ହିଞ୍ଜିଳିକାଟୁରେ ଶଟଡ଼ାଉନ : ରାସ୍ତାଘାଟ ଜନଶୂନ୍ୟ
ହିଞ୍ଜିଳିକାଟୁ (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମଗ୍ର ଜିଲ୍ଲାରେ ଆଂଶିକ ଶଟଡ଼ାଉନ ଅର୍ଥାତ ୧୯ ଘଂଟିଆ ଶଟନାଉନ ଘୋଷଣା କରାଯାଇଛି । ରବିବାର ଏହାର ପ୍ରଭାବରେ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ରାସ୍ତାଘାଟ ସମ୍ପୁର୍ଣ୍ଣ ଜନଶୂନ୍ୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । ଲକଡ଼ାଉନ ଜାରି କରାଯିବା ସତ୍ୱେ ଅନେକ ସମୟରେ ଲୋକେ ବିଭିନ୍ନ ଆଳରେ ପ୍ରଶାସନର ନିୟମକୁ ଅବମାନାନା କରୁଥିବା ଦେଖିବାକୁ ମିଳିଥିଲା । ଏହାକୁ ଦୃଷ୍ଟି ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ରବିବାର ଠାରୁ କଡ଼ା ପଦକ୍ଷେପ ଗ୍ରହଣ କରାଯିବା ନେଇ ଘୋଷଣା କରାଯାଇଥିଲା । ମଧ୍ୟାନ୍ନ ୧୨ ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ସହରରେ ଚଳପ୍ରଚଳ ଉପରେ ସମ୍ପୁର୍ଣ୍ଣ ରୋକ ଲଗାଯିବା ସହ ଯାନବାହନ ଚଳାଚଳ ଉପରେ ମଧ୍ୟ କଟକଣା ଜାରି କରାଯାଇଥିଲା । ଏହାକୁ ଖିଲାପ କଲେ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠଶନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ପୁଲିସ ଓ ପୌର ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାର୍ଯ୍ୟରେ ସଚେତନ କରାଯାଇଥିଲା । ଏହିକ୍ରମରେ ରବିବାର ସକାଳୁ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଥିଲା । ସ୍ଥାନୀୟ ପୌରାଂଚଳର ବିଭିନ୍ନ ପ୍ରମୁଖ ଛକ ସମେତ ବଇଁଚବଣିଆ, ରଜା ସାହି, ବିଜୁ ପଟ୍ଟନାୟକ ଛକ, ତହସିଲ ଛକ, କାଳୀମନ୍ଦିର ଛକ, ଖଣ୍ଡରା ଛକ, ପରିବା ବଜାର ଭଳି ଜନଗହଳିପୁର୍ଣ୍ଣ ରାସ୍ତାରେ ପ୍ରଶାସନ ପକ୍ଷରୁ ନାକାବନ୍ଦି କରାଯାଇଥିଲା । ଅନୁରୂପ ଭାବେ ଶଟଡ଼ାଉନର ଦ୍ୱିତୀୟ ଦିବସ ସୋମବାର ମଧ୍ୟ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ବିଭିନ୍ନ ଛକରେ ଯାନାବାହନ ଯାଂଚ କଡ଼ାକଡ଼ି କରାଯିବା ସହ ଖିିଲାପକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।


