ମୋ ସ୍ୱପ୍ନର କୋରାପୁଟ
ମାୟାଧର ନାୟକ
କୋରାପୁଟ! କେତେ କୌତୂହଳର କସ୍ତୁରୀମୃଗ ନାଭିରେ ସୁଗନ୍ଧିତ ବିଭୋର ବିସ୍ମୟ!! ଏଠି ମେଘ ସହ ତାଳଦେଇ ନାଚେ ମୟୂର – ଅନବରତ ଗୀତ ଗାଉଥାଏ ପାହାଡ଼ି ଝରଣା । ଘନ ଛାୟାନ୍ଧକାରର ପୃଷ୍ଠଭୂମିରେ ଏଠି କୋରାପୁଟିଆ ଜନଜାତିର ମଶାଲ୍ବାହୀ ମଣିଷମାନେ ଜଣେ ଜଣେ ଅମୃତର ସନ୍ତାନ । ଏଠିକା ନିଦମାଟିର ବାସ୍ନା, ଚୋରାପବନର ସୁରଭି, ମତୁଆଲା ମନଖୋଲା ହସ, ସଜପଖଳା ପ୍ରକୃତିର ସଦାସବୁଜ ସ୍ନେହବୋଳା ସ୍ପର୍ଶ ବଂଚିବାର ଭାବୋଚ୍ଛ୍ୱାସ ଉଦ୍ରେକ କରାଏ । ପାରମ୍ପରିକ ଜ୍ଞାନକୌଶଳର ଅସରନ୍ତି ଭଣ୍ଡାର ଏ ଭବ୍ୟଭୂମି । ମୌଳିକ ସଂସ୍କୃତିର ମୌନମନ୍ମୟୀ ମର୍ମସ୍ଥଳୀ । ବିରଳ ଜୈବ ବିବିଧତାର ଜୀବନୋଚ୍ଛଳ ଭୂଭାଗ । ମାନବୀୟ ଦର୍ଶନତତ୍ତ୍ୱର ପ୍ରାକୃତିକ ପ୍ରୟୋଗଶାଳା । ଅପୂର୍ବ ରୂପରାଜିର ଉର୍ବଶୀ ଉପତ୍ୟକା । କୋରାପୁଟ୍ … କୋରାପୁଟ୍ … କୋରାପୁଟ୍ … ଜଙ୍ଗଲୀ ଜମିରୁ ଭାସିଆସି ଯେଉଁଠି କେତେ କଲୋନୀ-ଜହ୍ନରାତିକୁ ଆଜି ବି ଥରାଇଦିଏ କେଉଁ କାପ୍ତୀକାନ୍ଦଣାର କଲିଜାଚିରା କରୁଣଲହରୀ : ଉଠ୍ରେ ପୁତା, ଉଠ୍! କୋରାପୁଟ୍ … କୋଉ କଥାକୁହା କାଠପଥରରୁ କଟାଗଛର କୋରାପୁଟ୍ … ଏ ମା ଓଡ଼ିଶାଭୂଇଁର ଗେରୁଆ ଗାଲରେ ଗାଢ଼ ଗୋଟାଏ ସୁନ୍ଦର କଳାଜାଈ ଆଜି ବି ଅମୂଲମୂଲ ଆଦିମ ମଣିଷ-ମୁଲକର ମଥା ଉପରେ ତା ମେଘଢଙ୍କା ତନୁପାତଳୀ ତରାଫୁଲର ତୋଳାଅତୋଳା ତରାଟଛାଇ!
କୋରାପୁଟର ଆଦିବାସୀ ଆଦିମ ଅଧିବାସୀ । ଦ୍ରାବିଡ଼ ଆର୍ଯ୍ୟମାନଙ୍କ ପୂର୍ବରୁ ଏମାନଙ୍କର ଭାରତରେ ବସବାସ । ହଜାରହଜାର ବର୍ଷ ତଳେ ଏଇ କୋରାପୁଟର ଦଣ୍ଡକାରଣ୍ୟରେ ବନବାସ ଜୀବନ ବିତାଇଥିଲେ ରାମାୟଣର ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର – କିଂବଦନ୍ତୀର କଥନ ଇଏ । ମହାଭାରତରେ ଶ୍ରୀକୃଷ୍ଣଙ୍କୁ ଜରାଶବର ତୀର ମାରିଥିବା କଥା ଆମ ଚଉଦପୁରୁଷର ଚିତ୍ରପଟ କହୁଛି । ରାମାୟଣର ସୀତାକୁଣ୍ଡ, ବଣ୍ଡାପାହାଡ଼, ମାଲ୍ୟବନ୍ତଗିରି ଦଣ୍ଡକାରଣ୍ୟ, ମହେନ୍ଦ୍ରଗିରି, ଗନ୍ଧମାର୍ଦ୍ଦନ ପାହାଡ଼ ସେ ଚିତ୍ରପଟର ଚେନାଏ ଚେନାଏ ଚିହ୍ନବର୍ଣ୍ଣ । ଗଜପତି ପୁରୁଷୋତ୍ତମ ଦେବ କାଞ୍ଚି ବିଜୟ କରି ଫେରିଲାବେଳେ ଏଇ କୋରାପୁଟିଆ ତାଙ୍କ ହାତରୁ ମା’ ଦୁର୍ଗାଙ୍କର ପ୍ରତିମୂର୍ତ୍ତି ଛଡ଼ାଇ ନେଇଥିଲେ । ଦେଶର ପାର୍ବତ୍ୟାଞ୍ଚଳରେ ୪୩୨ ପ୍ରକାର ଜନଜାତି । ମଧ୍ୟପ୍ରଦେଶ ପରେ ଓଡ଼ିଶା ୨ୟ ଆଦିବାସୀବହୁଳ ରାଜ୍ୟ । ଓଡ଼ିଶାର ୧ ଲକ୍ଷ ୫୫ ହଜାର ବର୍ଗ କି.ମି. କ୍ଷେତ୍ରଫଳ ଭିତରୁ ୭୦ ହଜାର ବର୍ଗକିଲୋମିଟର ଜନଜାତିବହୁଳ । ମୁଖ୍ୟତଃ ୬୨ଟି ଜନଜାତି ଓଡ଼ିଶାରେ । ଏଠି କ’ଣ ନାହିଁ – ଖଣିଜ, ଜଳଜ, ବନଜ ସଂପଦର ଅସରନ୍ତି ଉତ୍ସଭୂମି ଇଏ । ଦିଗନ୍ତବିସ୍ତାରୀ ସବୁଜ ଅରଣ୍ୟରାଜି, ବିସ୍ତୀର୍ଣ୍ଣ ବୀଥିକା ଓ ନଦୀ ଉପତ୍ୟକା, ଅତ୍ୟୁଚ୍ଚ ପର୍ବତମାଳା, ସୁଦୀର୍ଘ ଡଂଗର ଭୂଇଁ, ଅସଂଖ୍ୟ କଳନିନାଦିନୀ ବନ୍ୟଝରଣାକୁ ନେଇ ଏ ଦ୍ୟାବାପୃଥିବୀ ହେଉଛି ଓଡ଼ିଶାର ଭୂସ୍ୱର୍ଗ । ଏହାର ଚତୁର୍ଦିଗ ଉନ୍ମୁକ୍ତ । ଏ ଆଦିଭୂମିର ଇତିହାସ ଅତଳ ଅତୀତର ଅତରଭିଜା ପୃଷ୍ଠାରେ ପୂର୍ଣ୍ଣ । ଆମ ସଭ୍ୟତାର ପାଞ୍ଚହଜାର ବର୍ଷରୁ ଆହୁରି ପୁରୁଣା ଏଠାକାର ସଂସ୍କୃତି । ଆମ ତଥାକଥିତ ତତ୍ତ୍ୱଗତ ବୁନିଆଦିଠୁ କାହିଁକେତେଗୁଣ ବୟୋଜ୍ୟେଷ୍ଠ ଏ ମଣିଷମାନଙ୍କ ପ୍ରକୃତିଦତ୍ତ ବୁନିଆଦି । ଅଥଚ ଏମାନେ ଆଜି ବି ଅବହେଳିତ । ନିଷ୍ପେଷିତ, ନିର୍ଯାତିତ, ଶୋଷିତ । ଏମାନଙ୍କ ଆଖିରୁ କିଏ ଲୁହ ପୋଛିବ? ମୁଁ ସେମାନଙ୍କୁ କହିଲି – ମୋତେ ଟୋପେ ଲୁହ ଦିଅ – ମୁଁ ତୁମକୁ ଦେବି ଗୋଟାଏ କୋହପାଶୋରା ସୁନାର କୋରାପୁଟ । ଅନେକ ଥର ଦକ୍ଷିଣ ଓଡ଼ିଶା ପରିକ୍ରମା କରିଛି – କିନ୍ତୁ ୨୦୧୮ ଡିସେମ୍ବର ୯/୧୦ ତାରିଖ ସେମିଳିଗୁଡ଼ାରେ ପାଦଦେଇ ଆନ୍ଧ୍ରସୀମାରେ ପହଞ୍ଚିବା ପୂର୍ବରୁ ପୁଳାପୁଳା ମାଟିକୁ ମଥାରେ ବୋଳିବାକୁ ଇଚ୍ଛା ହେଲା – ବୋଳିଲି ମଧ୍ୟ । ଗୁଣୁଗୁଣୁ କଣ୍ଠରେ ଗାଇଲି – ‘ମାଆ ତୁଝେ ସଲାମ ।’ ବାଲିରାଜା, ଶର୍ବରୀ, ହାଅନ୍ନ, ତମସାତୀରେ, ପରଜା, ଅମୃତର ସନ୍ତାନ, ମାଟିମଟାଳ … ଓଡ଼ିଶାର ଦୁଇ ବରପୁତ୍ର ପ୍ରଥିତଯଶା ଔପନ୍ୟାସିକ କାହ୍ନୁଚରଣ ମହାନ୍ତି, ଗୋପୀନାଥ ମହାନ୍ତି – ଏ ଦୁଇଭାଇଙ୍କର ଏ ସବୁ ଉପନ୍ୟାସ ସେଦିନ ଦୂରଭୂମି ସୁଦୂର-ସମୟ ପ୍ରତି ମୋର ସାନଦିନର ମନରେ ଜଗାଇଥିଲା – ଅନେକ ରଙ୍ଗର ସ୍ୱପ୍ନ । ଘଂଚବନସ୍ତଭୂମିର ଜନଜାତି-ଜୀବନଶୈଳୀ ପ୍ରତି ଉତ୍ତରୋତ୍ତର ଉତ୍କଣ୍ଠା – ବିଶେଷତଃ ଗିରିକନ୍ଦରମୟ କୋରାପୁଟ ଜିଲ୍ଲା ମୋ ପାଇଁ ଗୋଟିଏ ସୁନ୍ଦର ଓଡ଼ିଶୀ ଗୋଧୂଳିର ଶେଷଭୂମି – ଯାହାର ଅକ୍ଷାଂଶଦ୍ରାଘିମା ପରେ ଆରମ୍ଭ ହୁଏ ଆନ୍ଧ୍ରର ଇଲାକା । କେବେ ମୋ ସ୍ୱପ୍ନର କୋରାପୁଟ ମାଟିକୁ ମଥାନୁଆଇଁ ଓଳଗି ହେବି – ଏଇ ଚିନ୍ତା ସେଇ ପିଲାବେଳୁ ମୋ ମର୍ମଚକ୍ଷୁରେ ନାଚୁଥିଲା । ଶେଷଓଡ଼ିଶାର ସେଇ ସୀମାନ୍ତଭୂମିରେ ମୋର ପ୍ରଥମ ପ୍ରବେଶ ୧୯୭୩ ମସିହାରେ । ସେହି ପ୍ରଥମଦେଖାରେ ଗୋଟିଏ ଗହନଦୁଃଖ ମନରେ ଘୋଟିଆସିଥିଲା ଯେ – ମୁଁ ରାଜନୀତିର ରଣପୁରୁଷ ହେଲି କାହିଁକି? ଏଭଳି ପ୍ରକୃତ ପୃଥିବୀର ପରିବ୍ରାଜକ କାହିଁକି ନହେଲି? କେତେ ଭଲ ଲାଗିଥାନ୍ତା – ପ୍ରାଚୀନ ଭାରତର ପୁଣ୍ୟଭୂମିକୁ ନେଇ ମେଘାସ୍ଥିôନିସ୍, ଫାହିଆନ ଓ ହୁଂଏନ୍ସାଂ ଯେଭଳି ଭ୍ରମଣ-କାହାଣୀ ଲେଖିଛନ୍ତି, ସେଭଳି ନ ହେଲେ ବି ମୋ ଖଡ଼ିପାଠୁଆ ବୁଦ୍ଧିରେ ବହି ଖଣ୍ଡିଏ ତ ଲେଖିପାରିଥାନ୍ତି – ନହେଲେ କାବ୍ୟକବିତା, ଗଳ୍ପଉପନ୍ୟାସରୁ ଶହଶହ ରାଜନୈତିକ, ଅର୍ଥନୈତିକ ଲେଖା ଲେଖିବାରେ ହରଦମ୍ ନୟାନ୍ତ ମୋର ଏଇ ତିନିଟଙ୍କିଆ କଲମରେ ଖଣ୍ଡିଏ ମୂଲ୍ୟବାନ ଭ୍ରମଣକାହାଣୀଟିଏ ତ କୋରାପୁଟକୁ ଶୀର୍ଷକ କରି ଅତିକମ୍ରେ ମୋ ବନ୍ଧୁବିରାଦରମାନଙ୍କୁ ଆଦରରେ ଉପହାର ଦେଇପାରିଥାନ୍ତି! କୋରାପୁଟର ଆଦିବାସୀ – ଆଦିମାଟି – ଆଦିଭାଷା – ଆଦିସାହିତ୍ୟହିଁ ଅସଲି ଆଧୁନିକ ସାହିତ୍ୟର ଆଦିଶକ୍ତି – ଆଦିଭକ୍ତି – ଆଦିତୃପ୍ତିର ଓଡ଼ିଶୀମଂଜି ହେବା ଏକାନ୍ତ ବାଞ୍ଛନୀୟ । ଏଇମିତି ଅନେକ ଆଦିରେ ଗିରିଜନମାନଙ୍କର ସାମଗ୍ରିକ ଜୀବନ ଏଠି ଯେତିକି ରହସ୍ୟମୟ, ସେତିକି ବିସ୍ମୟକର । ଭୂର୍ଜପତ୍ରୀ ଭୂଚିତ୍ରରୁ ସଚିତ୍ରବିଚିତ୍ର ସ୍ୱପ୍ନ – ସ୍ୱପ୍ନରୁ ସଂସ୍କୃତି – ସଂସ୍କୃତିରୁ କୃଷ୍ଟି – କ ୃଷ୍ଟିରୁ ସୃଷ୍ଟି – ସୃଷ୍ଟିରୁ ସୁଦୃଷ୍ଟି – ସୁଦୃଷ୍ଟିରୁ ସ୍ୱରୂପ – ସ୍ୱରୂପରୁ ସଦ୍ୟସଂକଳ୍ପ – ସଂକଳ୍ପରୁ ଆଗାମୀଦିନର ଜ୍ୱଳନ୍ତ ସଂଗ୍ରାମ – ସଂଗ୍ରାମରୁ ଜାତ ମଣିଷର ସୃଜନଶୀଳତା । ପ୍ରକୃତିର ସନ୍ତାନ ଏମାନେ – ପ୍ରକୃତି କୋଳରେ ଫୁଲପରି ହସି, ଝରଣାପରି ନାଚି, ପକ୍ଷୀପରି ଜୀବନର ଜୟଗାନ ଗାଇ ଯାଆନ୍ତି । ନା ଅଛି ଆବିଳତା, ନା ଅଛି ଅନୁଶୋଚନା । ଛୋଟଛୋଟ ସ୍ୱପ୍ନର ଏମାନେ ବେପରୁଆ ବାଦ୍ଶାହ । ଅଧାଦେଖା ସଫଳତାରେ ବି ବେଶ୍ ଉତ୍ଫୁଲ୍ଲିତ । ସେମାନଙ୍କୁ ଲୋଡ଼ା ଚେନାଏ ହସ, ମେଞ୍ଚାଏ ଶ୍ରଦ୍ଧା, ବିନ୍ଦୁଏ ସଂପର୍କ । କୋରାପୁଟ ବଣଜଂଗଲ ପାହାଡ଼ପର୍ବତର ବୁକୁ ଚିରି ବହିଯାଉଛି – ଜୀବନ-ନଦୀର ଜଳତରଙ୍ଗମୟ ସ୍ରୋତ । ଏ ସବୁ ପ୍ରାକୃତିକ ଦୃଶ୍ୟ ଅବଲୋକନ କରି ମୋ ନଜର ଟିକିଏ ଅଟକିଗଲା । ସବୁଜ ପ୍ରକୃତିର ସର୍ବଶ୍ରେଷ୍ଠ ଉପହାର – କୋରାପୁଟ ହିଁ କୁରେଇଫୁଲର କୋଠଖମାର – ପୋଡ଼ାସୁନାର ପାହାଡ଼ ଉପରେ ସତୀ ସୀତାମାଆଗଳାରୁ ଛିଡ଼ିପଡ଼ିଥିବା ଅତିସୁନ୍ଦର ଖଣ୍ଡିଏ ହୀରାହାର ।
ସେଦିନ ସୋମବାର । ନଭେମ୍ବର ୨୬ ତାରିଖ ୨୦୧୮ । ଗଂଜାମର ଅଷ୍ଟଦୁର୍ଗ ଆଠଗଡ଼ ପଟଣାରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ସଭାରେ ମୁଖ୍ୟଅତିଥି ହୋଇ ଯାଇଥାଏ । ମଂଚରେ ବସିଛି – ହଠାତ୍ ମୋବାଇଲ ରିଙ୍ଗ ହେଲା – ଧରିଲି । ଶୁଭିଲା – ମୁଁ ଅଜୟ ସାହୁ । ସିମିଳିଗୁଡ଼ା ପ୍ରେସ କ୍ଲବର ସଭାପତି କହୁଛି । କହିଲି : କୁହନ୍ତୁ – ସେପଟୁ ସେ କହିଲେ – ଆମ ପ୍ରେସ୍ କ୍ଲବର ୧୮ ତମ ବାର୍ଷିକ ସମ୍ମିଳନୀରେ ଆପଣ ମୁଖ୍ୟବକ୍ତା ହେବା ପାଇଁ ଏଠି ଆମେ ସମସ୍ତେ ନିଷ୍ପତ୍ତି ନେଇଛୁ । ବିଷୟବସ୍ତୁ – କ୍ଷୁଧାମୁକ୍ତ ବିଶ୍ୱ : ଏକ ଆହ୍ୱାନ । ଆସନ୍ତା ଡିସେମ୍ବର ୯ ତାରିଖରେ ସମ୍ମିଳନୀ । ଆପଣ ସମ୍ମତି ପ୍ରଦାନ କଲେ – ଆମେ ଆଗେଇବୁ । ମୁଁ ସଂଗେସଂଗେ ସମ୍ମତି ପ୍ରଦାନ କଲି । ପ୍ରେସ କ୍ଲବ ସାଧାରଣ ସଂପାଦକ ମନୋଜ ପଟ୍ଟନାୟକ ଯୋଗାଯୋଗ କରି ସମସ୍ତ ତଥ୍ୟ ଦେଲେ । ୮ ତାରିଖ ଦିନ ୧ଟା ବେଳେ ଯାଜପୁରରୋଡରୁ ମୋ ଡ୍ରାଇଭର ପ୍ରକାଶ ସହିତ ବାହାରି କଟକରେ ଅଧଘଣ୍ଟା ଏ କାମସାରି ସିମିଳିଗୁଡ଼ା ଅଭିମୁଖେ ଯାତ୍ରା କଲି । କେଶପୁରଠାରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ମହାସଚିବ ଦଣ୍ଡପାଣି ମହାପାତ୍ର ଅପେକ୍ଷା କରିଥିଲେ । ତାଙ୍କୁ ସଂଗରେ ଧରି ଆସିଲି । ରାତି ସାଢ଼େ ବାରଟାରେ ସିମିଳିଗୁଡାରେ ପହଞ୍ଚିଲୁ । ଆମ ପାଇଁ ‘ହାଲ’ ଅତିଥି ଭବନରେ ରହିବାର ବନ୍ଦୋବସ୍ତ ହୋଇଥିଲା । ୯ ତାରିଖ ସକାଳ । ସିମିଳିଗୁଡ଼ାର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ-ସଂଭାର ମନ ମୋର ମୋହି ନେଲା । ଆଠଟାବେଳେ ହଠାତ୍ କୃଷ୍ଣସିଂହ ଆସି ପହଞ୍ଚିଲେ । ୮୩ ବର୍ଷର କୃଷ୍ଣ ସିଂହ । ଚଳଚଞ୍ଚଳ । ଗାନ୍ଧିବାଦୀ । କୃଷ୍ଣ ସିଂହଙ୍କ ସହ ମୋର କୋଉକାଳରୁ ଚିହ୍ନାପରିଚ । ସେ ମୋତେ ଆଲିଙ୍ଗନ କରି ଭଲମନ୍ଦ ପଚାରିଲେ । ଫଟୋ ଉଠାଇଲୁ ।
ଆଗରୁ କହିଛି ଯେ ସ୍କୁଲଜୀବନରେ କାହ୍ନୁଚରଣ ମହାନ୍ତି, ଗୋପୀନାଥ ମହାନ୍ତି – ଏ ଦୁଇଭାଇଙ୍କ ଉପନ୍ୟାସ ହାଅନ୍ନ, ଶର୍ବରୀ, ବାଲିରାଜା, ପରଜା, ମାଟିମଟାଳ ପଢ଼ି ଘଂଚବନସ୍ତଭୂମିର ଜନଜାତି-ଜୀବନଶୈଳୀ ପ୍ରତି ଉତ୍ତରୋତ୍ତର ଉତ୍କଣ୍ଠା – ବିଶେଷତଃ କୋରାପୁଟ ପ୍ରତି ମୋର ଅହେତୁକ ଆକର୍ଷଣ । କେବେ କୋରାପୁଟ ମାଟିରେ ପାଦ ଦେବି – ଏଇକଥା ସେଇ ପିଲାବେଳୁ ମତେ ସମ୍ମୋହିତ କରିଥିବାର କେତେ ବର୍ଷ ବିତିବା ପରେ ଏ ଆତ୍ମାର ଦେଖା । ରାଜନୈତିକ, ଶ୍ରମିକ ଆନ୍ଦୋଳନ କାର୍ଯ୍ୟକ୍ରମରେ କୋରାପୁଟ, ଜୟପୁର, ରାୟଗଡ଼ା, ଜେ.କେ.ପୁର ବହୁଥର ଆସିଛି । ଖବରକାଗଜରେ ମୋର ନିବନ୍ଧ ପଢ଼ି ଦଣ୍ଡପାଣି ମହାପାତ୍ର ମହାଶୟେ ମୋ ସଂଗେ ଯୋଗାଯୋଗ କଲେ । ମୋର ପାକ୍ଷିକ ସଂବାଦପତ୍ର ‘ଓଡ଼ିଶା ଭୂଇଁ’ ପଢ଼ି ଲକ୍ଷ୍ମୀପୁରର ବାସୁଦେବ କୁଳଦ୍ୱୀପ ଯାଜପୁରରୋଡ଼ରେ ମୋତେ ଆସି ଦେଖା କଲେ । ତାଙ୍କଘରକୁ ପ୍ରାୟ ଦି’ ତିନିଥର ଆସିଛି । ତାଙ୍କ ପତ୍ନୀ ନିୟତି ମୋର ଖୁବ୍ ଚର୍ଚ୍ଚା କରନ୍ତି । ଦଣ୍ଡପାଣି ବାବୁ ତାଙ୍କ ସାହିତ୍ୟସଭା ଆନୁକୂଲ୍ୟରେ ପ୍ରାୟ ସାତବର୍ଷ ଧରି ଦକ୍ଷିଣ ଓଡ଼ିଶା ପରିକ୍ରମା କରାଇଛନ୍ତି । ବ୍ରହ୍ମପୁରରୁ ପଦ୍ମପୁର, ରାୟଗଡ଼ା, ନବରଂଗପୁର, ମୁନିଗୁଡ଼ା, କୋଦଳା, ଉମରକୋଟ, ମାଲକାନଗିରିର ଆଠଗଡ଼ପଟଣା ପ୍ରମୁଖ ସଭାକୁ ନେଇଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାର ସିମିଳିଗୁଡ଼ାକୁ କିନ୍ତୁ ଏଯାଏଁ ଆସିନଥିଲି । ବହୁଦିନରୁ ଇଚ୍ଛା ଥିଲା । ସୁଯୋଗକୁ ହାତଛଡ଼ା କଲିନି । ସିମିଳିଗୁଡ଼ାରେ ସେଦିନ ଦିନ ୧୦ଟାବେଳେ ପ୍ରେସକ୍ଲବକୁ ଯାଇ ଦେଖିଲି ଅଜୟ ସାହୁଙ୍କ ସମେତ ସେଠାକାର ସାଂସ୍କୃତିକ ବାହିନୀ ପୂରାପୂରି ପ୍ରସ୍ତୁତି କାର୍ଯ୍ୟରେ ବ୍ୟସ୍ତ । କିଛି ସମୟ ସେଠାରେ ରହି ରବିବାର ସିମିଳିଗୁଡ଼ା ହାଟରେ ପହଞ୍ଚି ଅପୂର୍ବ ଦୃଶ୍ୟ ସବୁ ଦେଖିଲି । କୋରାପୁଟର ଜଂଗଲିଜାତ ଦ୍ରବ୍ୟ ଝୁଣାଠାରୁ ଆରମ୍ଭକରି ମାଣ୍ଡିଆ, ପାଳୁଅ ଯେତେ ପ୍ରକାର ଡାଲିଜାତୀୟ ଦ୍ରବ୍ୟ ଥିଲା କିଛିକିଛି କିଣିଲି । ବିକ୍ରି କରୁଥିବା ଆଦିବାସୀ ମହିଳାମାନଙ୍କ କଥା ରୋକ୍ଠୋକ୍ । ଯାହା ଦାମ କହିଲେ – ଗୋଟିଏ ଟଙ୍କା ବି କମାଇଲି ନାହିଁ । ସବୁ ଦେଶୀ । ପନିପରିବାସବୁ ମଧ୍ୟ ଦେଶୀ । ଦେଶିଆ କୋରାପୁଟିଆମାନେ କେତେ ସୁନ୍ଦର । ସଭା ସଂଧ୍ୟା ୫ଟା ୪୫ ମିନିଟ୍ରେ ଆରମ୍ଭ ହେବାକୁ କାର୍ଯ୍ୟକ୍ରମ ଥାଏ । ମୁଁ ଠିକ୍ ସମୟରେ ପହଞ୍ଚିଲାବେଳକୁ କୋରାପୁଟରୁ ବାସୁ ନିୟତି ତାଙ୍କ ପିଲା ଦି’ଟି ଧରି ସଭାସ୍ଥଳରେ ହାଜର । କୋରାପୁଟ ସେଣ୍ଟ୍ରାଲ ୟୁନିଭରସିଟିରୁ ଗବେଷିକା ରିଙ୍କି ପ୍ରଧାନ ମଧ୍ୟ ତାଙ୍କ ଦଳବଳ ଧରି ସଭାସ୍ଥଳରେ । ସମସ୍ତେ ମୋ ସହ ଫଟୋ ଉଠାଇଲେ । ସମ୍ମିଳନୀ ଉତ୍ସବ ଆରମ୍ଭରେ ମୀରା ଡ୍ୟାନ୍ସ ଗ୍ରୁପ, ଜୟପୁରଙ୍କ ନୃତ୍ୟରେ ସମସ୍ତେ ବିଭୋର । ରାଜକିଶୋର ନାୟକ, ସାଂସ୍କୃତିକ ସଂପାଦକ ଅତିଥିମାନଙ୍କୁ ସମ୍ଭାଷଣ କରି ମଂଚକୁ ପାଛୋଟି ନେଲେ । ଅଜୟ ସାହୁଙ୍କ ସଭାପତିତ୍ୱରେ ସମ୍ମିଳନୀ ଆରମ୍ଭ । ମନୋଜ ପଟ୍ଟନାୟକ ସଂପାଦକୀୟ ବିବରଣୀ ପାଠ କଲେ । ପ୍ରଥମେ ମୋର ପାଳି ପଡ଼ିଲା ବକ୍ତବ୍ୟ ପ୍ରଦାନପାଇଁ । ସଭାସ୍ଥଳ ଭରପୂର । ମଂଚସଜ୍ଜା ଅପୂର୍ବ । ବୋଧେ ଏଭଳି ମଂଚ ଓଡ଼ିଶାରେ ଦେଖି ନଥିଲି । ଅବିଭକ୍ତ କୋରାପୁଟ, ବିଶେଷ କରି ସୁନାବେଡ଼ା, ସିମିଳିଗୁଡ଼ାର ବହୁ ମାନ୍ୟଗଣ୍ୟ ନରନାରୀ ଉପସ୍ଥିତ ଥିଲେ ।
କ୍ଷୁଧାମୁକ୍ତ ବିଶ୍ୱ : ଏକ ଆହ୍ୱାନ ବିତର୍କରେ ଭାଗନେଇ କହିଲି – କ୍ଷୁଧା ଓ କ୍ଷୁଧାଜନିତ ବ୍ୟାଧିରେ ପୃଥିବୀ ପ୍ରତିବର୍ଷ ପ୍ରାୟ ୯୦ ଲକ୍ଷ ମଣିଷଙ୍କ ମୃତ୍ୟୁରେ ଜର୍ଜରିତ । ରୋଗରେ ମରିବା ଅପେକ୍ଷା ଭୋକରେ ମରିବାର ହାର ଏହି ଦୃଷ୍ଟିରୁ କଳ୍ପନାତୀତ ଭାବରେ ଅଧିକ । ହିସାବ କରି ଦେଖାଯାଇଛି, ପୃଥିବୀବ୍ୟାପୀ ୮୧୫ ମିଲିଅନରୁ ଊର୍ଦ୍ଧ୍ୱଲୋକ ବର୍ତ୍ତମାନ ଭୋକର ବଳୟରେ ବନ୍ଦୀ । ପିଢ଼ି ପରେ ପିଢ଼ି ଓଳିଏ ଖାଇ ଓଳିଏ ଉପାସ ରହିଆସୁଛନ୍ତି ବହୁ ବର୍ଷ ହେଲା । ପ୍ରତି ୯ ଜଣରେ ଜଣେ ଭୋକିଲା ପେଟରେ ରାତିର ବିଛଣାକୁ ଯାଆନ୍ତି ଶୋଇବା ପାଇଁ । ଏସିଆରୁ ଆଫ୍ରିକା ପର୍ଯ୍ୟନ୍ତ ବ୍ୟାପିଛି ଭୟଙ୍କର ଗୋଟାଏ ଭୋକର ଭୂଗୋଳ । ପୃଥିବୀର ତିନିଭାଗରୁ ଭାଗେ କ୍ଷୁଧାର୍ତ୍ତଙ୍କ ବାସଭୂମି ହେଉଛି ଆମରି ଏ ଦେଶ ଭାରତବର୍ଷ । ୨୦ କୋଟିରୁ ଅଧିକ ଭାରତୀୟ ଖାଲିପେଟରେ କଟାଇଦିଅନ୍ତି ରାତିର ନିଦ । ଜାଣନ୍ତି କି ଖାଇବାକୁ ନପାଇ ପ୍ରତିଦିନ ୧୬ ହଜାର ଶିଶୁ ମୃତ୍ୟୁବରଣ କରନ୍ତି ? ପ୍ରତି ୫ ସେକେଣ୍ଡ୍ରେ କ୍ଷୁଧାଜନିତ କାରଣରୁ ଗୋଟିଏ ପିଲା ଏ ପୃଥିବୀରେ ମରିବାକୁ ହିଁ ଜନ୍ମ ହୋଇଥାଏ! କ୍ଷୁଧାମୁକ୍ତ ବିଶ୍ୱ ଆଜିର ମଣିଷସମାଜ ଆଗରେ ସବୁଠାରୁ ବଡ଼ ଆହ୍ୱାନ ।
ବର୍ତ୍ତମାନ ଅନ୍ୟୂନ ୧୯୫ଟି ଦେଶର ଦୁନିଆ ଏ ୭ ମହାଦେଶର ପୃଥିବୀ ପ୍ରତି ସବୁଠୁ ଲାଂଛନାକର ଲଜ୍ଜା ହେଉଛି ଉଦଗ୍ର କ୍ଷୁଧା ଓ ଉତ୍କଟ ଅନାହାର ମୃତ୍ୟୁ । ୫୦ଟି ଦେଶଥିବା ଆମ ଏସିଆ ପୁଣି ହେଉଛି ପୃଥିବୀର ସର୍ବାଧିକ କ୍ଷୁଧାପୀଡ଼ିତ ମହାଦେଶ । ଏବେ ବି ଏସିଆରେ ପ୍ରାୟ ୫୧୨ ମିଲିଅନ ଲୋକ ବୁଭୁକ୍ଷାର ବିଭୀଷିକାଗ୍ରସ୍ତ । କ୍ଷୁଧାମୁକ୍ତ ବିଶ୍ୱ ପାଇଁ ପ୍ରଥମେ କଣ ଯୋଜନା କରିବା ଜରୁରୀ? ବିଶ୍ୱବ୍ୟାପୀ ଏକ ସାର୍ବଜନୀନ ନୀତି ନିର୍ଦ୍ଧାରଣ । ପୁଂଜିବାଦୀ ବ୍ୟବସ୍ଥା ଦ୍ୱାରା ପରିଚାଳିତ ବିଭିନ୍ନ ରାଷ୍ଟ୍ର ଓ ସମାଜ ପରସ୍ପରକୁ ବନ୍ଧୁ ଅପେକ୍ଷା ବଇରୀ ରୂପରେ ବିଚାରିବାରେ ଅଭ୍ୟସ୍ତ । ଏହାର କାରଣ ହେଉଛି ମୁନାଫାଖୋର ଶିଳ୍ପପତି ଓ ମହଜୁଦକାରୀ ମାରଣାସ୍ତ୍ର ବେପାରୀବର୍ଗ ଦେଶଦେଶ ମଧ୍ୟରେ ଯୁଦ୍ଧ ଲାଗୁ ବୋଲି ଠାକୁରଠାକୁରାଣୀଙ୍କୁ ଘିଅଦୀପ ଜାଳି ପ୍ରାର୍ଥନା କରନ୍ତି ଏବଂ ଯୁଦ୍ଧ ବାତାବରଣ ଉପୁଜାଇବାରେ ନାନାଦି କୂଟକର୍ମ କରନ୍ତି । ଯୁଦ୍ଧ ମଧ୍ୟ ଏକପ୍ରକାର ବିଶ୍ୱବ୍ୟାପୀ ବ୍ୟବସାୟ, ଯାହାର ଅଂଶୀଦାର ବିଭିନ୍ନ ରାଷ୍ଟ୍ରୀୟ ରାଜନୀତିର ସୂତ୍ରଧରବର୍ଗ । ମାତ୍ର ଗୋଟିଏ କଥା ସବା ଉପରର ସତ୍ୟ ଯେ ଆମର ପ୍ରଥମ ଓ ଶେଷଶତ୍ରୁ ହେଉଛି – କ୍ଷୁଧା, ଅନାହାର । ସମଗ୍ର ପୃଥିବୀ ଯଦି ଏ ଗୋଟିଏ ଶତ୍ରୁ ସହିତ ଲଢ଼ିବାକୁ ଶପଥ କରେ, ତାହେଲେ ମଣିଷ ମଣିଷ ମଧ୍ୟରେ ମାନଚିତ୍ରକୁ ନେଇ ଓ ଜାତୀୟତାକୁ ଆଳକରି ଛିଡ଼ାକରାଯାଇଥିବା ବାଦବିବାଦର ପାଚେରିଗୁଡ଼ାକ ଭାଙ୍ଗିଯାଇ ମାଟିରେ ମିଶିଯିବ । ଗୋଟିଏ ମଣିଷଜାତିର ଦୁନିଆରେ ପରିଣତ ହେବ କ୍ଷୁଧାମୁକ୍ତ ବିଶ୍ୱ । ସବୁ ଯୁଦ୍ଧକ୍ଷେତ୍ରକୁ ଶସ୍ୟକ୍ଷେତ୍ରରେ ପରିଣତ କର – ଏ ବାର୍ତ୍ତା ବିଦ୍ୟାବୁଦ୍ଧିର ବହପ ଦେଖାଉଥିବା ଦୁନିଆକୁ ଦେଇଥିଲି ଅନେକ ବର୍ଷ ତଳେ ଦିନେ । କିନ୍ତୁ କ୍ଷୁଧାଗ୍ରସ୍ତ ବର୍ଗର ଦାରୁଣ ଦୁର୍ଦ୍ଦଶାଗ୍ରସ୍ତ ଜୀବନର କଥା ଉଠିଲେ, ଆମ ବିଦ୍ୟାବନ୍ତ, ବୁଦ୍ଧିବନ୍ତ ବର୍ଗ ତ ଅନ୍ଧମୂକବଧିର ଅଭିନୟ କରିବାରେ ଏକଦମ୍ ଆଗୁଆ! କିଏ ଶୁଣିବ ସତ୍ୟ? ମିଶନାରୀ ପାଦ୍ରୀମାନେ ଧର୍ମପ୍ରଚାର ପାଇଁ ଅନ୍ଧାରୀ ଆଫ୍ରିକାରୁ ଆରମ୍ଭ କରି ଅନାଲୋକିତ ଏସିଆର ଦୁର୍ଗମ ଆଦିବାସୀ ଘାଟିବଣ ଭିତରକୁ ପଶିଛନ୍ତି, ହିନ୍ଦୁ-ମୁସଲମାନ-ଶିଖ ଇତ୍ୟାଦି ଧର୍ମସଂପ୍ରଦାୟ ଦଙ୍ଗା ଓ ରକ୍ତପାତରେ ବହୁମୂଲ୍ୟ ଜୀବନନାଶର ସାକ୍ଷୀ ହୋଇଆସିଛନ୍ତି – ଅଥଚ ଦୁନିଆର ଧର୍ମଗୁରୁମାନେ କଣ ମଣିଷକୁ କ୍ଷୁଧା ବିରୁଦ୍ଧରେ ମୁକାବିଲା କରିବାକୁ କେବେହେଲେ ଆବେଦନ କରିଛନ୍ତି? ବଡ଼ ବିଡ଼ମ୍ବନାର ବିଷୟ ଯେ ଯେଉଁଠି କ୍ଷୁଧାର ଜରୁରୀ ପରିସ୍ଥିତି ଏଯାଏଁ ଜାରି ରହିଛି, ସେଠି ଈଶ୍ୱରଙ୍କୁ କଣ ଆଜୀବନ କାରାଦଣ୍ଡ ଦିଆଯାଉନାହିଁ? ଆଜି କ୍ଷୁଧାମୁକ୍ତ ବିଶ୍ୱର ସର୍ବପ୍ରଥମ ଆହ୍ୱାନ ଧର୍ମକୁ, ଧର୍ମଗୁରୁମାନଙ୍କୁ ଏବଂ ମର୍ମଜ୍ଞ ଭକ୍ତମଣ୍ଡଳୀକୁ । ଆମେ ଧାର୍ମିକମାନଙ୍କୁ ନୁହଁ, ମାର୍ମିକମାନଙ୍କୁ ହିଁ ଅଗ୍ରାଧିକାର ଦେବୁ – ଗୋଟିଏ କ୍ଷୁଧାମୁକ୍ତ ବିଶ୍ୱର ଭିତ୍ତିପ୍ରସ୍ତୁତି ସଂକଳ୍ପରେ । ଖାଦ୍ୟ, ପାନୀୟ ଜଳ ପାଇଁ ଆମେ ସ୍ୱେଦ କଣ – ରକ୍ତ ନିଗାଡ଼ିବାକୁ ବି ପଛାଇବା ନାହିଁ – ମାତ୍ର ଅନ୍ୟକୁ ଶତ୍ରୁ ଭାବି ତା ରକ୍ତ କି ନିଜ ରକ୍ତ ବୁହାଇଦେବାକୁ ଆଗଭର ହେଉଥିବାଯାଏ ଅସଲ ଶତ୍ରୁ ଜିତିଚାଲିଥିବ । ସେ ଶତ୍ରୁ – ଏ କ୍ଷୁଧା, ଏ ଅନାହାର, ଏ ଅନଟନ – ମନୁଷ୍ୟକୃତ ଏ ମର୍ମନ୍ତୁଦ ମୃତ୍ୟୁନାଟକର ଆୟୋଜନ । ଏ ଦିଗରେ ସମୁଚିତ ପଦକ୍ଷେପ ନେବାର ସମୟ ପହଞ୍ଚିଯାଇଛି । ଆମ ସମସ୍ତଙ୍କ ପାଇଁ ବର୍ତ୍ତମାନର ଏହି ମୁହୂର୍ତ୍ତଠାରୁ ଏକ ନମ୍ବର କର୍ତ୍ତବ୍ୟ ହିଁ ହେଉଛି – ଏକ କ୍ଷୁଧାମୁକ୍ତ ବିଶ୍ୱର ଆହ୍ୱାନ । ମୋ ପରେ ରାକେଶ ପାଢ଼ୀ, ‘ସମାଜ’ କୋରାପୁଟ ଏଡିସନ ଚିଫ, ଶ୍ରୀମତୀ ଶୁଭଶ୍ରୀ ମଲ୍ଲିକ ଚେୟାରପରସନ, ସୁନାବେଡ଼ା ମୁନସିପାଲିଟି, ଆଶୁତୋଷ ମଲ୍ଲିକ, ଜେନେରାଲ ମ୍ୟାନେଜର ‘ହାଲ’ କୋରାପୁଟ, ରାଜୀବକୁମାର ମିଶ୍ର, ଜେନେରାଲ ମ୍ୟାନେଜର, ‘ନାଲକୋ’ ଦାମନଯୋଡ଼ି, ପ୍ରମୁଖ ତାଙ୍କ ସୁଚିନ୍ତିତ ବକ୍ତବ୍ୟ ରଖିଲେ । ସମ୍ମାନପର୍ବରେ ଓମପ୍ରକାଶ ମିଶ୍ର ଜୟପୁର, ଅନିନ୍ଦିତା ଜାନ୍ଭୀ ସୁଆର, ଜୟପୁର, ରାକେଶକୁମାର ପାଢ଼ୀ, ମନୋଜ କୁମାର ପଟ୍ଟନାୟକ, ଡଃ ସରଳା ବେହେରା ସୁନାବେଡ଼ା, ସିଦ୍ଧେଶ୍ୱର ନାୟକ (ମୁନା ଫିଲ୍ମ) ଡାକ୍ତର କୃଷ୍ଣଚନ୍ଦ୍ର ପରିଡ଼ା ଓ ବାସୁଦେବ ବରଡ଼ା ପ୍ରମୁଖଙ୍କୁ ସମ୍ମାନିତା କଲେ ପ୍ରଫୁଲ୍ଲ କୁମାର ପାଙ୍ଗୀ ବିଧାୟକ ପଟାଙ୍ଗୀ, ଚେୟାରମ୍ୟାନ ଜିଲ୍ଲା ପ୍ଲାନିଙ୍ଗ ବୋର୍ଡ଼ । ଶେଷରେ ଶ୍ରୀ ପାଙ୍ଗୀ ତାଙ୍କ ଭାଷଣରେ କୋରାପୁଟର ଉନ୍ନୟନ ସଂପର୍କରେ କହି ପ୍ରେସକ୍ଲବ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ । ସମ୍ମିଳନୀ ଅଧିବେଶନ ଶେଷରେ ସଂଗୀତ, ନୃତ୍ୟ, ବାଦ୍ୟ କାର୍ଯ୍ୟକ୍ରମ ଥିଲା ଅପୂର୍ବ । ଶୀତୁଆରାତିରେ ମନ ମୋହିଲା ଭଳି । ଫେରିଆସିବାବେଳକୁ ଅନେକ ଦୂରଯାଏଁ ବାସୁଥିବା ସଭାସ୍ଥଳର ସେ ସଜଗଜରା ସ୍ନେହଶ୍ରଦ୍ଧା ବନମୁଲକରୁ ସଂଚରିଆସୁଥାଏ ମନମୁଲକକୁ । ପ୍ରିୟ କୋରାପୁଟ, ତୋ ମମତାଭରା ମାଟି ପ୍ରତି ଏ ବିଦାୟୀ ଅତିଥିର କୃତଜ୍ଞତା!
ଯାଜପୁର ରୋଡ, ଯାଜପୁର,
ମୋ : ୯୮୬୧୦୩୪୧୬୩