟିକିଲି ମିଟିକିଲ ଉତ୍ସବ
ଭୁବନେଶ୍ୱର, (ଯୁଗାଦ୍ଦ ନ୍ୟୁଜ) : ଆଜି ଥିଲା ଚତୁର୍ବିଂଶତମ ଇଟିକିଲି ମିଟିକିଲିି ଉତ୍ସବ ମଞ୍ଚ କାର୍ଯ୍ୟକ୍ରମର ଦ୍ୱିତୀୟ ଓ ଶେଷ ଦିବସ । ଏହି ଅବସରରେ ସକାଳ ବେଳା ରୟାଲ କଲେଜ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ପ୍ରେକ୍ଷାଳୟରେ ଗୁଞ୍ଜରିତ ହୋଉଥିଲା ସାନସାନ ପିଲାମାନଙ୍କର ମନଛୁଆଁ କଣ୍ଠସଙ୍ଗୀତ, ଯାହାକି ସମଗ୍ର ଶ୍ରୋତାମଣ୍ଡଳୀ ଓ ଉପସ୍ଥିତ ଦର୍ଶକଙ୍କୁ ମୁଗ୍ଧ କରିଦେଉଥିଲା । ସାନସାନ ପିଲାମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ଆମ ରାଜ୍ୟର ବହୁ ଜଣାଶୁଣା ଶିଶୁ-କଣ୍ଠଶିଳ୍ପୀ, ଯେଉଁମାନେ କି ନିୟମିତ ବିଭିନ୍ନ ଟେଲିଭିଜନ ଚ୍ୟାନେଲର ସଙ୍ଗୀତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥାନ୍ତି । ଆଜିର ଏହି କଣ୍ଠସଙ୍ଗୀତ କାର୍ଯ୍ୟକ୍ରମକୁ ଉଦଘାଟନ କରି ପୂର୍ବତନ ମୁଖ୍ୟ ଆୟକର ଆୟୁକ୍ତ ତଥା ବିଶିଷ୍ଟ କବି ଶରତ କୁମାର ଦାଶ ନିଜ ବକ୍ତବ୍ୟରେ ସାନସାନ ପିଲାଙ୍କର ସଙ୍ଗୀତ ପରିବେଷଣ ଶୈଳୀକୁ ବେଶ୍ ପ୍ରଶଂସା କରିଥିଲେ । କଣ୍ଠସଙ୍ଗୀତ କାର୍ଯ୍ୟକ୍ରମରେ ଅତିଥି ତଥା ବିଚାରକ ଭାବରେ ଗୁରୁ ନିମାକାନ୍ତ ରାଉତରାୟ, ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ମଞ୍ଜୁଶ୍ରୀ ତ୍ରିପାଠୀ ଓ କଣ୍ଠଶିଳ୍ପୀ ତଥା ଜଣାଶୁଣା ଘୋଷକ ଜେନାମଣି ସଞ୍ଜିବ କୁମାର ପ୍ରମୁଖ ଯୋଗଦାନ କରି କୃତୀ ପ୍ରତିଯୋଗୀମାନଙ୍କୁ ଚୟନ କରିଥିଲେ । କଣ୍ଠସଙ୍ଗୀତ ପ୍ରତିଯୋଗୀତାରେ ସମଗ୍ର ରାଜ୍ୟରୁ ଦୁଇଟି ବିଭାଗରେ ୬୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ବେଶ୍ ଉଚ୍ଚକୋଟୀର ସଙ୍ଗୀତ ପରିବେଷଣ କରିଥିଲେ । ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ସଙ୍ଗୀତ ଭିତ୍ତିକ ନୃତ୍ୟ ପ୍ରତିଯୋଗିତା ଏବଂ ଏଥିରେ ସମଗ୍ର ରାଜ୍ୟରୁ ଦୁଇଟି ବିଭାଗରେ ୮୨ ଜଣ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରି ବେଶ୍ ସୁନ୍ଦର ଭାବରେ ଦେଶ୍ମାତ୍ମବୋଧକ, ସମ୍ବଲପୁରୀ, ଆଧୁନିକ ତଥା ଅନ୍ୟ ବିଭିନ୍ନ ଶୈଳୀର ଏକକ ନୃତ୍ୟ ପରିବେଷଣ କରି ନିଜ ନିଜର ପାରାକାଷ୍ଠା ପ୍ରତିପାଦନ କରିଥିଲେ । ନୃତ୍ୟ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ରୟାଲ କଲେଜ ପରିଚାଳନା କମିଟିର ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ମାନସୀ ମହାନ୍ତି ସମସ୍ତ କୁନିକୁନି ନୃତ୍ୟଶିଳ୍ପୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ଜଣାଇଥିଲେ । ସଙ୍ଗୀତ ଭିତ୍ତିକ ନୃତ୍ୟ କାର୍ଯ୍ୟକ୍ରମରେ ଅତିଥି ତଥା ବିଚାରକ ଭାବରେ ଗୁରୁ ଦେବବ୍ରତ ଦାସ, ଗୁରୁ ପାର୍ଥସାରଥୀ ଦାଶ ଓ ତପତୀ ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରି କୃତୀ ପ୍ରତିଯୋଗୀମାନଙ୍କୁ ଚୟନ କରିଥିଲେ । ପରିଶେଷରେ ଅନୁଷ୍ଠାନର ସଚିବ ଶରତ କୁମାର ନାୟକ ଦୁଇ ଦିନଯାକ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ସମଗ୍ର ରାଜ୍ୟରୁ ଯୋଗଦେଇଥିବା ସମସ୍ତ ସାନସାନ ପିଲା ଓ ସେମାନଙ୍କର ଅବିଭାବକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ଆୟୋଜିତ ଶେଷ ଦିବସର କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅନ୍ୟାନ୍ୟ କର୍ମକର୍ତ୍ତା ଯଥା, ସହ-ସଚିବ ଜୟପ୍ରକାଶ ମିଶ୍ର, ସାଂସ୍କୃତିକ ସଂପାଦିକା ଅନୀତା ରଥ, ତୃପ୍ତି ବାରିକ, ପ୍ରିୟଦର୍ଶୀ ଶୁଭକାନ୍ତ ଓ ଶିଳ୍ପୀତା ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ ।