କରୋନା ଦୁର୍ଦ୍ଦଶାରେ ଥିବା ଗଜପତି ଚାଷୀଙ୍କୁ ଟିକସ ମାଡ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):କରୋନା ଯୋଗୁଁ ଗଜପତି ଜିଲ୍ଲାର ଚାଷୀ ଓ କୃଷକ ମାନେ ବହୁ ଦୁର୍ଦ୍ଦଶାରେ କାଳାତିପାତ କରୁଥିବା ବେଳେ ଚାଷୀଙ୍କ ଠାରୁ ବେଆଇନ ଭାବେ ଜବରଦସ୍ତି ଟିକସ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି । ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ଚାଷୀ ମାନଙ୍କ ଅସ୍ଥାୟୀ ପରିବା ଦୋକାନ ଟିକସ ମୁକ୍ତ ଥିବା ବେଳେ କାଶୀନଗର ବ୍ଲକ ମହକୁମାରେ ଜବରଦସ୍ତି ବେଆଇନ ଭାବେ ଟିକସ ଆଦାୟକୁ ନେଇ ଜିଲ୍ଲା କୃଷକ ସଂଘର ସଭାପତି ସୁର୍ଯ୍ୟନାରାୟଣ ପଟ୍ଟନାୟକ ଉଦ୍ବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି,କରୋନା ସଂକ୍ରମଣର ଆଶଙ୍କା ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ଡାଉନ୍ ଘୋଷଣ କଲେ । ଯେ ଦ୍ୱାରା ସମସ୍ତ ପ୍ରକାର ଯାନବାହାନ ଚଳାଚଳ ବନ୍ଦ ହେଲା । ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର ଉପକଣ୍ଠ ଏବଂ ଗୋଷାଣୀ ଓ କାଶୀନଗର ବ୍ଲକରେ ଅଧିକ ପରିମାଣରେ ଚାଷୀ ପରିବା ଚାଷ କରିଥାନ୍ତି । ପ୍ରତ୍ୟେକ ଦିନ ସକାଳୁ ବିଭିନ୍ନ ଯାନବାହାନ ଦ୍ୱାରା ପାରଳାଖେମୁଣ୍ଡି ମୁଖ୍ୟ ବଜାର ସହ ଅନ୍ୟାନ୍ୟ ଅଞ୍ଚଳକୁ ପଠାଇ ଥାନ୍ତି । ହେଲେ ବିଭିନ୍ନ ଯାନବାହାନ ଚଳାଚଳ ବନ୍ଦ ହେବା ଯୋଗୁଁ ଚାଷୀଙ୍କ ପରିବା ବଜାରକୁ ପଠାଇବା ସମ୍ପୁର୍ଣ୍ଣ ବନ୍ଦ ହେଲା । ଏହାକୁ ଲକ୍ଷ କରି ଗଜପତି ଜିଲ୍ଲା ପ୍ରଶାସନ ଚାଷୀଙ୍କୁ ସାହାର୍ଯ୍ୟ କରିବା ପାଇଁ ଅସ୍ଥାୟୀ ପରିବା ଦୋକାନ ବଜାର ବ୍ୟବସ୍ଥା କଲେ । ଏଥି ଅନୁଯାଇ ପାରଳାଖେମୁଣ୍ଡି ସହରର ହାଟପଦା ଠାରେ ୩୦ରୁ ଉର୍ଦ୍ଧ ପରିବା ଦୋକାନ ଚାଲୁ ରହିଛି । ଏମାନଙ୍କ ଠାରୁ ୧ଟଙ୍କା ମଧ୍ୟ କୌଣସି ଟିକସ ଆଦାୟ ହେଉ ନ ଥିବା ବେଳେ କାଶୀନଗର ଠାରେ ଥିବା ଅସ୍ଥାୟୀ ପରିବା ଦୋକାନୀଙ୍କ ଠାରୁ ବେଆଇନ ଭାବେ ଟିକସ ଆଦାୟ କରାଯାଉଛି କିପରି ? ଏଥିନେଇ ତୁରନ୍ତ ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେ ଦାବୀ କରିଛନ୍ତି । ପାରଳାଖେମୁଣ୍ଡି ହାଟପଦା ଠାରେ ଥିବା ଅସ୍ଥାୟୀ ବଜାରର ପରିବା ଦୋକାନୀ ମୃତ୍ୟୁଞ୍ଜୟ ବେହେରା,ଆଡପା ସାବିତ୍ରୀ,ସୁବାସ ଚନ୍ଦ୍ର ନାଗବଂଶ ପ୍ରମୁଖ କହିଛନ୍ତି,ସ୍ଥାନୀୟ ପୌର ପରିଷଦ ତରଫରୁ ଅସ୍ଥାୟୀ ଦୋକାନ କରିବା ପାଇଁ ହାଟପଦା ଠାରେ ବିନା ଟିକସରେ ସ୍ଥାନ ଦେବା ସହ ଆମକୁ ଖରାରୁ ରକ୍ଷା କରିବା ପାଇଁ ବଡ ଧରଣର ଛତା ଦେଇଛନ୍ତି । ଏଠାରେ ବର୍ତ୍ତମାନ ପ୍ରତ୍ୟେକ ଦିନ ପରିବା ବିକ୍ରୀ କରି ପରିବାର ପରିପୋଷଣ କରୁଛୁ । ବର୍ତ୍ତମାନ ସୁଦ୍ଧା ପୌର ପରିଷଦ ତରଫରୁ କିମ୍ବା ଅନ୍ୟ କେହି ଆମ ନିକଟରୁ କୌଣସି ଭାବେ ଟିକସ ଆଦାୟ କରି ନାହାଁନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ କାଶୀନଗର ଅସ୍ଥାୟୀ ବଜାରର ପରିବା ଦୋକାନୀଙ୍କ ଠାରୁ ଜବରଦସ୍ତି ଟିକସ ଆଦାୟ ହେଉଛି । ଏଠାକାର ଦୋକାନୀମାନେ ଅତ୍ୟନ୍ତ ଦୁଃଖରେ କହିଛନ୍ତି,କାଶୀନଗର ଏନଏସି ରସିଦ ଦେଇ ବିନା ସିଲ୍ ଓ ଦସ୍ତଖତରେ ୫ରୁ ୫୦ଟଙ୍କା ଜବରଦସ୍ତି ପ୍ରତ୍ୟେକ ଦିନ ଆଦାୟ କରୁଛନ୍ତି ।ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଅସ୍ଥାୟୀ ବଜାରର ପରିବା ଦୋକାନୀଙ୍କୁ ପାରଳା ପୌର ପରିଷଦ ଟଙ୍କାଟିଏ ହେଲେ ଟିକସ ଆଦାୟ କରୁ ନ ଥିବା ବେଳେ କାଶୀନଗର ଏନଏସି ଏଭଳି ବେଆଇନ ଭାବେ ଟିକସ ଆଦାୟ କରୁଛନ୍ତି କିପରି? ଜିଲ୍ଲାପାଳ ଏହାର ତଦନ୍ତ କରି ବେଆଇନ ଭାବେ ଟିକସ ଆଦାୟ କରିଥିବା ଟିକସ ଟଙ୍କାକୁ ଆମକୁ ଫେରାଇବା ବ୍ୟବସ୍ଥା କରିବା ସହ ଏଭଳି ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି କାଶୀନଗର ଚାଷୀମାନେ ଦାବୀ କରିଛନ୍ତି । ଏ ନେଇ କାଶୀନଗର ଏନଏସି ଅଧିକାରୀ ପ୍ରଫୁଲ ଚନ୍ଦ୍ର ମହାପାତ୍ରଙ୍କୁ ଏନେଇ ପଚାରିବାରେ ଅନୁଧ୍ୟାନ କରିବି ବୋଲି କହିଛନ୍ତି ।