କପିଳଙ୍କ ଲକଡାଉନ ଲୁକ୍
ଚଣ୍ଡିଗଡ଼: କରୋନା ଲକଡାଉନ ବେଳେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ଅଲରାଉଣ୍ଡର କପିଳ ଦେବଙ୍କୁ ନୂଆ ଲୁକରେ ଦେଖିବାକୁ ମିଳିଛି । ଲକଡାଉନ ପାଇଁ ବାହାରକୁ ଯାଇ ଚୁଟି କାଟିବା ସମ୍ଭବ ନ ଥିବାରୁ କପିଳ ନିଜ ଘରେ ହିଁ ଲଣ୍ଡା ହୋଇଯାଇଛନ୍ତି । ତାଙ୍କର ଏହି ନୂଆ ଲୁକର ଝଲକ ପୂର୍ବତନ ଭାରତୀୟ କ୍ରିକେଟର ତଥା କପିଳଙ୍କ ପୁରୁଣା ସାଥୀ ଚେତନ ଶର୍ମା ଟ୍ୱିଟର ପୃଷ୍ଠାରେ ଦେଇଛନ୍ତି । ଲଣ୍ଡାମୁଣ୍ଡ ସହ କପିଳ ଏକ ବ୍ଲେଜର ପିନ୍ଧିଥିବାର ଫଟୋକୁ ଶର୍ମା ଟ୍ୱିଟ କରିଛନ୍ତି । ଯାହାକୁ ପ୍ରଶଂସକମାନେ ବେଶ ପସନ୍ଦ କରୁଛନ୍ତି । ଚେତନ ପ୍ରକାଶ କରିଥିବା ଫଟୋ ତଳେ ଲେଖିଛନ୍ତି ଯେ ବଡ଼ ଭାଇଙ୍କୁ ଭିନ୍ନ ଅବତାରରେ ଦେଖି ବହୁତ ଖୁସି ଲାଗୁଛି । ସେ ମଧ୍ୟ କପିଳଙ୍କ ଲୁକକୁ ୱେଷ୍ଟଇଣ୍ଡିଜର କିମ୍ବଦନ୍ତି କ୍ରିକେଟ ତାରକା ଭିଭିଆନ ରିଚାର୍ଡସଙ୍କ ସହ ତୁଳନା କରିଛନ୍ତି । କପିଳଙ୍କ ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ନିଜ ଲକଡାଉନ ଲୁକ ପ୍ରକାଶ କରିଥିଲେ । ସଚିନ ନିଜେ ଚୁଟି କାଟୁଥିବା ଫଟୋ ବି ଛାଡ଼ିଥିଲେ । ଏହା ତଳେ ସେ ଲେଖିଥିଲେ ଯେ “ସ୍କୋୟାର କଟ ଠାରୁ ହେୟାର କଟ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ କାମ କରିବାକୁ ମୁଁ ସବୁବେଳେ ଉପଭୋଗ କରେ । ମୋ ନୂଆ ଲୁକକୁ ଦେଖନ୍ତୁ ।”


