ପୂର୍ବତନ ମନ୍ତ୍ରୀ ସନାତନ ବିଶିଙ୍କ ପରଲୋକ

ସମ୍ବଲପୁର: ଓଡ଼ିଶାର ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଏବଂ ପୂର୍ବତନ ରାଜ୍ୟସଭା ସଦସ୍ୟ ସନାତନ ବିଶିଙ୍କର ପରଲୋକ ହୋଇଯାଇଛି। ମଙ୍ଗଳବାର ୬ଟାରେ ସମ୍ବଲପୁର ସହରର ଦଳେଇପଡ଼ାସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବାର ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ଯାଜ୍ଞସେନୀଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।
ସନାତନ ବିଶି ୧୯୯୪ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହା ପର୍ଯ୍ୟନ୍ତ ସେ ରାଜ୍ୟସଭାର ସଦସ୍ୟ ଥିଲେ। ଏହାପରେ ସେ ୨୦୦୦ ଓ ୨୦୦୪ରେ ଦୁଇ ଥର ବିଜେଡି ଟିକେଟ୍‌ରେ ରେଢାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଦ୍ୱିତୀୟ ଥର ବିଜୟୀ ହେବା ପରେ ସେ ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାବେ ବି ଦାୟିତ୍ବ ନିର୍ବାହ କରିଥିଲେ। ଏହା ପରେ ସେ ଆଉ ନିର୍ବାଚନ ଲଢ଼ି ନ ଥିଲେ। ସନାତନ ବିଶି ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସନାତନ ଜଣେ ଦୃଢ ସଂଗଠନ ଭାବେ ବେଶ ଜଣାଶୁଣା। ତାଙ୍କ ପରଲୋକରେ ବିଭିନ୍ନ ବର୍ଗର ଲୋକେ ଶୋକ ପ୍ରକାଶ କରିଛନ୍ତି। ସନାତନଙ୍କୁ ଶେଷ ଦର୍ଶନ ଲାଗି ତାଙ୍କ ବାସଭବନରେ ବରିଷ୍ଠ ରାଜନେତାମାନେ ପହଞ୍ଚୁଥିବା ଜଣାପଡ଼ିଛି।
ସନାତନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି ଲେଖିଛନ୍ତି, ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ମନ୍ତ୍ରୀ ସନାତନ ବିସିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କର ସରଳତା ତାଙ୍କୁ ସମସ୍ତଙ୍କ ପ୍ରିୟ କରିଥିଲା। ତାଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି। ସନାତନ ବିଶିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ନିଜ ଟ୍ବିଟ୍‌ରେ ଲେଖିଛନ୍ତି, ଓଡ଼ିଶାର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସନାତନ ବିଶିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ