ପ୍ରବାସୀ ଫେରନ୍ତାଙ୍କ ବ୍ୟାଗ ପାଇଁ ଗ୍ରାମରେ ଆଲୋଡନ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ମହାମାରୀ କରୋନା ସଂକ୍ରମଣ ନେଇ ସବୁଠାରେ ଭୟ ଓ ଆଶଙ୍କାର ବାତାବରଣ ଦେଖାଦେଇଛି।ରାଜ୍ୟରେ ସଂକ୍ରମିତ ଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉ ଥିବାରୁ ପ୍ରଶାସନ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି।ଏହାକୁ ପ୍ରତିହତ କରିବା ନିମନ୍ତେ ରାଜ୍ୟ ସରକାର ସରପଞ୍ଚ ମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କଲାପରେ ଗାଁ ଗାଁ ରେ କରୋନା ମୁକାବିଲା ପାଇଁ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଛି।ଗ୍ରାମବାସୀ ଏଥିପାଇଁ ଏକଜୁଟ ହୋଇ ପ୍ରଶାସନ କୁ ସହଯୋଗ କରିବା ପାଇଁ ଦୃଢ଼ ନିଷ୍ପତ୍ତି ବି ନେଇଛନ୍ତି।ତଥାପି ପ୍ରବାସୀ ଫେରନ୍ତାଙ୍କ ପାଇଁ ସଂକ୍ରମଣର ଭୟ ସମସ୍ତଙ୍କ ମନରେ ଦୃଢ଼ୀଭୂତ ହୋଇଛି।ପ୍ରବାସୀ ଫେରନ୍ତାଙ୍କୁ ନେଇ ବିଭିନ୍ନ ସମୟରେ ବହୁ ଦୁଃଖ ଦାୟକ ଏବଂ ଅପ୍ରୀତିକର ଘଟଣା ସାମ୍ନାକୁ ଆସୁଥିବା ବେଳେ ଜଣେ ପ୍ରବାସୀଙ୍କ ବ୍ୟାଗକୁ କେନ୍ଦ୍ରକରି ଗ୍ରାମରେ ଆଲୋଡନ ସୃଷ୍ଟି ହୋଇଛି।ଏଭଳି ରୋଚକ ଘଟଣା ସୋମବାର ହିଞ୍ଜିଳିବ୍ଲକ ବୁରୁପଡା ଗ୍ରାମରେ ରାତ୍ର ପ୍ରାୟ ସାଢ଼େ ୮ ସମୟରେ ଘଟିଛି।ମିଳିଥିବା ସୂଚନା ଅନୁଯାୟୀ ପ୍ରଶାସନ ପକ୍ଷରୁ କିଛି ପ୍ରବାସୀଙ୍କୁ ନେଇ ଏକ ଯାତ୍ରୀବାହୀ ବସ ହିଞ୍ଜିଳିକାଟୁ ପାର ହୋଇ ଶେରଗଡ଼ ଅଭିମୁଖେ ଯାଉଥିଲା।ବସରେ ଥିବା ଜଣେ ପ୍ରବାସୀ ସାଥିରେ ଆଣିଥିବା ଏକ ବ୍ୟାଗକୁ ବୁରୁପଡା ସ୍କୁଲ ନିକଟରେ ନିଜ ଶଶୁରକୁ ବଢ଼ାଇଦେଇ ଚାଲି ଯାଇଥିଲେ।ପରେ ଉପସ୍ଥିତ ଥିବା ଲୋକେ ସଂକ୍ରମଣ ଭୟରେ ବ୍ୟାଗ ସହ ବୃଦ୍ଧ ଙ୍କୁ ଗ୍ରାମରେ ପୁରାଇ ଦେଇନଥିଲେ।ବ୍ୟାଗକୁ ପାଣିଢାଳି ଧୋଇବା ପରେ ଵୃଦ୍ଧଙ୍କୁ ଉଷୁମ ପାଣିରେ ଗାଧୋଇ ବିଶୋଧନ ହେବା ପାଇଁ ଉପସ୍ଥିତ ଲୋକେ କହିଥିଲେ।କରୋନା ମୁକାବିଲା ପାଇଁ ଗ୍ରାମବାସୀ ଏଭଳି ସଚେତନତା ଓ ସୁରକ୍ଷିତ ପଦକ୍ଷେପମାନ ଗ୍ରହଣ କରୁଥିବା ଜଣାପଡିଛି। ପରେ ବୃଦ୍ଧ ଜଣକ ଜିନିଷପତ୍ର ବାହାର କରି ସଂକ୍ରମଣ ଭୟରେ ବ୍ୟାଗକୁ ବାହାରେ ଫୋପାଡ଼ି ଦେଇଥିବା ଜଣାପଡିଛି।ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ଖୋରାକ ସୃଷ୍ଟି କରିଛି।


