ନିଳୋକ ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କଲେ ସରପଞ୍ଚ
ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ ଡାଉନ୍, ସଟ୍ ଡାଉନ୍ ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ୧୭ ତାରିଖରେ ୩ୟ ପର୍ଯ୍ୟାୟ ଲକ୍ ଡାଉନ୍ ଶେଷ ହେବାକୁ ଯାଉଛି । ଏପରିପେକ୍ଷୀରେ ଭଦ୍ରକ ଜିଲା ବନ୍ତ ବ୍ଲକରେ ୨ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇ ସାରିଛନ୍ତି । ବ୍ଲକରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଭିନ୍ନ ପଞ୍ଚାୟତ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଏପରିସ୍ଥଳେ ନିଳୋକ ପଞ୍ଚାୟତର ସରପଞ୍ଚ ଅଶୋକ କୁମାର ମହାନ୍ତି ମୁଖ୍ୟମନ୍ତ୍ରୀ ଦେଇଥିବା ଜିଲ୍ଲାପାଳ କ୍ଷମତାକୁ ପ୍ରୟୋଗ କରିଛନ୍ତି । ନିଜ ପଞ୍ଚାୟତରେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସେ ଉଦ୍ୟମ ଜାରି ରଖିଥିବା ବେଳେ ଶନିବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମଗ୍ର ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଏସଂପର୍କରେ ସେ ତହସିଲଦାର ଇନ୍ଦିରା ସାହୁ, ବିଡିଓ ରେବେକା ବିଲୁଙ୍ଗ, ଆଇଆଇସି ମିନା ବିନ୍ଧାଣୀକୁ ଲିଖିତ ଅବଗତ କରିବା ସହିତ ପ୍ରଶାସନ ଠାରୁ ସମସ୍ତ ସହଯୋଗ ଲୋଡିଛନ୍ତି । ସଟ୍ ଡାଉନ୍ ସଂପର୍କରେ ଲୋକ ମାନଙ୍କୁ ସଚେତନ କରାଇବା ପାଇଁ ସେ ଶୁକ୍ରବାର ଅପରାହ୍ନରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦେଇଛନ୍ତି ।