କୋରୋନା ଆଣିବ ଭୟଙ୍କର ଖାଦ୍ୟ ସଙ୍କଟ!
ପ୍ୟାରିସ: କୋରୋନା ଭାଇରସ ସ୍ଥିତି ବିଗାଡ଼ିବାରେ ଲାଗିଛି। ବିଶ୍ୱର ପ୍ରାୟ ସବୁ ଲୋକ ଏବେ ଲକ୍ଡାଉନ୍ରେ ରହିଥିବା ବେଳେ ଖାଦ୍ୟଶସ୍ୟ ଉତ୍ପାଦନଠାରୁ ଆରମ୍ଭ କରି ଖାଦ୍ୟ ଯୋଗାଣ, ଅନ୍ତର୍ଜାତୀୟ ବାଣିଜ୍ୟ ବ୍ୟବସାୟ ସବୁକିଛି ଠପ୍ ହୋଇପଡ଼ିଛି। ଲୋକମାନେ ମଧ୍ୟ ଭୟଭୀତ ହୋଇ ଅଧିକରୁ ଅଧିକ କ୍ରୟ କରିବାରେ ଲାଗିଛନ୍ତି। ବହୁ ଦେଶର ସୁପର ମାର୍କେଟରେ ଏବେ ଖାଦ୍ୟ ଅଭାବ ପରିଲକ୍ଷିତ ହେଲାଣି। ଏବେଠାରୁ ସଚେତନ ନ ହେଲେ ଓ ଅଧିକାରୀମାନେ ପଦକ୍ଷେପ ଗ୍ରହଣ ନ କଲେ ପରିସ୍ଥିତି ଆଗକୁ ଭୟଙ୍କର ରୂପ ଧାରଣ କରିବ ବୋଲି ଜାତିସଂଘ (ୟୁଏନ୍), ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ) ଓ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ଚେତାବନୀ ଦିଆଯାଇଛି। ଉତ୍ପାଦନ ଓ ଯୋଗାଣ ପ୍ରକ୍ରିୟା ବନ୍ଦ ରହିଥିବାରୁ ଏଭଳି ସ୍ଥିତି ଦେଖାଦେଇଛି। ଫଳରେ ବିଶ୍ୱ ଭୟଙ୍କର ଖାଦ୍ୟ ସଙ୍କଟ ଆଡ଼କୁ ମୁହାଁଉଛି ବୋଲି ବିଶ୍ୱର ୩ ପ୍ରମୁଖ ସଂସ୍ଥା ପକ୍ଷରୁ କୁହାଯାଇଛି। ଆମଦାନି, ରପ୍ତାନୀ ବନ୍ଦ ଯୋଗୁ ବିଶ୍ୱବଜାର ଏକପ୍ରକାର ସ୍ଥାଣୁ ପାଲଟିଥିବା କହିଛନ୍ତି ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନ (ଫାଓ)ର ମୁଖ୍ୟ କୁ ଡୋଙ୍ଗୟୁ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ)ର ମହାନିର୍ଦେଶକ ଟେଡ୍ରୋସ୍ ଆଧାନମ୍ ଘେବ୍ରେୟେସସ୍ ଏବଂ ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ) ର ନିର୍ଦେଶକ ରୋବେର୍ଟୋ ଆଜେଭେଡୋ ମଧ୍ୟ ସମାନ କଥା କହିଛନ୍ତି। କୋଭିଡ୍-୧୯ ଲକ୍ଡାଉନ୍ ସତ୍ତ୍ୱେ ବିଭିନ୍ନ ଖାଦ୍ୟ ସାମଗ୍ରୀର ବ୍ୟବସ୍ଥା କରାଯିବା ଉଚିତ ବୋଲି ଏମାନେ ଦର୍ଶାଇଛନ୍ତି। ଏଥିସହ ମୁକ୍ତ ବାଣିଜ୍ୟ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଖାଦ୍ୟ ଯୋଗାଣ ପ୍ରକ୍ରିୟା ଯେପରି ବନ୍ଦ ନ ହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯିବା ନିହାତି ଆବଶ୍ୟକ।