ପ୍ରତିହିଂସାର ପତାକାବାହୀ ପ୍ରତିକ୍ରିୟାଶୀଳ
ମାୟାଧର ନାୟକ
କାହିଁ କେଉଁ କାଳୁ ଦ୍ୱାପର ଯୁଗରେ ବସୁଦେବ ଦେବକୀଙ୍କୁ ବାହା ହୋଇଥିଲେ । ପାଣ୍ଡବଙ୍କ ମାମୁ ଶଲ୍ୟ ଦେବକୀଙ୍କୁ ଚାହୁଥିଲେ, କିନ୍ତୁ ପାଇଲେ ନାହିଁ । ସେହି ହିଂସାର ଅନଳରେ ଜଳିପୋଡି ଶଲ୍ୟ ବିଚଳିତ ଥିଲେ । ଶଲ୍ୟ ମହାଯୋଦ୍ଧା । ମହାଭାରତ ଯୁଦ୍ଧରେ ଯେହେତୁ ଶ୍ରୀକୃଷ୍ଣ ପାଣ୍ଡବ ପକ୍ଷର ସାରଥି ହେଲେ ଶଲ୍ୟ କୌରବ ପକ୍ଷର କର୍ଣ୍ଣଧାର ଦୁର୍ଯ୍ୟୋଧନ ପାଖକୁ ଗଲେ । ଏ ହୁଏତ ଦେବକୀଙ୍କୁ ନପାଇବାର ସେହି ଅବଦମିତ ପ୍ରତିହିଂସାର ପ୍ରଜ୍ୱଳିତ ପରିପ୍ରକାଶ ।
ମହାଭାରତର ଚକ୍ରବ୍ୟୂହକୁ ବର୍ଣ୍ଣନା କରାଯାଇପାରେ, ମାତ୍ର ଆମ ସମୟର ଚକ୍ରବ୍ୟୂହ ଅବର୍ଣ୍ଣନୀୟ । କେବଳ ଅବର୍ଣ୍ଣନୀୟ ନୁହେଁ – ଅଦୃଶ୍ୟମାନ । ଏହି ଅଦୃଶ୍ୟମାନ ଚକ୍ରବ୍ୟୂହରେ ପ୍ରତିନିୟତ ଅଗଣିତ ଅଭିମନ୍ୟୁକୁ ନିଧନ କରାଯାଉଛି । ସାରା ପୃଥିବୀରେ ତାରୁଣ୍ୟ ଏହି ଚକ୍ରବ୍ୟୂହ ମଧ୍ୟରେ ତୀରବିଦ୍ଧ, ଅସିବିଦ୍ଧ ଅବସ୍ଥାରେ ଊର୍ଦ୍ଧ୍ୱଶ୍ୱାସ – ଅଥଚ ଏ ଅବସ୍ଥା ଦେଖିବାକୁ ଆଖି ନାହିଁ କି ସାକ୍ଷୀ ନାହିଁ । ଏହା ତେବେ କିଭଳି ଚକ୍ରବ୍ୟୂହ ? କେଉଁଠି ଯୁଦ୍ଧ ଚାଲିଛି ? କାହିଁକି ? ପ୍ରଶ୍ନ ପ୍ରଚୁର । ମାତ୍ର ଉତ୍ତର ନାହିଁ । ଯୁଆଡେ ଅନେଇବେ କେବଳ କବନ୍ଧ । ଗୋଟିଏ ବି ମୁହଁ କେଉଁଠି ଦିଶୁ ନାହିଁ । ମୁହଁ ଥିଲେ ସିନା କଥା ଶୁଣିବା, ମୁଖାଗୁଡ଼ାକ କ’ଣ କହିବେ ? ଆମ ଆଗରେ ଏବେ ଖାଲି ମୁଖାପିନ୍ଧା କୋଳାହଳକାରୀ । ଆମରି ଆଖି ଆଗରେ ଦେଖା ଘଟଣା । ଦୁର୍ଦ୍ଦାନ୍ତ ମହାଯୋଦ୍ଧା ସଦ୍ଦାମ ହୁସେନଙ୍କୁ ଯୁଦ୍ଧଖୋର ଆମେରିକାର ନିକସନ୍ ଟକ୍କର ଦେବାରେ ନାକେଦମ୍ ହେଇପଡିଲେ । ଆମେରିକାବାଲା ଷଡଯନ୍ତ୍ର, ବିଶ୍ୱାସଘାତକତା କରି ଇରାନରେ ମହାଘାତକ ପରମାଣୁ ବୋମା ଅଛି ବୋଲି ପ୍ରଚାର କରାଇ ଜବରଦସ୍ତ ପଶିଲେ । ସଦ୍ଦାମ ଛାଡିବା ଲୋକ ନୁହଁନ୍ତି । ସେ ମାନିଲେ ନାହିଁ – ମୁକାବିଲା କରିବାକୁ ପ୍ରସ୍ତୁତ ହେଲେ । ଇରାନ-ଆମେରିକାର ଘମାଘୋଟ ଯୁଦ୍ଧ ଆରମ୍ଭ ହେଲା । ଇରାନ ଧ୍ୱଂସସ୍ତୂପରେ ପରିଣତ ହେଲା । ଶେଷରେ ସଦ୍ଦାମ ହୁସେନ୍ଙ୍କୁ ପାତାଳ ଭିତରୁ ଧରିଆଣି ମିଛବିଚାରରେ ଫାଶୀଦଣ୍ଡ ଦିଆଗଲା । ନିକସନ୍ କାହିଁକି ଏମିତି କଲେ ? ସଦ୍ଦାମ ହୁସେନ ଇରାନର ଏୟାରପୋର୍ଟ ରାସ୍ତା ଚଟାଣରେ ନିକସନ୍ଙ୍କ ବିରାଟକାୟ ଚିତ୍ର ସ୍ଥାପନ କଲେ । ସମସ୍ତେ ନିକ୍ସନ୍ ଛାତି ଉପରେ ଜୋତା ମାଡି ଯିବେ । ଏହା ନିକସନ୍ଙ୍କୁ ବାଧିଥିଲା । ସେ ପ୍ରତିହିଂସାର ନିଆଁରେ ହୁତୁହୁତୁ ଜଳୁଥିଲେ – ତାର ଫଳ ଇରାନ ଜନଗଣ ଏପରିକି ଶିଶୁ, ନାରୀମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର – ଗୁଳି ବୋମାରେ ଜୀବନନାଶ । ଇରାନର ଅର୍ଥନୀତିକୁ ଧ୍ୱଂସ । ସଭ୍ୟତାର ସକରୁଣ ସ୍ମୃତି ସବୁ ଆମପାଇଁ ଅତିଷ୍ଠ ସମୟର ଉତ୍ପୀଡ଼କ ଉପହାର । ଏ ଉପହାର ଆମ ମଣିଷ ସମାଜକୁ ଚକ୍ରବ୍ୟୂହର ଚରିତ୍ରମାନଙ୍କ ପକ୍ଷରୁ ଗୋଟିଏ ଗୋଟିଏ ପ୍ରଚଣ୍ଡ ପ୍ରହାର ! ସେ ପ୍ରହାରରେ ମନପ୍ରାଣ ତ୍ରସ୍ତ – ଚୈତନ୍ୟ ରକ୍ତାକ୍ତ – ବିବେକ କ୍ଷତାକ୍ତ । ଆମେ କ’ଣ ଏଯାବତ୍ ଭୁଲିପାରିଲୁଣି ସେ ଅବିଶ୍ୱାସ୍ୟ ଦିବସର ବର୍ବର ବୃତ୍ତାନ୍ତ ନା ସେଇ ଅଚିନ୍ତନୀୟ ରାତ୍ରୀର ଜଘନ୍ୟ ଯୋଜନା? ସେ ଦାରୁଣ ଦିବସ ଆସିଥିଲା ଖ୍ରୀଷ୍ଟପୂର୍ବ ପ୍ରଥମ ଶତକରେ । ଜୁଲିଅସ୍ ସିଜରଙ୍କୁ ରୋମ୍ର ସିନେଟ୍ରେ ସଭ୍ୟମାନଙ୍କ ସମ୍ମିଳିତ ଆକ୍ରମଣର ସାମ୍ନା କରିବାକୁ ପଡିଥିଲା ସେଦିନ । ସିଜର ଥିଲେ ଅନମନୀୟ ମହାବୀର । ଶେଷ ପର୍ଯ୍ୟନ୍ତ ଜାରି ରଖିଥିଲେ ନିଜ ସ୍ପର୍ଦ୍ଧିତ ପୌରୁଷର ପ୍ରତ୍ୟାଘାତ । ମାତ୍ର ଅନ୍ତିମ ମୁହୂର୍ତ୍ତ ଆସିଥିଲା ଠିକ୍ ସେତିକିବେଳେ, ଯେତେବେଳେ ତାଙ୍କ ପୃଷ୍ଠଭାଗ ସ୍ପର୍ଶ କରେ ଶତ୍ରୃର ତରବାରି ନୁହେଁ – ପ୍ରିୟତମ ବନ୍ଧୁର ଶାଣିତ ଛୁରିକା । ପ୍ରିୟବନ୍ଧୁଙ୍କୁ ଏଭଳି ଭୂମିକାରେ ଦେଖିଦେଇ ସେ ଗଭୀର ଦୁଃଖରେ ତଳେ ଥୋଇଦେଲେ ଅସ୍ତ୍ର । ଶେଷ ଦୁଇତିନୋଟି ଶବ୍ଦ ଥିଲା ସ୍ୱତଃସ୍ଫୂର୍ତ – ଓଃ ! ୟୁ ‘ବ୍ରୁଟସ୍’ …ବ୍ରୁଟ୍.. ଚକ୍ରବ୍ୟୂହ ! ହାୟ, ଏ ଚକ୍ରବ୍ୟୂହରେ କେବଳ ବୈରୀ ନୁହେଁ, ବନ୍ଧୁ ବି ହୋଇପାରେ ଚମକପ୍ରଦ ଚରିତ୍ରଟିଏ !
ସିଜରଙ୍କ ନିଧନ ଦିବସର ୧୦୦ ବର୍ଷ ପରେ ପୃଥିବୀକୁ ଆସିଥିଲା ଆଉ ଏକ ବିଚିତ୍ରରଙ୍ଗର ରାତ୍ରୀ – ସେ ରାତ୍ରୀ ଯୀଶୁ ଖ୍ରୀଷ୍ଟଙ୍କର ଶେଷରାତ୍ରୀ । ସମବେତ ୧୨ ଜଣ ପ୍ରିୟ ଶିଷ୍ୟଙ୍କ ସହିତ ସେ ନିଜ ଜୀବନର ଅନ୍ତିମ ଭୋଜନ ଗ୍ରହଣ କରିବା ପରେ ତାଙ୍କୁ ଶତ୍ରୃମାନଙ୍କ ହାତରେ ଧରାଇଦେଇଥିଲେ ‘ଯୁଦାସ୍’ – ଖୋଦ୍ ଯିଏ ତାଙ୍କ ପ୍ରିୟତମ ଶିଷ୍ୟ । ଏହି ବିଶ୍ୱାସଘାତକତାର ବିନିମୟ ମୂଲ୍ୟ ଥିଲା ତିରିଶିଟି ରୌପ୍ୟ ମୁଦ୍ରା ମାତ୍ର ! କ୍ରୁଶବିଦ୍ଧ ଯୀଶୁ କ୍ଷମା କରିଯାଇଛନ୍ତି ଆମର ଏ ଚକ୍ରବ୍ୟୂହବଦ୍ଧ ସଭ୍ୟତାକୁ । ଚକ୍ରବ୍ୟୂହ ! ହାୟ, ଏ ଚକ୍ରବ୍ୟୂହର ଚରିତ୍ର ଏଠି କେବଳ ସତର୍କ ଶତ୍ରୁ ନୁହେଁ, ପ୍ରିୟତମ ଶିଷ୍ୟ ମଧ୍ୟ! ପ୍ରତାରଣାର ପ୍ରଚୁର ପର୍ଯ୍ୟାୟ ଅତିକ୍ରମ କରିଆସିଛନ୍ତି ଚକ୍ରବ୍ୟୂହ – ଚକ୍ରବ୍ୟୂହସ୍ଥ ଚରିତ୍ରବର୍ଗ କବଳିତ କରୁଣ ଶିକାରମାନେ । ଆପଣମାନେ ସକ୍ରେଟିସଙ୍କ କଥା ଟିକେ ମନେପକାନ୍ତୁ । ଖ୍ରୀଷ୍ଟପୂର୍ବ ୪୭୦ରେ ଜନ୍ମ ନେଇଥିଲେ ବିଶ୍ୱପ୍ରସିଦ୍ଧ ଦାର୍ଶନିକ, ସକ୍ରେଟିସ୍ । ତାଙ୍କର ପ୍ରମାଣସିଦ୍ଧ ତଥ୍ୟ ଓ ତତ୍ତ୍ୱକୁ ସେ ଶୁଣାଉଥିଲେ ଗ୍ରୀକ୍ ଅଧିବାସୀଙ୍କୁ । ତାଙ୍କର ସବୁଠାରୁ ବଡ ତତ୍ତ୍ୱ ଥିଲା – ଅନ୍ଧ ଭାବେ ଈଶ୍ୱର ବିଶ୍ୱାସକୁ ପରିତ୍ୟାଗ କରି ଯୁକ୍ତି ଓ ଅଭିଜ୍ଞତାସିଦ୍ଧ ଜ୍ଞାନକୁ ପ୍ରୟୋଗ କରି ସତ୍ୟକୁ ଜାଣିନେଲେ – ସବୁ ସମସ୍ୟାର ସମାଧାନ ହୋଇଯିବ । ଏହି ସିଦ୍ଧାନ୍ତକୁ ଗ୍ରୀକ୍ର ଅଧିକାଂଶ ଶିକ୍ଷିତ ଯୁବଗୋଷ୍ଠୀ ଗ୍ରହଣ କଲେ । ହେଲେ ସେ ସମୟର ମୁଣ୍ଡିଆଳମାନେ ପ୍ରବଳ ପ୍ରତିହିଂସା ବହ୍ନିରେ ଜଳିଲେ । ତାଙ୍କୁ ବନ୍ଦୀ କରି ମିଥ୍ୟା ମକଦ୍ଦମାର ରାୟରେ ମୃତ୍ୟୁଦଣ୍ଡ ଦେଲେ । ନାଁ ସେ କ୍ଷମା ପ୍ରାର୍ଥନା କଲେ ନା ସେ ଦେଶ ଛାଡି ପଳାୟନ କଲେ । ତାକୁ ବିଷ ପିଆଇ ମାରି ଦିଆଗଲା । ସେହି ସକ୍ରେଟିସ୍ ଦିନେ ବତି ଜଳାଇ ରାଜରାସ୍ତାରେ ଖୋଜୁଥିଲେ ଭଲ ମଣିଷ, କିନ୍ତୁ ଜଣକୁ ବି ପାଇଲେନାହିଁ ।
ଗାଲିଲିଓ ଗାଲିଲେଇ ୧୫୬୪ରେ ଇଟାଲିରେ ଜନ୍ମଗ୍ରହଣ କରିଥିଲେ । ସେ ଥିଲେ ପଦାର୍ଥ ବିଜ୍ଞାନୀ ଓ ଗଣିତଜ୍ଞ । ସେ କହୁଥିଲେ – କେବଳ ବିଶ୍ୱାସ ବଦଳରେ ନୁହେଁ, ବରଂ ଉପଯୁକ୍ତ ପରୀକ୍ଷାନିରୀକ୍ଷା ଏବଂ ଗାଣିତିକ ପ୍ରମାଣ ଦ୍ୱାରା ପ୍ରକୃତିର ଘଟଣାବଳୀକୁ ଠିକ୍ ଭାବେ ବୁଝାଯାଇ ପାରିବ । ୧୯୦୭ ମସିହାରେ ଏକ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ତିଆରି କରି ସେ ଗ୍ରହ ଓ ନକ୍ଷତ୍ରମାନଙ୍କୁ ଅନୁଧ୍ୟାନ କରିବା ସହିତ ବୈଜ୍ଞାନିକ କୋପରନିକସଙ୍କ ସୂର୍ଯ୍ୟକେନ୍ଦ୍ରିକ ବ୍ରହ୍ମାଣ୍ଡ ତତ୍ତ୍ୱ ପ୍ରତି ସମର୍ଥନ ଜ୍ଞାପନ କରିଥିଲେ । ଫଳରେ ସେ ସମୟର ଧର୍ମାଧିକାରୀମାନେ ଅଭିଯୋଗ ଆଣିଲେ – ଗାଲିଲିଓ ଈଶ୍ୱର ଓ ଧର୍ମକୁ ଅବମାନନା କରି ସମାଜରେ ବିଶୃଙ୍ଖଳା ସୃଷ୍ଟି କରାଇଛନ୍ତି । ତାଙ୍କୁ ଗିରଫ କରି କାରାଗାର ଅନ୍ଧକାର ମଧ୍ୟରେ ନିକ୍ଷେପ କରାଗଲା । କୁହାଗଲା–ସେ ଭୁଲ ସ୍ୱୀକାର କରି ନିଜର ତତ୍ତ୍ୱଜ୍ଞାନକୁ ପ୍ରତ୍ୟାଖ୍ୟାନ କଲେ ଦଣ୍ଡ କୋହଳ କରାଯାଇପାରେ । ସତ୍ୟନିଷ୍ଠ ଗାଲିଲିଓ ସତ୍ୟରୁ ଓହରି ନଯାଇ କହିଲେ – ‘ଯାହା ସତ୍ୟ ତାକୁହିଁ ଗ୍ରହଣ କରିବା ଛଡା ବିକଳ୍ପ ନାହିଁ । ଇଟାଲିର ଶାସକଶ୍ରେଣୀ, ଧର୍ମାନ୍ଧ ବ୍ୟକ୍ତିମାନେ ପ୍ରତିହିଂସାର ଚରମ ସୀମାକୁ ଯାଇ ଗାଲିଲିଓଙ୍କୁ ଅତ୍ୟନ୍ତ ଅପମାନଜନକ ଭାବେ ଅମାନବୀୟ ନିର୍ଯାତନା ଦେଇ ବର୍ଷ ବର୍ଷ ଧରି କାରାଦଣ୍ଡରେ ଦଣ୍ଡିତ କଲେ । ସତ୍ୟ ପ୍ରତିଷ୍ଠା ଲାଗି ପ୍ରାଣ ହରାଇଥିଲେ ୧୬୪୨ ମସିହାରେ ।
ଚକ୍ରବ୍ୟୂହ ରଚନା କରିଚାଲୁଥିବା ଚରିତ୍ରଗୁଡାକୁ ଆମେ ଚେତନାସ୍ତ୍ର ସହାୟତାରେ ଭୂଲୁଣ୍ଠିତ କରିପାରିବା । ଏହି ଚେତନାସ୍ତ୍ରର ଅଧିକାରୀ ହୋଇପାରିଲେ ହିଁ ଆଜିର ‘ଅବର୍ଣ୍ଣନୀୟ’ ଓ ‘ଅଦୃଶ୍ୟମାନ’ ଚକ୍ରବ୍ୟୂହର ଚରିତ୍ର ଅନାୟାସରେ ଚିହ୍ନଟ ହୋଇପାରିବ । ଜଳଜଳ ଦିଶିବ ଛଦ୍ମବେଶର ଛଳନା ସବୁ । ଫୁଲପତ୍ରର ଏହି ପୃଥିବୀରେ ପ୍ରତିହିଂସା ନିଜ ବିଶ୍ୱବୃକ୍ଷର କଂଟା ବିଛାଇ କେତେ ଯେ ଅଘଟଣ ଘଟାଇଯାଇଛି – କେବଳ ଇତିହାସ ହିଁ ତା’ର ମୂକସାକ୍ଷୀ । ଆମ ଭାରତବର୍ଷରେ ମଧ୍ୟ ବହୁ ମହାମନୁଷ୍ୟ, ସତ୍ୟନିଷ୍ଠ ମଣିଷଙ୍କୁ କମ୍ ନିର୍ଯାତନା ଭୋଗିବାକୁ ପଡିନି । ସବୁଠି କ୍ଷମତା ଓ ସମ୍ପତ୍ତି ଲୋଭରେ ରକ୍ତପାତ । ଏସବୁ ଇତିହାସ ରାମାୟଣ, ମହାଭାରତକୁ ବଳିଯିବ ।
ଯାଜପୁର ରୋଡ, ଯାଜପୁର,
ମୋ : ୯୮୬୧୦୩୪୧୬୩