ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ଚଳିତ ମାସରେ ଭାରତୀୟ ରେଳବାଇ ୩୦ହଜାର ବ୍ୟକ୍ତିଗତ ସୁରକ୍ଷା ଉପକରଣ

ନୂଆଦିଲ୍ଲୀ : କୋଭିଡ-୧୯ ସଂକ୍ରମିତ ରୋଗୀମାନଙ୍କର ପ୍ରତ୍ୟକ୍ଷ ସମ୍ପର୍କରେ ଆସୁଥିବା ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ପାଇଁ ଭାରତୀୟ ରେଳବାଇର ଉତ୍ପାଦନ ଏକାଂଶ ପ୍ରୟୋଗଶାଳା ଓ କ୍ଷେତ୍ରୀୟ ଏକାଂଶଗୁଡିକ ବ୍ୟକ୍ତିଗତ ସୁରକ୍ଷା ଉପକରଣ ତିଆରି ଆରମ୍ଭ କରିଛନ୍ତି । କେବଳ ଏହି ମାସରେ ଭାରତୀୟ ରେଳବାଇ ୩୦ ହଜାରରୁ ଅଧିକ ଉପକରଣ ପ୍ରସ୍ତୁତ କରୁଥିବାବେଳେ ମେ ମାସ ସୁଦ୍ଧା ୧ଲକ୍ଷ ଉପକରଣ ତିଆରି କରିବ । ଗ୍ୱାଲିୟରସ୍ଥିତ ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ (DRDO) ଏହାର ଗୁଣବତ୍ତା ପରୀକ୍ଷା କରି ସବୁଜ ସଂକେତ ଦେଇଛି । କୋଭିଡ ମହାମାରୀର ମୁକାବିଲା କରିବା ପାଇଁ ରେଳବାଇ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । ସେମାନେ ସଂକ୍ରମିତ ରୋଗୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସୁଛନ୍ତି । ଏଥିରୁ ନିଜକୁ ବଞ୍ଚାଇବାକୁ ହେଲେ ସେମାନଙ୍କୁ ଏକ ସ୍ୱତନ୍ତ୍ର ଧରଣର ସୁରକ୍ଷା ପୋଷାକ ପରିଧାନ କରିବାର ଆବଶ୍ୟକତା ରହିଛି । ଏହି ପୋଷାକ ଥରେ ମାତ୍ର ବ୍ୟବହୃତ ହୋଇପାରୁଥିବାରୁ ଏହାର ବ୍ୟାପକ ଆବଶ୍ୟକତା ରହିଛି । କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ସଂଗେ ସଂଗେ ଏହି ସୁରକ୍ଷା କିଟ ଗୁଡିକର ମଧ୍ୟ ଆବଶ୍ୟକତା ବୃଦ୍ଧି ପାଇବ । ବ୍ୟକ୍ତିଗତ ସୁରକ୍ଷା ଉପକରଣର ବହୁଳ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉତ୍ତର ରେଳବାଇର ଜଗଧାରୀ ପ୍ରୟୋଗଶାଳା ଏହି ଉପକରଣର ପରିପାଟ୍ଟି ପ୍ରସ୍ତୁତ ସହ ଉତ୍ପାଦନ ଆରମ୍ଭ କରିଛି । ଗ୍ୱାଲିୟରସ୍ଥିତ ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ (DRDO)ର ଗ୍ୱାଲିୟର ୟୁନିଟ ଏହାର ନମୁନା ପରୀକ୍ଷା କରି ଏହାକୁ ସ୍ୱୀକୃତି ଦେଇଛି । ପରୀକ୍ଷାନିରୀକ୍ଷା ପରେ ଏଗୁଡିକ ଉନ୍ନତମାନର ବୋଲି ଜଣାପଡିଛି । ଏହି ମାସରେ ୩୦ ହଜାରରୁ ଅଧିକ ଉପକରଣ ପ୍ରସ୍ତୁତ ପାଇଁ ଭାରତୀୟ ରେଳବାଇ ଏହାର ପ୍ରୟୋଗଶାଳାକୁ ଆବଶ୍ୟକ ପର୍ଯ୍ୟାପ୍ତ କଞ୍ଚାମାଲ ଯୋଗାଇ ଦେଇଛି । ଉତ୍ପାଦନ ଆରମ୍ଭ ହେବା ସଂଗେ ସଂଗେ ରେଳବାଇର ଡାକ୍ତରମାନେ ଏଗୁଡିକର ପରୀକ୍ଷା ମୂଳକ ବ୍ୟବହାର ଆରମ୍ଭ କରିଛନ୍ତି । ଆବଶ୍ୟକତା ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ମେ ମାସରେ ୧ଲକ୍ଷ ବ୍ୟକ୍ତିଗତ ସୁରକ୍ଷା ଉପକରଣ ପ୍ରସ୍ତୁତ ପାଇଁ ମଧ୍ୟ କଞ୍ଚାମାଲ ଯୋଗାଇ ଦେଇଛି । ବିଶ୍ୱବ୍ୟାପୀ ବ୍ୟକ୍ତିଗତ ସୁରକ୍ଷା ଉପକରଣର ବହୁଳ ଆବଶ୍ୟକତା ଯୋଗୁ କଞ୍ଚାମାଲ ଅଭାବ ସତ୍ତ୍ୱେ ଏହା ଯୋଗାଇ ଦିଆଯାଇଛି । ଏହି ସଫଳତା ପଛରେ ରେଳବାଇ ପ୍ରୟୋଗଶାଳା ଓ ଉତ୍ପାଦନ ୟୁନିଟଗୁଡିକର ନିରବଚ୍ଛିନ୍ନ ଅଭିଜ୍ଞତା ଓ ସାମର୍ଥ୍ୟ ସହାୟକ ହୋଇପାରିଛି । ଉଲ୍ଲେଖଯୋଗ୍ୟ ଯେ, ସେହି ଉତ୍ସର୍ଗୀକୃତ ମନୋଭାବ ଯୋଗୁ ଭାରତୀୟ ରେଳବାଇ ଖୁବ କମ ସମୟ ମଧ୍ୟରେ ଏହାର ୫ ହଜାର ଯାତ୍ରୀବାହୀ କୋଚକୁ ଭ୍ରାମ୍ୟମାଣ ଏକାନ୍ତ ବାସ ଓ ସଂଗରୋଧ ଶଯ୍ୟାରେ ପରିଣତ କରିପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ