ଆକ୍ରାନ୍ତ ଡାକ୍ତରଙ୍କ କଣ୍ଟାକ୍ଟ ଟ୍ରେସିଂ
ଭୁବନେଶ୍ୱର: କଟକ ସିଟି ହସ୍ପିଟାଲର ଜଣେ ଡାକ୍ତର କରୋନା ଆକ୍ରାନ୍ତ ଘଟଣାରେ ସମ୍ପୃକ୍ତ ଡାକ୍ତରଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ସୂଚନା ଦେଇଛନ୍ତି । କେନ୍ଦ୍ରାପଡ଼ା ନର୍ସିଂହୋମ, କଟକ ସିଡିଏ ଅଞ୍ଚଳରେ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ସେହିପରି କଟକ ସିଟି ହସ୍ପିଟାଲ ଓ ଘରୋଇ ନିର୍ସିଂହୋମରେ ମଧ୍ୟ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । କଣ୍ଟାକ୍ଟ ଟ୍ରେସିଂ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଲାଗିଛନ୍ତି । ଯେଉଁମାନଙ୍କ ସଂସ୍ପର୍ଶରେ ସମ୍ପୃକ୍ତ ଡାକ୍ତର ଆସିଥିବେ ସେମାନଙ୍କ ସ୍ୱାବ ଟେଷ୍ଟ କରାଯିବ ବୋଲି ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ସୂଚନା ଦେଇଛନ୍ତି । ପ୍ରକାଶ ଯେ, ରାଜ୍ୟର ପ୍ରଥମ ଥର ପାଇଁ ଜଣେ ଡାକ୍ତର କରୋନା ପଜିଟିଭ । ଡାକ୍ତରଙ୍କୁ ପ୍ରଥମେ ଜ୍ୱର ହୋଇଥିଲା ଏବଂ ପରୀକ୍ଷା ପରେ ତାଙ୍କ ନମୂନାରେ କରୋନା ପଜିଟିଭ ଆସିଥିଲା । ତେବେ କରୋନା ପଜିଟିଭ ସମ୍ପୃକ୍ତ ଡାକ୍ତର ଜଣଙ୍କ କଟକ ସିଟି ହସ୍ପିଟାଲରେ କାମ କରନ୍ତି । ସେ ଶିଶୁ ରୋଗ ବିଶେଷଜ୍ଞ । ତେବେ ତାଙ୍କ ନମୂନାରେ କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କୁ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସବୁଠାରୁ ବଡ କଥା ହେଉଛି ଯେହେତୁ ସେ ଜଣେ ଶିଶୁରୋଗ ବିଶେଷଜ୍ଞ ଥିଲେ ତେଣୁ ସେ କେତେ ଜଣ ପିଲାଙ୍କୁ ଏହି ସମୟ ଭିତରେ ଚିକିତ୍ସା କରିଛନ୍ତି । ବା ତାଙ୍କ ସଂସ୍ପର୍ଶରେ କେହି ଆସିଛନ୍ତି କି ତାହା କଣ୍ଟାକ୍ଟ ଟ୍ରେସିଂ ପରେ ସ୍ପଷ୍ଟ ହେବ । ମାତ୍ର ଆଗ ଧାଡିର କରୋନା ଯୋଦ୍ଧା ଭିତରେ ଆସୁଥିବା ଡାକ୍ତରଙ୍କୁ ପ୍ରଥମ ଥର ପାଇଁ ଓଡିଶାରେ କରୋନା କବଳିତ କରିଛି ।


