ବାଲିଘାଟ ନିଲାମ ନେଇ ତହସିଲଦାରଙ୍କ କ୍ଷେତ୍ର ପରିଦର୍ଶନ
ବନ୍ତ (ଚାନ୍ଦିନୀ ମହାନ୍ତି) : ଶୁକ୍ରବାର ବନ୍ତ ବ୍ଲକ ଅଧିନ ସାଳନ୍ଦୀ ନଦୀର ଚାରିଗାଁ, ଚକ୍ରାପାଢୀ, ଗୋପିନାଥପୁର, ହରିପୁର, ମହାନ୍ତିପଡା, ସାହୁପଡା ଆଦି ବାଲିଘାଟର ସର୍ବନିମ୍ନ ଗ୍ୟାରେଣ୍ଟି ପରିମାଣ ନିର୍ଦ୍ଧାରଣ ନେଇ ତହସିଲଦାର ଇନ୍ଦିରା ସାହୁ କ୍ଷେତ୍ର ପରିଦର୍ଶନ କରିଥିଲେ । ତହସିଲଦାରଙ୍କ ପରିଦର୍ଶନ ବେଳେ ଆଗରପଡା ରାଜସ୍ୱ ନୀରିକ୍ଷକ ଓ ଖଣି ଯୋଜନାର ପଞ୍ଜୀକୃତ ଯୋଗ୍ୟ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ । ଉପରୋକ୍ତ ବାଲିଘାଟର ସର୍ବନିମ୍ନ ଗ୍ୟାରେଣ୍ଟି ପରିମାଣ ନିର୍ଦ୍ଧାରଣ ହେବା ପରେ ନିଲାମ ପାଇଁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ହେବ ବୋଲି ଜଣାଯାଇଛି । ପ୍ରକାଶ ଥାଉକି, ଉପରୋକ୍ତ ଅଞ୍ଚଳରେ ବାଲିଘାଟ ଗୁଡିକ ନିଲାମ ହୋଇନଥିବାରୁ ବାଲି ଚୋର ମାନେ ସକ୍ରିୟ ଥିଲେ । ଫଳରେ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି ହେଉଥିଲା । ଏବେ ପ୍ରଶାସନ ପକ୍ଷରୁ ବାଲିଘାଟ ଗୁଡିକ ନିଲାମ କରାଗଲେ ସରକାରଙ୍କ ତହବିଲ୍କୁ ରାଜସ୍ୱ ଯିବା ସହିତ ସାଧାରଣଲୋକ ମାନେ ସୁବିଧାରେ ବାଲି କିଣି ପାରିବେ ବୋଲି ଜଣାଯାଇଛି ।