ଯୁବ ସ୍ଵେଚ୍ଛାସେବୀଙ୍କ ଦ୍ଵାରା ୫ ଦିନରେ ୧୫୧ ୟୁନିଟ୍ ରକ୍ତ ସଂଗ୍ରହ

ଗାଙ୍ଗପୁର/ବେଲଗୁଣ୍ଠI,(ଶିବରାମ ଚୌଧୁରୀ):କରୋନା ସଙ୍କଟରେ ସଙ୍କଟମୋଚନ ସାଜିଛନ୍ତି ଗାଙ୍ଗପୁର ଅଞ୍ଚଳର ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନକୁ ନେଇ ଗଠିତ ‘ଦି ଗ୍ରେଟ୍ ଡୋନୋରସ୍ ଗ୍ରୁପ୍ ‘ର ସଦସ୍ୟ ସଦସ୍ୟା ମାନେ l ସୂଚନା ଅଛି ଯେ ଗତ ବର୍ଷ ଗ୍ରୀଷ୍ମ ଋତୁରେ ଭଞ୍ଜନଗର ମେଡିକାଲ୍ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଥିବା ଖବର ମେଡିକାଲ୍ ହେଲ୍ପ ଡେସ୍କ ମ୍ୟାନେଜର୍ ତଥା ଏହି ଗ୍ରୁପ୍ ର ସକ୍ରିୟ ସଦସ୍ୟ ନାରାୟଣ ବେହେରାଙ୍କ ସୂଚନା ତଥା ପରାମର୍ଶ କ୍ରମେ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଗଠିତ ‘ଦି ଗ୍ରେଟ୍ ଫ୍ରେଣ୍ଡସ ଗ୍ରୁପ୍ ‘ ଜୁନ୍ ୨ ତାରିଖରେ ସେହି ଉଚ୍ଚ ବିଦ୍ୟାଳୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ କରିଥିଲେ l ଏହି ଶିବିରରେ ନିକଟସ୍ଥ ବିଭିନ୍ନ ଗ୍ରାମାଞ୍ଚଳର ମହାକାଳ ଗ୍ରୁପ୍, ଏଭର ଗ୍ରୀନ ଫ୍ରେଣ୍ଡସ ଗ୍ରୁପ୍, ରେସ୍ପଣ୍ଡ ଟ୍ରଷ୍ଟ ଭଳି ଏକାଧିକ ସ୍ଵେଚ୍ଛାସେବୀ ସଂଗଠନ, ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷକ, ବ୍ୟବସାୟୀଙ୍କ ବିପୁଳ ସମର୍ଥନରେ ୧୧୫ ୟୁନିଟ୍ ଭଳି ଏକ ବଡ଼ ପରିମାଣର ରକ୍ତ ସଂଗ୍ରହ କରିବା ସହ ଗ୍ରୀଷ୍ମ ଋତୁ ଭଳି ଏକ ସଙ୍କଟ ସମୟରେ ରକ୍ତ ଅଭାବ ଦୂର କରିବାରେ ସମର୍ଥ ହୋଇଥିଲେ l ପରବର୍ତ୍ତୀ ସମୟରେ ଏହି ସମସ୍ତ ସଂଗଠନର ସଦସ୍ୟଙ୍କୁ ନେଇ ‘ଦି ଗ୍ରେଟ୍ ଡୋନୋରସ୍ ଗ୍ରୁପ୍ ‘ଗଢ଼ି ଉଠିଥିଲା , ଯାହାର ମୁଖ୍ୟ ଉଦ୍ଦେଶ୍ୟ ରକ୍ତ ଅଭାବରୁ କାହାର କିଛି ବି ଅସୁବିଧା ହେବାକୁ ଦେବୁ ନାହିଁ l ବର୍ତ୍ତମାନ ସାରା ବିଶ୍ଵରେ କୋରନା ଆତଙ୍କ ଖେଳି ଯାଇଥିବାବେଳେ ଏହାର ପ୍ରଭାବ ଭଞ୍ଜନଗର ରକ୍ତ ଭଣ୍ଡାର ଉପରେ ମଧ୍ୟ ପଡ଼ିଥିବାର ଦେଖା ଯାଇଥିଲା l ବିଭିନ୍ନ ଗଣମାଧ୍ୟମ ଏବଂ ଗ୍ରୁପ୍ ସଦସ୍ୟ ତଥା ହେଲ୍ପ ଡେସ୍କ ମ୍ୟାନେଜର୍ ଙ୍କ ଠାରୁ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ସୂଚନା ପାଇ ଏହି ଗ୍ରୁପ୍ ଆଗେଇ ଆସିଥିଲା ରକ୍ତ ଦାନ ଶିବିର ଆୟୋଜନ କରିବା ପାଇଁ l କିନ୍ତୁ ଲକ୍ ଡ଼ାଉନ୍ କଟକଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ରକ୍ତ ସଂଗ୍ରହ ସମ୍ଭବପର ହୋଇପାରି ନଥିବାରୁ ସ୍ଥାନୀୟ ପ୍ରଶାସନ ଏବଂ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ପରାମର୍ଶ କ୍ରମେ ଏକ ସ୍ଵତନ୍ତ୍ର ଆମ୍ବୁଲାନ୍ସରେ ରକ୍ତ ଦାତା ମାନେ ଭଞ୍ଜନଗର ରକ୍ତ ଭଣ୍ଡାରକୁ ଯାଇ ରକ୍ତ ଦାନ କରିବା ସହ ଗ୍ରୁପ୍ ଗତ ବର୍ଷର ସଫଳତାକୁ ଦୋହରାଇଥିଲା l ଗତ ୧୫ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଯଥାକ୍ରମେ ୧୫, ୧୬, ୧୭, ୧୮ ଏବଂ ୨୦ ତାରିଖରେ ସମୁଦାୟ 151 ୟୁନିଟ୍ ରକ୍ତ ସଂଗ୍ରହ ହେବା ସହ ଗତ ବର୍ଷର ରେକର୍ଡ଼ ଭଙ୍ଗ ହୋଇଥିଲା l ସବୁଠାରୁ ବିଶେଷ କଥା ହେଲା ୧୫୧ ଏବଂ ୧୫୧ ସଂଖ୍ୟା ଦ୍ଵୟରେ ଏକ ପ୍ରକାର ଅଙ୍କର ବ୍ୟବହାର ହୋଇଛି l ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଶ୍ରମିକଙ୍କ ଠାରୁ ଆରମ୍ଭ କରି ଇଞ୍ଜିନିୟର, ଡାକ୍ତର, ଶିକ୍ଷକ, ବ୍ୟବସାୟୀ, ସୈନିକ, ପୋଲିସ୍, ରାଜନେତା ଏବଂ ଛାତ୍ରଛାତ୍ରୀମାନେ ବିନା ଦ୍ଵିଧାରେ ରକ୍ତ ଦାନ କରି ପ୍ରମାଣିତ କରିଛନ୍ତି ଯେ ଆମେ ସମସ୍ତ ପ୍ରକାର ଦ୍ଵନ୍ଦ୍ଵରୁ ଦୂରରେ ରହି ଅଞ୍ଚଳର ରକ୍ତ ଅଭାବକୁ ପୂରଣ କରିବୁ l ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ମେଡିକାଲ୍ ରେ ନବ ନିଯୁକ୍ତ ମହିଳା ଡାକ୍ତର ସ୍ମିତା ପ୍ରିୟ ଦର୍ଶୀନୀ ନିଜେ ଉତ୍ସାହିତ ହୋଇ ରକ୍ତ ଦାନ କରିବା ସହ ରକ୍ତ ଦାତାଙ୍କୁ ମଧ୍ୟ ପ୍ରୋତ୍ସାହିତ କରିଥିଲେ l ଏହି ‘ଦି ଡୋନରସ୍ ଗ୍ରୁପ୍ ର ଅନ୍ୟ ଏକ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳରେ ସାଧାରଣ ଜନତାଙ୍କ ମଧ୍ୟରେ ରକ୍ତ ଦାନ ସଚେତନତା ବୃଦ୍ଧି କରିବା, ଯାହା ଏହି ଶିବିରରେ ଦେଖିବାକୁ ମିଳିଥିଲା l କେବଳ ପାଲକଷଣ୍ଢା ଭଳି ଏକ ଗ୍ରାମରୁ ‘ ଦି ଗ୍ରେଟ୍ ଫ୍ରେଣ୍ଡସ ଗ୍ରୁପ୍ ସଦସ୍ୟଙ୍କ ନେତୃତ୍ଵରେ ଏକ 60 ଜଣିଆ ଟିମ୍ ସ୍ଵେଚ୍ଛାକୃତ ରକ୍ତ ଦାନ କରିଥିଲେ ଯାହା ଭଞ୍ଜନଗର ମେଡିକାଲ୍ ରେ ଆଲୋଚନାର ବିଷୟବସ୍ତୁ ହୋଇଥିବା ବେଳେ ସାରା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିଲା l ବିଶେଷ କଥା ଯେ ଏହି ୬୦ ଜଣିଆ ଟିମ୍ ରେ ଅଧିକ ଯୁବକ ଏବଂ ନୂତନ ରକ୍ତ ଦାତା ଥିଲେ ଏବଂ ଉତ୍ସାହର ସହ ରକ୍ତ ଦାନ କରିଥିଲେ l ସେହିପରି ବୋରୀ, ଗାଙ୍ଗପୁର, କେ. ନୂଆଗଡ, ନୂଣିପଡ଼ା , କ୍ଷତ୍ରିୟବରପୁର , ସିଙ୍ଗୀପୂର , ଜଗନ୍ନାଥ ପ୍ରସାଦ ଭଳି ଗ୍ରାମାଞ୍ଚଳରୁ ବହୁ ରକ୍ତ ଦାତା ରକ୍ତଦାନ କରିଥିଲେ l ଗ୍ରୁପ୍ ର ଏହି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଥିଲେ l ଡାକ୍ତର ଶୀତାଂଶୁ ଶେଖର ଶତପଥୀ ଏହି ଗ୍ରୁପ୍ କୁ ବିପଦ ସମୟର ସଙ୍କଟ ମୋଚକ ବୋଲି ସମ୍ବୋଧିତ କରିବା ସହ ଆଗାମୀ ଦିନରେ ଯେ କୌଣସି ବିପଦରୁ ଏହି ଗ୍ରୁପ୍ ରକ୍ତ ଭଣ୍ଡାରକୁ ସୁରକ୍ଷିତ ରଖିପାରିବ ବୋଲି ଆଶା ପ୍ରକଟ କରିଛନ୍ତି l କାର୍ଯ୍ୟକ୍ରମରେ ଭଞ୍ଜନଗର ମେଡିକାଲ୍ ହେଲ୍ପ ଡେସ୍କ ମ୍ୟାନେଜର୍ ତଥା ଗ୍ରୁପ୍ ସଦସ୍ୟ ନାରାୟଣ ବେହେରା, ଟେକ୍ନିସିଆନ୍ ସୁରେନ୍ଦ୍ର ମହାପାତ୍ର, ବିପିନ ପାଣିଗ୍ରାହୀ, ଅନିଲ୍ କୁମାର ମାହାର, ଚିତ୍ତରଞ୍ଜନ ଖଟୁଆ, ଇତି ଶ୍ରୀ ତ୍ରିପାଠୀ, ସିମାଞ୍ଚଳ ସେଠୀ, ନାରାୟଣ ପାଢୀ ଏବଂ ଗଣେଶ ନାଇକ ପୂର୍ଣ୍ଣ ସହଯୋଗ କରିଥିଲେ l ୫ ଦିନର ଏହି ସଂପୂର୍ଣ୍ଣ କାର୍ଯ୍ୟକ୍ରମରେ ସାମାଜିକ ଦୁରତ୍ଵ ରକ୍ଷା, ମାସ୍କ ବ୍ୟବହାର ଏବଂ ସ୍ଵଚ୍ଛତା ଦିଗ ପ୍ରତି ସଂପୂର୍ଣ୍ଣ ନଜର ରଖା ଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ