୨୪ ଘଣ୍ଟାରେ ନ୍ୟୁୟର୍କରେ ୭୩୧ ମୃତ

ନ୍ୟୁୟର୍କ: ଆମେରିକାରେ କୋରୋନା ଭୂତାଣୁର ଭୟାବହତା ଥମିବାର ନାଁ ନେଉନାହିଁ। ବିଶେଷକରି ନ୍ୟୁୟର୍କ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମଙ୍ଗଳବାର ଏଠାରେ ୭୩୧ ଜଣ ମୃତ୍ୟୁବରଣ କରିଛି। ଅଦ୍ୟାବଧି ନ୍ୟୁୟର୍କରେ ଏହା ୨୪ ଘଣ୍ଟା ଭିତରେ ସର୍ବାଧିକ। ଏଥିସହ ଏହି ରାଜ୍ୟରେ ମୃତ୍ୟୁସଂଖ୍ୟା ୫ ହଜାର ୪୮୯ରେ ପହଞ୍ଚିଛି ବୋଲି ଗଭର୍ଣ୍ଣର୍ ଆଣ୍ଡ୍ୟ୍ରୁ କୁଓମୋ କହିଛନ୍ତି। ନ୍ୟୁୟର୍କରେ ସ୍ଥିତି ବିଗୁଡ଼ୁଥିବାରୁ ସୋମବାର କୁଓମୋ ଏଠାରେ ଲକଡାଉନ୍ ଅବଧିକୁ ଆସନ୍ତା ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇଦେଇଥିଲେ। କିନ୍ତୁ ମଙ୍ଗଳବାର ଏହା ୨୪ ଘଣ୍ଟା ଭିତରେ ସର୍ବାଧିକ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁର ମୂକସାକ୍ଷୀ ପାଲଟିଛି। ପୂର୍ବରୁ ଗତ ଶୁକ୍ରବାର ଏଠାରେ ଗୋଟିଏ ଦିନରେ ୬୩୦ ଜଣ ମରିଥିବା ବେଳେ ମଙ୍ଗଳବାର ସୁଦ୍ଧା ଏହା ସର୍ବାଧିକ ରହିଥିଲା। ଏଥିସହ ଆମେରିକାରେ କୋରୋନା ଅଦ୍ୟାବଧି ୧୨ ହଜାର ୮୫୪ ଜଣଙ୍କ ଜୀବନ ନେଇସାରିଲାଣି ବୋଲି ଜନ୍ସ ହପକିନ୍ସ ୟୁନିଭର୍ସିଟି ପକ୍ଷରୁ କୁହାଯାଇଛି। ସେହିପରି ସମଗ୍ର ବିଶ୍ବରେ ମଙ୍ଗଳବାର ସୁଦ୍ଧା ୮୨ ହଜାର ୮୦ ଜଣ ମୃତ୍ୟୁବରଣ କରିସାରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୩୧ ହଜାର ୭୦୬ରେ ପହଞ୍ଚିଛି। ସେହିପରି ଅଦ୍ୟାବଧି ୩ ଲକ୍ଷ ୨ ହଜାର ୧୫୦ ଜଣ ସୁସ୍ଥତା ଲାଭ କରିସାରିଛନ୍ତି।
ତେବେ ଗତ ୨୪ ଘଣ୍ଟାରେ ଆମେରିକାରେ ସର୍ବାଧିକ ୧ ହଜାର ୩୬ ଜଣ ମୃତ୍ୟୁବରଣ କରିଛନ୍ତି। ଏହାଛଡ଼ା ଯୁକ୍ତରାଜ୍ୟରେ ଗୋଟିଏ ଦିନ ଭିତରେ ୭୮୬ ଜଣଙ୍କର ମୃତ୍ୟୁ ଘଟିବା ଫଳରେ ଏଠାରେ ମୃତକଙ୍କ ସଂଖ୍ୟା ୬ ହଜାର ୧୫୯ରେ ପହଞ୍ଚିଯାଇଛି। ଗୋଟିଏ ଦିନରେ ଦେଶରେ ଏହା ସର୍ବାଧିକ ମୃତ୍ୟୁ। ଏଠାରେ ଗତ ଦୁଇ ଦିନ ହେଲା ମୃତ୍ୟୁସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ ଘଟିଥିଲେ ମଧ୍ୟ ମଙ୍ଗଳବାର ରେକର୍ଡ ସଂଖ୍ୟାରେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଇଟାଲୀରେ ଗତ ୨୪ ଘଣ୍ଟା ଭିତରେ ୬୦୪, ସ୍ପେନରେ ୫୫୬, ବେଲଜିୟମରେ ୪୦୩ ଜଣ ମୃତ୍ୟୁବରଣ କରିଛନ୍ତି। ସେହିପରି ଆକ୍ରାନ୍ତଙ୍କ କ୍ଷେତ୍ରରେ ଆମେରିକା ସବୁଠାରୁ ଆଗରେ ଥିବା ବେଳେ ଏଠାରେ ଏହି ସଂଖ୍ୟା ୪ ଲକ୍ଷ ୪୧୨ରେ ପହଞ୍ଚିଛି। ସେହିପରି ସ୍ପେନରେ ଦ୍ବିତୀୟ ସର୍ବାଧିକ ୧ ଲକ୍ଷ ୪୧ ହଜାର ୯୪୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଇଟାଲୀରେ ୧ ଲକ୍ଷ ୩୫ ହଜାର ୫୮୬, ଜର୍ମାନୀରେ ୧ ଲକ୍ଷ ୭ ହଜାର ୬୬୩, ଫ୍ରାନ୍ସରେ ୧ ଲକ୍ଷ ୯ ହଜାର ୬୯ ଜଣ ଆକ୍ରାନ୍ତ ହୋଇଛନ୍ତି। କୋରୋନା ଭୂତାଣୁଜନିତ ମୃତ୍ୟୁସଂଖ୍ୟାରେ ଇଟାଲୀ ସବୁଠାରୁ ଉପରେ ଥିବା ବେଳେ ଏଠାରେ ୧୭ ହଜାର ୧୨୭ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏହାଛଡ଼ା ସ୍ପେନରେ ଏହି ସଂଖ୍ୟା ୧୪ ହଜାର ୪୫ରେ ପହଞ୍ଚିସାରିଛି। ସେହିପରି ଫ୍ରାନ୍ସରେ ୧୦ ହଜାର ୩୨୮ ଜଣ ମୃତ୍ୟୁବରଣ କରିଥିବା ବେଳେ ଯୁକ୍ତରାଜ୍ୟରେ ଏହି ସଂଖ୍ୟା ୬ ହଜାର ୧୫୯ ରହିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ