ଗଜପତିରେ ଲକ୍ଡାଉନ୍ ଉଲଂଘନ ଚୋରାମଦ କାରବାରରେ ୩ ଗିରଫ ଓ ୩୨ ଅମାନିଆଙ୍କୁ ଜରିମାନା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏବଂ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ଲକ୍ଡାଉନ୍ କଡାକଡି ଭାବେ ପାଳନ କରାଯାଉଛି । ଲକ୍ଡାଉନ୍କୁ ଉଲଂଘନ କରି ୩ଜଣ ଚୋରା ମଦ କାରବାର କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଏଥି ସହ ଲକ୍ଡାଉନ୍କୁ ନ ମାନି ମାସ୍କ ବ୍ୟବହାର କରି ନଥିବା ୩୨ ଅମାନିଆଙ୍କ ଠାରୁ ୬୪୦୦ଟଙ୍କା ଜରିମାନା ଆଦାୟ ହୋଇଛି । ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲାର କାଶୀନଗରର ପାନାସାହି ବାସୀନ୍ଦା ଚିନ୍ତାଲା ଶିବା ଦେଶୀମଦ କାରବାର କରୁଥିବା ବେଳେ କାଶୀନଗର ପୋଲିସ ଚଢାଉ କରି ୨୫ଲିଟର ଦେଶୀମଦ ଜବତ କରିବା ସହ ଗିରଫ କରିଛନ୍ତି । ଏ ନେଇ କାଶୀନଗର ଥାନାରେ କେସ ନଂ ୪୨ରେମାମଲା ରୁଜୁ ହୋଇଛି । ସେହିପରି ଆର.ଉଦୟଗିରି ଥାନା କେସ ନଂ ୩୦ ଅନୁଯାୟୀ ପୁର୍ଣ୍ଣ ଚନ୍ଦ୍ର ମଣ୍ଡଳଙ୍କୁ ଗିରଫ କରି ୧୦ଲିଟର ଖଜୁରୀତାଡି ଜବତ ହୋଇଛି ଏବଂ ମୋହନା ଥାନା କେସ ନଂ ୬୭ ଅନୁଯାୟୀ ଅନ ପ୍ରଧାନୀଙ୍କୁ ଗିରଫ କରି ୩୦ ଲିଟର ଦେଶୀମଦ ଜବତ କରାଯାଇଛି । ଏହାଛଡା ଲକ୍ଡାଉନ୍ରେ ମାସ୍କ ବ୍ୟବହାର କରି ନଥିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ୧୦ଜଣ ଏବଂ କାଶୀନଗର ପୋଲିସ ୨୨ଜଣ ଅମାନିଆଙ୍କ ଠାରୁ ଜଣକ ପିଛା ୨ଶହ ଟଙ୍କା ହିସାବରେ ମୋଟ ୬୪୦୦ଟଙ୍କା ଜରିମାନା ଆଦାୟ କରାଯାଇଥିବା ବରିଷ୍ଠ ପୋଲିସ ଅଧିକାରୀ ରାଧାଚରଣ ପଟ୍ଟନାୟକ ସୁଚନା ଦେଇଛନ୍ତି ।


