ସରକାର ଶୁଣିଲେନି, ସଞ୍ଚିତ ପାଣ୍ଠିରେ ମୋଟର ଟ୍ରାନ୍ସପୋର୍ଟ କର୍ମଚାରୀ ବାଣ୍ଟିଲେ ଅତ୍ୟାବଶ୍ୟକ ସାମଗ୍ରୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ବହୁ ଅନୁରୋଧ ପରେ ସୁଦ୍ଧା ସରକାର କିମ୍ବା ଜିଲ୍ଲା ପ୍ରଶାସନ ଦ୍ୱାରା କୌଣସି ସାହାର୍ଯ୍ୟ ମିଳିଲା ନାହିଁ । ଶେଷରେ ନିଜସ୍ୱ ସଂଚୟ ପାଣ୍ଠି ବିନିଯୋଗ କରି ଗଜପତି ଜିଲ୍ଲା ନୀଳମଣି ଦୁର୍ଗା ମୋଟର ଟ୍ରାନ୍ସପୋର୍ଟ ୱାର୍କର୍ସ ୟୁନିୟନ ତରଫରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣାଯାଇ ସଦସ୍ୟମାନଙ୍କୁ ବଣ୍ଟାଯାଇଥିବା ସୁଚନା ମିଳିଛି । ୟୁନିୟନର ସଭାପତି ସୁନୀଲ କୁମାର ପଟ୍ଟନାୟକ, ସାଧାରଣ ସମ୍ପାଦକ ଅଭିମନ୍ୟୁ ଘଣ୍ଟ, ବରିଷ୍ଠ ସଦସ୍ୟ ବି.ନୌକାରାଜୁ, ଗୋପୀନାଥ ପାଢୀ ପ୍ରମୁଖ କହିଛନ୍ତି କରୋନା ଯୋଗୁଁ ଲକ୍ଡାଉନ୍ ଘୋଷଣାରେ ସମସ୍ତ ପ୍ରକାର ଯାନବାହନ ଚଳାଚଳ ଗତ ଦୀର୍ଘ ଦିନ ଧରି ବନ୍ଦ ରହିଛି । ଏହା ଦ୍ୱାରା ମୋଟର କର୍ମଚାରୀ ମାନଙ୍କ ଜୀବନଜିବୀକା ସମ୍ପୁର୍ଣ୍ଣ ରୁପେ ଠପ୍ ହୋଇଯାଇଛି । ଅର୍ଥାଭାବରେ ସନ୍ତୁଳିତ ଥିବା ମୋଟର କର୍ମଚାରୀମାନେ ସାହାର୍ଯ୍ୟ ପାଇଁ ସରକାର ଓ ପ୍ରଶାସନକୁ ବାରମ୍ବାର ଅନୁରୋଧ ଜଣାଇଲୁ । ହେଲେ କୌଣସି ସାହାର୍ଯ୍ୟ ନ ମିଳିବା ଯୋଗୁଁ ମୋଟର କର୍ମଚାରୀ ୟୁନିୟନ ତରଫରୁ ପୁର୍ବରୁ ସଞ୍ଚୟ କରାଯାଇଥିବା ପାଣ୍ଠିକୁ ବିନିଯୋଗ କରି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦିଆଯାଇଛି । ସାମାଜିକ ଦୁରତାକୁ ପାଳନ କରାଯାଇ ପାରଳାଖେମୁଣ୍ଡି ନିୟନ୍ତ୍ରିତ ବଜାର କମିଟି ପରିସରରେ ୟୁନିୟନର୨୫୦ ଜଣ ସଦସ୍ୟଙ୍କୁ ଜଣକ ପିଛା ୨୫ କିଲୋ ଚାଉଳ, ତେଲ, ଡାଲି, ଆଳୁ, ପିଆଜ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରାଯାଇଛି ।


