ନନ୍ଦାଦେବୀରୁ ଠାବ ହେଲା ୫ ମୃତଦେହ
ଡେରାଡୁନ୍(ଏଜେନ୍ସି): ଉତ୍ତରାଖଣ୍ଡର ନନ୍ଦାଦେବୀ ପର୍ବତରେ ହିମ ସ୍ଖଳନ ଯୋଗୁ ନିଖୋଜ ଥିବା ୮ ପର୍ବତ ଆରୋହୀଙ୍କ ମଧ୍ୟରୁ ସୋମବାର ୫ ଜଣଙ୍କ ମୃତଦେହ ଠାବ କରାଯାଇଛି । ବାୟୁସେନା ପକ୍ଷରୁ ହେଲିକପ୍ଟର ଦ୍ୱାରା ଚାଲିଥିବା ସର୍ଚ୍ଚ ଅପରେସନ ବେଳେ ଏହାକୁ ଠାବ କରାଯାଇଥିଲା । ନନ୍ଦା ଦେବୀ ହେଉଛି ଭାରତର ଦ୍ୱିତୀୟ ଉଚ୍ଚତମ ପର୍ବତ । ଶୁକ୍ରବାର ୮ଜଣ ପର୍ବତାରୋହୀ ଏହା ଉପରକୁ ଚଢ଼ୂୁଥିବା ବେଳେ ବରଫ ସ୍ଖଳନ ହୋଇଥିଲା । ସେବେଠାରୁ ସେମାନେ ନିଖୋଜ ରହିଥିଲେ । ଏହି ନିଖୋଜ ପର୍ବତ ଆରୋହୀଙ୍କ ମଧ୍ୟରେ ୪ଜଣ ବ୍ରିଟେନର ହୋଇଥିବା ବେଳେ ୨ ଜଣ ଆମେରିକାର ରହିଛନ୍ତି । ଏଥିସହ ଭାରତ ଓ ଅଷ୍ଟ୍ରେଲିଆର ଜଣେ ଲେଖାଏଁ ବ୍ୟକ୍ତି ରହିଥିବା ଜଣାପଡ଼ିଛି । ରବିବାର ଦିନ ପର୍ବତର ଦ୍ୱିତୀୟ ବେସ୍ କ୍ୟାମ୍ପରୁ ଉଦ୍ଧାର ହୋଇଥିବା ପର୍ବତରୋହୀ ମାର୍କ ଟମାସ୍ ସୋମବାର ବାୟୁସେନାର ହେଲିକପ୍ଟରରେ ଯାଇ ସର୍ଚ୍ଚ ଅପରେସନରେ ସାମିଲ ହୋଇଥିଲେ । ଏହି ସମୟରେ ଟମାସ କିଛି ସ୍ଥାନର ଫଟୋ ମଧ୍ୟ ଉଠାଇଥିଲେ । ଏହି ଫଟୋରୁ ହିଁ ନିଖୋଜ ୮ଜଣ ପର୍ବତ ଆରୋହୀଙ୍କ ମଧ୍ୟରୁ ୫ଜଣଙ୍କ ମୃତଦେହ ଠାବ ହୋଇଥିଲା ।


