କ୍ରୀଡ଼ାବିତଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା: ୫-ଏସ୍ ମନ୍ତ୍ର ଉପରେ ଗୁରୁତ୍ବ
ନୂଆଦିଲ୍ଲୀ: ସାମ୍ପ୍ରତିକ ସମୟରେ ସମଗ୍ର ବିଶ୍ବକୁ କୋରୋନା ଭୂତାଣୁ ଜନିତ ମହାମାରୀ ଗ୍ରାସ କରିବାକୁ ବସିଥିବା ବେଳେ ଭାରତରେ ଏହାର ବ୍ୟାପକତାକୁ ରୋକିବା ସକାଶେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି। ତେବେ ଏହି ଲକଡାଉନ ନିୟମ ପାଳନ କ୍ଷେତ୍ରରେ ଅନେକ ସହଯୋଗ କରୁ ନ ଥିବା ଦେଖାଯାଉଛି। ତେଣୁ ପ୍ରଧାନମନ୍ତ୍ରୀ ଏହି ଲକଡାଉନର ଅବଶିଷ୍ଟ ଦିନଗୁଡ଼ିକୁ ସଫଳ କରିବା ସକାଶେ ଦେଶର ପ୍ରମୁଖ କ୍ରୀଡ଼ାବିତମାନଙ୍କ ସହଯୋଗ ଲୋଡ଼ିଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିଶ୍ବର ମହାନ ଖେଳାଳି ସଚିନ୍ ତେନ୍ଦୁଲକର, ବର୍ତ୍ତମାନର ଅଧିନାୟକ ବିରାଟ କୋହଲି ଓ ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ବିସିସିଆଇର ସଭାପତି ଥିବା ସୌରଭ ଗାଙ୍ଗୁଲିଙ୍କ ସମେତ ୪୦ ଜଣ ଖେଳାଳିଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା ଅବସରରେ ପ୍ରଧାନମନ୍ତ୍ରୀ ୫-ଏସ୍ ମନ୍ତ୍ର ଉପରେ ଗୁରୁତ୍ବ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମତରେ କୋରୋନାକୁ ପ୍ରତିହତ କରିବାକୁ ହେଲେ ଆମକୁ ସଙ୍କଳ୍ପ, ସଂଯମତା, ସକାରାତ୍ମକତା, ସମ୍ମାନ ଓ ସହଯୋଗ ଉପରେ ଫୋକସ୍ କରିବାକୁ ପଡ଼ିବ। କ୍ରୀଡ଼ାବିତମାନେ ଦେଶ ପାଇଁ ଗୌରବ ଆଣିବା ସହ ସମାଜର ନୈତିକ ମନୋବଳ ବଢ଼ାଇବା ଓ ସକାରାତ୍ମକତାର ବାତାବରଣ ସୃଷ୍ଟି କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
କୋରୋନା ଯୁଦ୍ଧ ସହ ଲଢ଼େଇ କରୁଥିବା ଦେଶର ଡାକ୍ତର ଓ ନର୍ସ ଏବଂ ପୋଲିସ୍ କର୍ମଚାରୀମାନଙ୍କ ଉତ୍ସାହ ବଢ଼ାଇଥିବାରୁ ଏହି କ୍ରୀଡ଼ାବିତମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଥିବା ଜଣାପଡ଼ିଛି। ସେହିପରି ଖେଳାଳିମାନେ ଶୃଙ୍ଖଳା, ମାନସିକ ସବଳତା, ଫିଟନେସ୍ ଆଦି ଉପରେ ମଧ୍ୟ ଆଲୋଚନା କରିଥିଲେ। ଏହି ଭିଡିଓ କନଫରେନ୍ସିଂରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁଙ୍କ ସମେତ ସମୁଦାୟ ୪୯ ଜଣ କ୍ରୀଡ଼ା ସହ ଜଡ଼ିତ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ। ଏହି ଖେଳାଳିମାନେ ସେମାନଙ୍କ ସୋସାଲ୍ ମିଡିଆ ପେଜ୍ ମାଧ୍ୟମରେ ଦେଶର ଜନସାଧାରଣଙ୍କ ମଧ୍ୟରେ ଲକଡାଉନ୍ ଓ କୋରୋନା ଭୂତାଣୁ ସହ ଲଢ଼େଇ ଦିଗରେ ସଚେତନତା ସ୍ଷ୍ଟି କରିବା ସକାଶେ ଉଦ୍ୟମ କରିବାକୁ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଅନୁରୋଧ କରାଯାଇଥିବା କୁହାଯାଇଛି। କୋହଲିଙ୍କ ସମେତ ୧୨ ଜଣ କ୍ରୀଡ଼ାବିତ୍ ୩ ମିନିଟ୍ ଲେଖାଏଁ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହାଛଡ଼ା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି, ଜାହିର୍ ଖାନ୍, ରୋହିତ ଶର୍ମା, ଯୁବରାଜ ସିଂହ, ଲୋକେଶ ରାହୁଲ୍ ରହିଥିବା ଅଲିମ୍ପିକରେ ରୌପ୍ୟ ପଦକ ଜିତିଥିବା ଶଟଲର୍ ପିଭି ସିନ୍ଧୁ, ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରା, ଚେସ୍ କିମ୍ବଦନ୍ତୀ ବିଶ୍ବନାଥନ୍ ଆନନ୍ଦ, ଧାବିକା ହିମା ଦାସ, ବକ୍ସିଂ କିମ୍ବଦନ୍ତୀ ଏମସି ମ୍ୟାରିକମ୍, ଅମିତ୍ ପାଙ୍ଗଲ, ରେସଲର୍ ବିଦେଶ ଫୋଗାଟ୍ ଓ ଯୁବ ଶୁଟର୍ ମନୁ ଭାକେର୍ ପ୍ରମୁଖ ରହିଥିଲେ।