କ୍ୱାରେଣ୍ଟାଇନ୍ରେ ରହିଲେ ସରପଞ୍ଚ, ଏସଆଇ ଓ ଯନ୍ତ୍ରୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଲକ୍ଡାଉନ୍ ନିୟମ ଉଲଂଘନ କରି ଜିଲ୍ଲାପାଳ କ୍ଷମତାପ୍ରାପ୍ତ ଜଣେ ସରପଞ୍ଚ ନିଜ ପରିବାରଙ୍କ ସହ କ୍ୱାରେଣ୍ଟାଇନ୍ରେ ରହିଥିବା ସୂଚନା ମିଳିଛି । ସେହିପରି କରୋନା ସଂକ୍ରମିତ ରେଡ୍ ଜୋନ୍ରୁ ଗଜପତି ଜିଲ୍ଲାକୁ ଆସିଥିବାରୁ ଜଣେ ପୋଲିସ ଏସଆଇଙ୍କ ସମେତ ଜଣେ କନିଷ୍ଠଯନ୍ତ୍ରୀ କ୍ୱାରେଣ୍ଟାଇନ୍ରେ ରଖାଯାଇଥିବା ମଧ୍ୟ ଖବର ମିଳିଛି । ଜିଲ୍ଲାପାଳ କ୍ଷମତାପ୍ରାପ୍ତ ସରପଞ୍ଚ ଏବଂ ପୋଲିସ ଏସଆଇ ଓ କନିଷ୍ଠଯନ୍ତ୍ରୀ କ୍ୱାରେଣ୍ଟାଇନ୍ରେ ରହିବା ଘଟଣା ସମଗ୍ର ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଘଟଣାରୁ ପ୍ରକାଶ,ଗଜପତି ଜିଲ୍ଲାର ମଙ୍ଗରାଜପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ରୁବି ରଇତ ଆର.ଉଦୟଗିରି ତହସିତଦାର ସ୍ମୃତିରଞ୍ଜନ ଶତପଥୀଙ୍କ ଠାରୁ ଅନୁମତି ନେଇ କୋରାପୁଟ ଜିଲ୍ଲାରେ ରହୁଥିବା ତାଙ୍କ ବାପାଙ୍କୁ ଭେଟିବା ପାଇଁ ଯାଇଥିଲେ । ହେଲେ ବିନା ଅନୁମତିରେ କୋରାପୁଟରୁ ନିଜ ବାପାଙ୍କୁ ଧରି ସ୍ୱଗ୍ରାମକୁ ଫେରିଥିଲେ । କୋରାପୁଟରେ କରୋନା ସଂକ୍ରମଣ ଥିବା ଯୋଗୁଁ ସରପଞ୍ଚ କୋରାପୁଟରୁ ବାପାଙ୍କୁ ଧରି ଫେରିବା ନେଇ ଗ୍ରାମବାସୀମାନେ ଭୟଭୀତ ହୋଇଥିଲେ । ଏଘଟଣା ଆର.ଉଦୟଗିରି ତହସିତଦାର ସ୍ମୃତିରଞ୍ଜନ ଶତପଥୀ ଜାଣିବା ପରେ ସଂପୃକ୍ତ ସରପଞ୍ଚଲକ୍ଡାଉନ୍ ନିୟମ ଉଲଂଘନ କରିଥିବା ଅଭିଯୋଗ କରି ହୋମ୍ କ୍ୱାରେଣ୍ଟାଇନ୍ରେ ସରପଞ୍ଚ ପରିବାରବର୍ଗଙ୍କ ସହ ରହିବା ନିର୍ଦ୍ଦେଶ ଦେଇଥିଲେ । ଏଥିରେ ସଂପୃକ୍ତ ସରପଞ୍ଚ ପରିବାର ସଦସ୍ୟଙ୍କ ସହ ହୋମ୍ କ୍ୱାରେଣ୍ଟାଇନ୍ରେ ରହିଛନ୍ତି । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଟିମ୍ ସରପଞ୍ଚଓ ତାଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ପ୍ରତ୍ୟହ ପରିଦର୍ଶନ କରୁଛନ୍ତି । ସେହିପରି ଗଜପତିର ଆର.ଉଦୟଗିରି ଥାନାରେ କାର୍ଯ୍ୟରତ ଜଣେ ପୋଲିସ ଏସଆଇ କରୋନା ସଂକ୍ରମିତ ଖୋର୍ଦ୍ଦାରେ କିଛି ଦିନ ଅବସ୍ଥାନ କରି ଆର.ଉଦୟଗିରି ଫେରିବା ପରେ ସୁରକ୍ଷା ଦୃଷ୍ଟିରୁ ସଂପୃକ୍ତ ଏସଆଇଙ୍କୁ ତାଙ୍କ କ୍ୱାର୍ଟର ମଧ୍ୟରେ ହୋମ୍ କ୍ୱାରେଣ୍ଟାଇନ୍ରେ ପ୍ରଶାସନର ନିର୍ଦ୍ଦେଶରେ ରଖାଯାଇଛି । ଆର.ଉଦୟଗିରିର ଜଣେ କନିଷ୍ଠ ଯନ୍ତ୍ରୀ କରୋନା ସଂକ୍ରମିତ ବ୍ରହ୍ମପୁର ଠାରୁ ଆର.ଉଦୟଗିରି ଫେରିବା ପରେ ତାଙ୍କୁ ମଧ୍ୟ ହୋମ୍ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । ଏମାନଙ୍କ ଗତିବିଧି ଓ ସ୍ୱାସ୍ଥ୍ୟବସ୍ଥା ନେଇ ମଧ୍ୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଟିମ୍ ତୀକ୍ଷଣ ନଜର ରଖିଛନ୍ତି ।


