ପରଲୋକରେ କିଂବଦନ୍ତି ବଲିଉଡ୍ ଅଭିନେତା ଋଷି କପୁର
ମୁମ୍ବାଇ: ଲଗାତର ଦ୍ବିତୀୟ ଦିନ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ବୁଧବାର ବଲିଉଡ୍ ସହ ହଲିଉଡରେ ସକ୍ରିୟ ଥିବା ଇରଫାନ୍ ଖାନ୍ ୫୩ ବର୍ଷ ବୟସରେ ପରଲୋକ ଗମନ କରିଥିବା ବେଳେ ୨୪ ଘଣ୍ଟା ନ ପୂରୁଣୁ ପୁନର୍ବାର ଚଳଚ୍ଚିତ୍ରପ୍ରେମୀଙ୍କ ପାଖରେ ଆଉ ଏକ ଦୁଃଖଦ ଖବର ପହଞ୍ଚିଛି। ବର୍ଷୀୟାନ୍ ଅଭିନେତା ତଥା ପ୍ରଯୋଜକ-ନିର୍ଦେଶକ ଋଷି କପୁରଙ୍କ ପରଲୋକ ହୋଇଯାଇଛି। ଗୁରୁବାର ପ୍ରାତଃ ସମୟରେ ତାଙ୍କର ସାର୍ ଏଚଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ନିଧନ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଇରଫାନଙ୍କ ପରି ଋଷି ମଧ୍ୟ ଗତ ୨୦୧୮ଠାରୁ କର୍କଟ ରୋଗରେ ପୀଡ଼ିତ ଥିଲେ ଓ ତାଙ୍କର ଆମେରିକାରେ ଚିକିତ୍ସା ହୋଇଥିଲା। ତେବେ ତାଙ୍କ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନାହିଁ। ବିଗ୍ ବି’ ଅମିତାଭ ବଚ୍ଚନ ଟ୍ବିଟ୍ କରି ଋଷିଙ୍କ ନିଧନ ଖବର ଦେଇଛନ୍ତି। ଗୁରୁବାର ଭୋର୍ ସମୟରେ ଋଷି କଷ୍ଟ ଅନୁଭବ କରିବାରୁ ତାଙ୍କୁ ରାତିରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବୋଲି ତାଙ୍କ ବଡ଼ ଭାଇ ତଥା ଅଭିନେତା-ପ୍ରଯୋଜକ ରଣଧୀର କପୁର ସ୍ପଷ୍ଟ କରିଛନ୍ତି।
ହସ୍ପିଟାଲରେ ଋଷିଙ୍କ ପାଖରେ ପତ୍ନୀ ତଥା ପୂର୍ବତନ ଅଭିନେତ୍ରୀ ନୀତୁ ସିଂହ ଉପସ୍ଥିତ ରହିଥିଲେ ବୋଲି ରଣଧୀର ସୂଚନା ଦେଇଛନ୍ତି। ଋଷି ଆମେରିକାରେ ପାଖାପାଖି ବର୍ଷେ ଧରି ଚିକିତ୍ସିତ ହେବା ପରେ ଗତବର୍ଷ ସେପ୍ଟେମ୍ବରରେ ଭାରତ ଫେରିଥିଲେ। ଗତ ଫେବ୍ରୁଆରୀରେ ସଂକ୍ରମଣଜନିତ ସମସ୍ୟା ଦେଖାଦେବାରୁ ଋଷିଙ୍କୁ ଦୁଇ ଥର ହସ୍ପିଟାଲରେ ଭର୍ତ୍ତି ମଧ୍ୟ କରାଯାଇଥିଲା। ୧୯୫୨ ମସିହା ସେପ୍ଟେମ୍ବର ୪ ତାରିଖରେ ବଲିଉଡର ଶୋ’ମ୍ୟାନ୍ ଭାବେ ପରିଚିତ ରାଜ କପୁରଙ୍କ ୩ୟ ସନ୍ତାନ ଭାବେ ଋଷି ଜନ୍ମଗ୍ରହଣ କରିଥିଲେ। ବଲିଉଡ୍ ସହ ଜଡ଼ିତ ପରିବାରରେ ଜନ୍ମ ହୋଇଥିବାରୁ ବଡ଼ ଭାଇ ରଣଧୀରଙ୍କ ପରି ଋଷି ମଧ୍ୟ ସିନେମାରେ ଅଭିନୟ ଆରମ୍ଭ କରିଥିଲେ। ୧୯୭୦ ମସିହାରେ ପିତାଙ୍କ ବ୍ୟାନରରେ ନିର୍ମିତ ମେରା ନାମ ଜୋକର୍ ମାଧ୍ୟମରେ ହିନ୍ଦୀ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିବା ଋଷି ‘ବବି’ ଚଳଚ୍ଚିତ୍ର ମାଧ୍ୟମରେ ଅପାର ସଫଳତା ହାସଲ କରିଥିଲେ। ଏହି ଚଳଚ୍ଚିତ୍ର ପାଇଁ ଋଷିଙ୍କୁ ଫିଲ୍ମଫେୟାର୍ ଆୱାର୍ଡ ମଧ୍ୟ ମିଳିଥିଲା। ଜଣେ ରୋମାଣ୍ଟିକ୍ ହିରୋ ଭାବେ ସେ ବଲିଉଡରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଅର୍ଜନ କରିପାରିଥିଲେ। ଏହାପରଠାରୁ ସେ ଶତାଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତାଙ୍କର ପ୍ରମୁଖ ଚଳଚ୍ଚିତ୍ର ମଧ୍ୟରେ ଲୈଲା ମଜନୁ, ପ୍ରେମ ଗ୍ରନ୍ଥ, ହୀନା, କର୍ଜ, ଅମର ଅକବର ଆନ୍ଥୋନୀ, ନାଗିନା, ପ୍ରେମ ରୋଗ, ଚାନ୍ଦନୀ, ଦିୱାନା, ନସୀମ୍, କୁଲି, ସାଗର, ବୋଲ୍ ରାଧା ବୋଲ, ସରଗମ, ଦାମିନୀ, କଭି କଭି, ନସୀମ୍ ଅପନା ଅପନା, ଅଗ୍ନିପଥ, ଅଜୁବା, ସାଜନ୍ କା ଘର, ୟାରାନା, ଦରାର, ସାଜନ୍ କୀ ବାହେଁ ମେଁ, ହମ୍ କିସିସେ କପ୍ ନହିଁ, ଦୁସରା ଆଦମୀ, ବଦଲତେ ରିସ୍ତେ, ସଲାମ୍ ମେମସାବ୍, ଧନ ଦୌଲତ୍, ଜମାନୋ କୋ ଦିଖାନା ହୈ, ବଡେ ଦିଲୱାଲା, ରାହି ବଦଲ ଗୟେ, ୟେ ୱାଦା ରାହା, ଇନା ମିନା ଡିକା, ବଡ଼େ ଘର୍ କୀ ବେଟୀ, ଘର ଘର କୀ କହାନୀ, ଶ୍ରୀମାନ୍ ଆଶିକ, ୧୦୨ ନଟ୍ ଆଉଟ୍ ଆଦି ବେଶ୍ ସଫଳତା ହାସଲ କରିଥିଲା। ‘ହିତେଶ ଭାଟିଆଙ୍କ ନିର୍ଦେଶନାରେ ନିର୍ମିତ ‘ଶର୍ମାଜୀ ନମକୀନ୍’ ତାଙ୍କର ଶେଷ ଅଭିନୀତ ଚଳଚ୍ଚିତ୍ର ଥିଲା। ଏହାଛଡ଼ା ତାଙ୍କ ନିର୍ଦେଶନାରେ ନିର୍ମିତ ‘ଆ ଅବ ଲୌଟ୍ ଚଲେ’ ମଧ୍ୟ ବକ୍ସ ଅଫିସରେ ଭଲ ଫଳାଫଳ କରିଥିଲା। ବଲିଉଡ୍ ବ୍ୟତୀତ ସେ ହଲିଉଡରେ ଦୀପିକା ପାଦୁକୋନଙ୍କ ସହ ‘ଦ ଇନଟର୍ଣ୍ଣ’ ଚଳଚ୍ଚିତ୍ରରେ ଅଭିନୟ କରିବା ସକାଶେ ଚୁକ୍ତିବଦ୍ଧ ହୋଇଥିଲେ ହେଁ ଋଷିଙ୍କ ଏହି ଇଚ୍ଛା ପୂରଣ ହେବା ପୂର୍ବରୁ ସେ ଇହଧାମ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୈୟା ନାଇଡୁ, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର, କଂଗ୍ରେସର ପୂର୍ବତନ ସଭାପତି ରାହୁଲ୍ ଗାନ୍ଧି, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବଲିଉଡ୍ ମହାନାୟକ ଅମିତାଭ୍ ବଚ୍ଚନ, ଅକ୍ଷୟ କୁମାର, ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ସୁପର୍ ହିଟ୍ ତାରକା ରଜନୀକାନ୍ତ, ରୀତେଶ ଦେଶମୁଖ, କ୍ରିକେଟର୍ ହରଭଜନ ସିଂହ ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ଋଷିଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ସେ ଜଣେ ମହାନ୍ କଳାକାର ଭାବେ ଚିରକାଳ ପାଇଁ ଅମର ରହିବେ ବୋଲି ପଟ୍ଟନାୟକ କହିବା ସହ ତାଙ୍କ ବିୟୋଗରେ ବଲିଉଡ୍ ଜଣେ ବିଶିଷ୍ଟ କଳାକାରଙ୍କୁ ହରାଇଲା ବୋଲି କହିଛନ୍ତି। ଏଥିସହ ତାଙ୍କ ପରିବାରକୁ ଏହି ଦାରୁଣ ଦୁଃଖ ସହିବାର ଶକ୍ତି ଭଗବାନ ଦିଅନ୍ତୁ ବୋଲି ପଟ୍ଟନାୟକ ପ୍ରାର୍ଥନା କରିଛନ୍ତି।


