ଜିଲ୍ଲାପାଳଙ୍କ ପରାମର୍ଶ , ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଶ୍ଚିତଭାବେ ରହିବେ ବାହାର ରାଜ୍ୟରୁ ଫେରୁଥବା ବ୍ୟକ୍ତି

ବୁଗୁଡା,(ଅନିଲ କୁମାର ମହାରଣା):ବାହାର ରାଜ୍ୟରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଫେରୁଥବା ବ୍ୟକ୍ତିମାନେ ଘରେ ସଙ୍ଗରୋଧରେ ନରହି ବାହାରେ ବୁଲୁଥିବା ଖବର ପ୍ରଚାରିତ ହେବାପରେ, ବାହାର ରାଜ୍ୟରୁ ଘରକୁ ଫେରୁଥବା ବ୍ୟକ୍ତିମାନେ ନିଶ୍ଚିତ ଭାବେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିବାକୁ ଶୁକ୍ରବାର ଦିନ ବୁଗୁଡା ଗସ୍ତବେଳେ ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। ସେହି ଦୃଷ୍ଟିରୁ ବୁଗୁଡା ବିଡ଼ିଓ ଶ୍ରୀ ପାତ୍ର ବ୍ଲକର ସମସ୍ତ ସରପଞ୍ଚ ଓ ଅନ୍ୟାନ କର୍ମଚାରୀ ବୃନ୍ଦଙ୍କୁ ନେଇ ଶୁକ୍ରବାର ଦିନ ଅପରାହ୍ନରେ ଏକ ଜରୁରୀକାଳୀନ ବୈଠକ ଡାକିଥିଲେ। ବିଡ଼ିଓ ଶ୍ରୀ ପାତ୍ର ସମସ୍ତ ସରପଞ୍ଚ ମାନଙ୍କୁ କରୋନା ସଂକ୍ରମଣର ଭୟାବହକୁ ବୁଝାଇବା ସହ ଜିଲ୍ଲାପାଳଙ୍କ ପରାମର୍ଶ ଉତ୍ଥାପନ କରିଥିଲେ।ବୈଠକରେ ପ୍ରତି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯେପରି ୧୫୦ ରୁ ୨୦୦ ଜଣ ସନ୍ଦିଗ୍ଧ ବ୍ୟକ୍ତି ରହି ପାରିବେ ସେଥିପାଇଁ ଶଯ୍ୟା ବଦଳରେ ସୂତା ଦରି କ୍ରୟ , ପ୍ରତି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କ ପାଇଁ ଦୁଇଟି ଓ ପୁରୁଷଙ୍କ ପାଇଁ ଦୁଇଟି ଲେଖାଏଁ ଟିଣ ଛପର ପାଇଖାନା ନିର୍ମାଣ, ପ୍ରତି କେନ୍ଦ୍ର ପାଇଁ ଗୋଟିଏ ଲେଖାଏଁ ପାଣିଟାଙ୍କି ବସାଇ ସେଥିରେ ହାଲୋଜିନ ବଟିକା ପକାଇ ପାନୀୟ ଜଳକୁ ବିଶୋଧନ କରିବା ପାଇଁ ଆବଶ୍ୟକ ଅର୍ଥ ପଞ୍ଚାୟତର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ସ୍ଥଗିତ ରଖି ସେହି ଟଙ୍କା ଖର୍ଚ୍ଚ କରିବାକୁ ସ୍ଥିର କରାଗଲା। ଆସନ୍ତା ଏପିଲ ୧୪ ତାରିଖ ମଧ୍ୟରେ ଏସମସ୍ତ ପସ୍ତୁତି କରିବାକୁ ଠିକ କରାଗଲା। ଆଜିଠାରୁ ସାତଟି ପଞ୍ଚାୟତରେ ରାସନ କାର୍ଡ଼ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ପ୍ରଦାନ ଆରମ୍ଭ ହୋଇଥିବା ବେଳେ ପଞ୍ଜୀକୃତ ନିର୍ମାଣ ଶ୍ରମିକ ମାନେ ସେମାନଙ୍କ ପ୍ରମାଣ ପତ୍ର ନକଲ ଓ ବ୍ୟାଙ୍କ ଆକାଉଣ୍ଟ ପ୍ରଦାନ କଲାପରେ ୧୫୦୦ ଟଙ୍କା ଆକାଉଣ୍ଟକୁ ପ୍ରଦାନ କରାଯିବ ବୋଲି ବିଡ଼ିଓ ଶ୍ରୀ ପାତ୍ର ପ୍ରକାଶ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ବୃନ୍ଦ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବୃନ୍ଦ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ