ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ତିନି ଦିନିଆ ଅଖିଳ ଭାରତୀୟ ପ୍ରତିନିଧି ସଭା ଆରମ୍ଭ
ଗ୍ୱାଲିୟର : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭା ବୈଠକରେ ଶବରୀମାଳା ଦେବସ୍ଥାନ ମାମଲାରେ କେରଳ ସରକାରଙ୍କ ଦ୍ୱାରା ଧାର୍ମିକ ପରମ୍ପରା ଏବଂ ଶ୍ରଦ୍ଧାଳୁମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ବିରୋଧର କରି ସବରୀମାଳା ମନ୍ଦିର ପରମ୍ପରାର ସଂରକ୍ଷଣ ଓ ଆଜିର ଭୌତିକତାବାଦୀ ପରମ୍ପରା ମଧ୍ୟରେ ପରିବାର ବ୍ୟବସ୍ଥାର ସଂରକ୍ଷଣ ପାଇଁ ଚର୍ଚ୍ଚା ହେବା ସହ ପ୍ରସ୍ତାବ ମଧ୍ୟ ପାରିତ ହେବ ବୋଲି ସଂଘର ସହସରକାର୍ଯ୍ୟବାହ ଡା.ମନମୋହନ ବୈଦ୍ୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଗ୍ୱାଲିୟରର ଶିବପୁରୀ ଲିଙ୍କ ରୋଡ ନିକଟସ୍ଥ କେଦାରଧାମ ସରସ୍ୱତୀ ଶିଶୁ ମନ୍ଦିର ସଭାଗୃହରେ ମାର୍ଚ୍ଚ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭାର ପ୍ରଥମ ଦିନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟ ପ୍ରକାଶ କରି ଡ. ବୈଦ୍ୟ କହିଲେ ଯେ, ସରସଂଘଚାଳକ ଡ. ମୋହନଜୀ ଭାଗବତ ଏବଂ ସରକାର୍ଯ୍ୟବାହ ଶ୍ରୀ ଭାୟାଜୀ ଜୋଷୀ ଭାରତମାତାଙ୍କ ଚରଣରେ ପୁଷ୍ପ ଅର୍ପିତ କରି ଏହି ସଭାର ଶୁଭାରମ୍ଭ କରିଛନ୍ତି । ବୈଠକର ବିଭିନ୍ନ ସତ୍ର ବିଷୟରେ ସାମ୍ବାଦିକମାନଙ୍କୁ ଅବଗତ କରାଇ ସହସରକାର୍ଯ୍ୟବାହ କହିଲେ ଯେ ଶବରୀମାଳା ଭଳି ଭାରତରେ ଥିବା ପ୍ରତ୍ୟେକ ମନ୍ଦିରର ଏକ ନିଜସ୍ୱ ଇତିହାସ ଏବଂ ବିଶିଷ୍ଟ ପରମ୍ପରା ରହିଛି । ଯାହା ଭାରତର ପୂଜ୍ୟ ଋଷି-ମୁନିଙ୍କ ଦ୍ୱାରା ସ୍ଥାପିତ । ଦୀର୍ଘଦିନ ଧରି ହିନ୍ଦୁ ସମାଜ ଏହି ପରମ୍ପରାର ଆଧାରରେ ଶ୍ରଦ୍ଧାରେ ପୂଜାକରି ଆସୁଛି । ଏହି ଘଟଣାରେ ସର୍ବୋଚ୍ଚ ନ୍ୟାୟାଳୟର ଆଢୁଆଳରେ କେରଳ ସରକାର ଭଗବାନ ଆୟପା ଭକ୍ତଙ୍କ ଉପରେ ଦମନଲୀଳା ଚାଲୁରଖିଛି । ଏହି ବିଷୟ ଉପରେ ବୈଠକରେ ପ୍ରସ୍ତାବ ପାରିତ ହେବ । ବର୍ତ୍ତମାନ ପରିସ୍ଥିତିରେ ବ୍ୟକ୍ତି ଅଧିକ ଭୌତିକତାବାଦୀ ହୋଇ ପଡିଛି । ଯାହା ଫଳରେ ପରିବାର ବ୍ୟବସ୍ଥା ଭାଙ୍ଗି ପଡୁଛି । ପରିବାର ବ୍ୟବସ୍ଥା ଭାରତର ବିଶ୍ୱକୁ ଏକ ଅମୂଲ୍ୟଦାନ । ପରିବାର ବ୍ୟବସ୍ଥାର ସଂରକ୍ଷଣ ପାଇଁ ମଧ୍ୟ ଏହି ବୈଠକରେ ଚର୍ଚ୍ଚା ହୋଇ ପ୍ରସ୍ତାବ ପାରିତ ହେବ । ଡା. ବୈଦ୍ୟ କହିଲେ ଯେ, ଅଖିଳ ଭାରତୀୟ ପ୍ରତିନିଧି ସଭା ବୈଠକ ପ୍ରତିବର୍ଷ ବର୍ଷ ପ୍ରତିପଦା ପୂର୍ବରୁ ଅନୁଷ୍ଠିତ ହୋଇଥାଏ । ସଂଘ କାର୍ଯ୍ୟ ସମ୍ବନ୍ଧରେ ନିର୍ଣ୍ଣୟ ନେଉଥିବା ଏହି ସର୍ବୋଚ୍ଚ ସଂସ୍ଥାର ବୈଠକରେ କାର୍ଯ୍ୟ ବିସ୍ତାର, ଗତବର୍ଷ କାର୍ଯ୍ୟକ୍ରମର ସମୀକ୍ଷା, କାର୍ଯ୍ୟ ଦୃଢିକରଣ ଏବଂ ଆଗାମୀ ବର୍ଷ କାର୍ଯ୍ୟକ୍ରମ ବିଷୟରେ ବିସ୍ତାର ରୂପେ ଚର୍ଚ୍ଚା କରାଯାଏ । ଏହି ବୈଠକ ଗୋଟିଏ ବର୍ଷ ଦକ୍ଷିଣରେ, ଗୋଟିଏ ବର୍ଷତ୍ତଉତ୍ତରରେ ଏବଂ ତୃତୀୟ ବର୍ଷ ନାଗପୁରରେ ଅନୁଷ୍ଠିତ ହୋଇଥାଏ । ଦୁଇ ହଜାର ସ୍ୱୟଂସେବକଙ୍କୁ ନେଇ ଜଣେ ପ୍ରତିନିିଧି ନିର୍ବାଚିତ ହୋଇଥାନ୍ତି । ସମାଜ ଜୀବନରେ ସକ୍ରୀୟ ୩୫ଟି ସଂଗଠନ ନିଜ ନିଜ କାର୍ଯ୍ୟର ବିବରଣୀ ମଧ୍ୟ ଏହି ବୈଠକରେ ପ୍ରଦାନ କରିବେ । ଏଥିସହିତ ସଂଘଶିକ୍ଷା ବର୍ଗ, ପ୍ରବାସ ଯୋଜନା ଏବଂ ପ୍ରଶିକ୍ଷଣ ଆଦି ବିଷୟରେ ମଧ୍ୟ ଏହି ବୈଠକରେ ଯୋଜନା ପ୍ରସ୍ତୁତ ହେବ । ଶ୍ରୀରାମ ମନ୍ଦିର ପ୍ରସଙ୍ଗ ପ୍ରଶ୍ନର ଉତ୍ତରରେ ବୈଦ୍ୟ କହିଲେ ଯେ, ଏହି ଘଟଣାରେ ସମ୍ବୋଦ୍ଧିତ ପକ୍ଷ ନ୍ୟାୟାଳୟରେ ନିଜର କଥା ରଖି ସାରିଛି । ଏବେ ନ୍ୟାୟାଳୟ ତାର ବିଚାର ଦେବ । ଲୋକସଭା ନିର୍ବାଚନ ବିଷୟରେ ବୈଠକରେ ଚର୍ଚ୍ଚା ହେବ ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ଡା. ବୈଦ୍ୟ କହିଲେ ଯେ, ନିର୍ବାଚନ ରାଜନୀତି ଉପରେ ଚର୍ଚ୍ଚା ହେବ ନାହିଁ କିନ୍ତୁ ସମସ୍ତ ଜନତା ନିର୍ବାଚନ ପ୍ରକ୍ରିୟାରେ ଭାଗ ନିଅନ୍ତୁ ଏବଂ ଶତପ୍ରତିଶତ ମତଦାନ ହେଉ । ଏଥିପାଇଁ ସ୍ୱୟଂସେବକମାନେ ସମାଜରେ ଜନଜାଗରଣ କରିବେ । ବୈଚାରୀକ କୁମ୍ଭର ସଂଫଳତା ବିଷୟରେ ପ୍ରକାଶ କରି ଡା. ବୈଦ୍ୟ କହିଲେ ଯେ,ଚଳିତ ବର୍ଷ ଉତ୍ତରପ୍ରଦେଶ ସରକାର ଏବଂ ବିଭିନ୍ନ ପୀଠର ସହଯୋଗରେ ପ୍ରୟାଗରାଜ କୁମ୍ଭରେ କେତେକ ନୂତନ ପ୍ରୟୋଗ କରାଯାଇଥିଲା, ଏଥିରେ ବହୁତ ସଫଳତା ମିଳିଛି । ଏଥିରେ ଯୁବା କୁମ୍ଭ, ମାତୃଶକ୍ତି କୁମ୍ଭ, ସମରସତା କୁମ୍ଭ, ପର୍ଯ୍ୟାବରଣ କୁମ୍ଭ ଏବଂ ସର୍ବସମାବେଶୀ କୁମ୍ଭ ବୈଚାରୀକ ଆଦାନ ପ୍ରଦାନ ଦୃଷ୍ଟିରୁ ବହୁତ ପ୍ରଭାବୀ ପ୍ରମାଣିତ ହୋଇଥିଲା । ଚଳିତ ବର୍ଷ ସକ୍ଷମ ମାଧ୍ୟମରେ ଶାରୀରିକ, ମାନସିକ ରୂପେ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ବିଭିନ୍ନ ପ୍ରକାର ଆୟୋଜନ ମଧ୍ୟ କରାଯାଇଥିଲା । ଯେଉଁଥିରେ ନେତ୍ରକୁମ୍ଭରେ ୮୦୦ରୁ ଅଧିକ ବିଶେଷଜ୍ଞଙ୍କ ଦ୍ୱାରା ୨ଲକ୍ଷରୁ ଅଧିକ ବ୍ୟକ୍ତିଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବାର ରେକର୍ଡ ସୃଷ୍ଟି ହୋଇଛି । ଏଥି ସହିତ ଦେଢଲକ୍ଷ ଲୋକଙ୍କୁ ବିନା ମୂଲ୍ୟରେ ଚଷମା ଯୋଗାଇ ଦିଆଯାଇଛି । ଗୁଣବତା ଏବଂ କାର୍ଯ୍ୟବିସ୍ତାର ଦୃଷ୍ଟିରୁ ସଂଘର ୬ଜଣ ସହସରକାର୍ଯ୍ୟବାହ, ୪୩ଟି ପ୍ରାନ୍ତରେ ଜିଲ୍ଲାସ୍ତରରେ ୧୨ ହଜାର କାର୍ଯ୍ୟକର୍ତ୍ତାଙ୍କ ବୈଠକ କରିଛନ୍ତି । ସଂଘ ଦ୍ୱାରା ସମାଜରେ ଅନେକ ପ୍ରକାର ସେବାପ୍ରକଳ୍ପ ଚାଲୁଅଛି । ଦେଶୀ ଗାଈର ସଂରକ୍ଷଣ ଓ ସମ୍ବର୍ଦ୍ଧନ ପାଇଁ ମଧ୍ୟ ସଂଘର ସ୍ୱୟଂସେବକମାନେ କାର୍ଯ୍ୟ କରୁଛନ୍ତି । ଏଥିସହିତ ବ୍ୟକ୍ତି ନିଜ ପରିବାର ସହିତ ଅଧିକ ସମୟ ବିତାଉ, ଏଥିପାଇଁ କୁଟୁମ୍ଭ ପ୍ରବୋଧନ କାମ ଚାଲୁଅଛି । ପର୍ଯ୍ୟାବରଣ ସଂରକ୍ଷଣ ଏବଂ ଜଳ ପ୍ରବନ୍ଧନ ପାଇଁ ସମାଜରେ ସଂଘ ତରଫରୁ ଜାନଜାଗରଣ କରାଯାଉଛି । ଯୁବକମାନେ ଏବେ ବହୁ ସଂଖ୍ୟାରେ ସଂଘରେ ସାମିଲ ହେବା ପାଇଁ ମନ ବଳାଉଛନ୍ତି । ସଂଘ ଶାଖାରେ ବାଲ ଏବଂ ମହାବିଦ୍ୟାଳୟ ସ୍ତରୀୟ ସ୍ୱୟଂସେବକମାନଙ୍କ ଉପସ୍ଥିତି ୬୨ ପ୍ରତିଶତ ଅଟେ । ପ୍ରତ୍ୟେକ ବର୍ଷ ୧୪ ରୁ ୪୦ ବର୍ଷ ମଧ୍ୟରେ ୧ ଲକ୍ଷ ଯୁବକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ବର୍ଷସାରା ୨୦ ରୁ ୩୫ବର୍ଷ ମଧ୍ୟରେ ଥିବା ୧ଲକ୍ଷରୁ ଅଧିକ ଯୁବକ ସଂଘ ସହିତ ଯୋଡି ହୋଇଛନ୍ତି । ସାରା ଦେଶରେ ୮୮ ପ୍ରତିଶତ ଖଣ୍ଡରେ ୬୩,୩୬୭ ଶାଖା ଚାଲୁଅଛି । ସଂଘର ଦୈନିକ ଶାଖା ସଂଖ୍ୟା ୫୯,୨୬୬ ଓ ମଣ୍ଡଳ ସଂଖ୍ୟା ୫୪,୪୭୨ ବୋଲି ଡା. ବୈଦ୍ୟ ପ୍ରକାଶ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଅରୁଣ କୁମାର ଏବଂ ସହ ପ୍ରଚାର ପ୍ରମୁଖ ନରେନ୍ଦ୍ରଜୀ ଠାକୁର ମଧ୍ୟ ଉପସ୍ଥିତ ଥିଲେ ।