ପ୍ରବାସୀ ଓଡିଆଙ୍କ ପଞ୍ଜିକରଣ ଏବଂ ସଚେତନତା କରିବାର ଦାୟିତ୍ୱ ନେଉ ଓଡିଆ ସମାଜ : ଧର୍ମେନ୍ଦ୍ର

ଭୁବନେଶ୍ୱର : ବର୍ତ୍ତମାନ ଲକଡାଉନ ସମୟରେ ଓଡିଆ ସମାଜ ପ୍ରବାସୀ ଓଡିଆଙ୍କ ପଞ୍ଜିକରଣ, ସୁରକ୍ଷା ତଥା ସଚେତନତା କରିବାର ଦାୟିତ୍ୱ ନେଉ ବୋଲି ରବିବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ଦେଶ ବିଦେଶରେ ରହିଥିବା ବିଭିନ୍ନ ଓଡିଆ ସମାଜର ପ୍ରାୟ ୩୦୦ରୁ ଅଧିକ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିବା ଅବସରରେ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଲକଡାଉନ ପରେ ବାହାର ରାଜ୍ୟରେ ରହୁଥବା ଓଡିଆଙ୍କୁ ଫେରାଇ ଆଣିବା ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ସହଯୋଗରେ କେନ୍ଦ୍ର ସରକାରଙ୍କ ଉଦ୍ୟମ ମଧ୍ୟ ଜାରୀ ରହିଛି ବୋଲି ସୂଚନା ଦେଇଛନ୍ତି । ଏହି ଆଲୋଚନାରେ ଦେଶର ବିଭିନ୍ନ ସ୍ଥାନ ଯଥା ବାଙ୍ଗାଲୁରୁ, ମୁମ୍ବାଇ, ଅହମଦବାଦ, ଦିଲ୍ଲୀ, ପୁନେ ସମେତ ବିଦେଶରେ ରହୁଥିବା ଓଡିଆ ସମାଜର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ରାଜ୍ୟ ସରକାର ଲକଡାଉନ ପରେ ବାହାର ରାଜ୍ୟର ଓଡିଆଙ୍କୁ ଫେରାଇ ଆଣିବା ପାଇଁ ସୁରକ୍ଷା ଦୃଷ୍ଟିରୁ ପୋର୍ଟାଲରେ ପଞ୍ଜିକରଣର ବ୍ୟବସ୍ଥା କରିଛନ୍ତି । ତେଣୁ ଲକଡାଉନ ପରେ ରାଜ୍ୟକୁ ଫେରିବା ପାଇଁ ଚାହୁଁଥିବା ଲୋକମାନଙ୍କୁ ପଞ୍ଜିକରଣ ନିମନ୍ତେ ସଚେତନତା କରିବା ଦିଗରେ ଓଡିଆ ସମାଜ କାମ କରୁ ବୋଲି ସେ କହିଛନ୍ତି । କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଏବଂ ରାଜ୍ୟ ସରକାର ଦୃଢତାର ସହ ଏହାକୁ ମୁକାବିଲା କରୁଛନ୍ତି । ଜଣେ ବି ଗରିବ ଲୋକ ଭୋକରେ ନରହୁ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକାନ୍ତ ଇଚ୍ଛା । ଏହି ପରିପ୍ରେକ୍ଷୀରେ ଗରିବ ଅସହାୟ ଲୋକଙ୍କୁ ଖାଦ୍ୟ ବଂଟନ କରିବାରେ ଓଡିଆ ସମାଜ ମଧ୍ୟ ଏହାର ଦାୟିତ୍ୱ ନେଉ ବୋଲି କହିଛନ୍ତି । ଭାରତ କରୋନା ମୁକାବିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଓ ଅଭିନବ ପଦକ୍ଷେପ ପ୍ରଶଂସନୀୟ । ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ରରେ କରୋନା ମୃତକଙ୍କ ସଂଖ୍ୟା ଅଧିକ । ମାତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ଫଳରେ ଭାରତରେ କରୋନାର ପ୍ରଭାବ ହ୍ରାସ ପାଇପାରିଛି ବୋଲି କହିଛନ୍ତି ବର୍ତର୍ତ୍ତମାନ କରୋନା ମହାମାରୀ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି ଏବଂ ଏହାର ପ୍ରଭାବ ଆଗାମୀ ଦିନରେ ମଧ୍ୟ ରହିବ । ତେବେ ସମସ୍ତଙ୍କ ସହଯୋଗରେ ହିଁ ଏହି ଆହ୍ଵାନକୁ ସାମ୍ନା କରିବାର ଆବଶ୍ୟକତା ରହିଛି । ଭାରତ ତଥା ଓଡିଶା କରୋନା ମୁକାବିଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ନିୟମକୁ ଆମକୁ ଧୈଯ୍ୟ ଓ ଅନୁଶାସନ ସହ ପାଳନ କରିବାକୁ ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ କରୋନା ମୁକାବିଲାରେ ଆମେ ନିଶ୍ଚିତ ବିଜୟ ପ୍ରାପ୍ତ କରିପାରିବା ବୋଲି ସେ କହିଛନ୍ତି । ଏହି ଅବସରରେ ଓଡିଆ ସମାଜର ପ୍ରତିନିଧିମାନଙ୍କୁ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବା ସହ ଘରେ ମାସ୍କ ପିନ୍ଧିବା, ହାତକୁ ନିୟମିତ ବ୍ୟବଧାନରେ ସଫା ରଖିବା, ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବା ଏବଂ ଅନ୍ୟମାନଙ୍କୁ ଏଥିପାଇଁ ସଚେତନ କରିବା ଲାଗି ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ