ଏଇ ତ ଜୀବନ!

ଦୀନବନ୍ଧୁ ନାୟକ

ଅବ୍ୟକ୍ତାଦୀନି ଭୂତାନି ବ୍ୟକ୍ତମଧ୍ୟାନି ଭାରତ ।
ଅବ୍ୟକ୍ତନିଧନାନ୍ୟେବ ତତ୍ର କା ପରିବେଦନା ।ା ୨/୨୮ ଶ୍ରୀଗୀତା

ଜନ୍ମରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଅବଧିକୁ ଜୀବନ ବୋଲି କୁହାଯାଏ । ଏଇ କାଳଖଣ୍ଡ ହିଁ ପ୍ରତ୍ୟେକଙ୍କର ଜୀବନ, ସେ ମନୁଷ୍ୟ ହେଉ ବା ପଶୁ, ସରିସୃପ ହେଉ ବା ଉଦ୍‌ଭିଦ । କ୍ଷିତି, ଅପ୍‌, ତେଜ, ମରୂତ, ବ୍ୟୋମ – ଏଇ ପଂଚମହାଭୂତଙ୍କ ପ୍ରପଂଚିକରଣରେ ହିଁ ପ୍ରତ୍ୟେକଙ୍କର ଶରୀର ଗଠିତ ହୋଇଛି । ତାହା ମଧ୍ୟରେ ଚେତନ ଅଂଶ ହିଁ ଶରୀରର ସାର ସତା । ସତାବିହୁନେ ଶରୀର ଜୀବନ୍ତ ରହି ପାରେନା, ତାହା ଶବରେ ପରିଣତ ହୋଇଯାଏ । ସତା ବା ଚେତନ ନିରାକାର, ଶରୀର ସାକାର । ନିରାକାର ସାକାରରେ ରହିବାରୁ ଜୀବନ ସୃଷ୍ଟି ହୁଏ । ଏହି ତତ୍ୱ ଆମର ଭାରତୀୟ ଆଧ୍ୟାତ୍ମିକ ସାହିତ୍ୟରେ ବହୁଳଭାବେ ବର୍ଣ୍ଣିତ ହୋଇଅଛି । ଆରମ୍ଭରୁ ଆଜି ପର୍ଯ୍ୟନ୍ତ ମାନବ ସମାଜର ଶ୍ରେଷ୍ଠ ବ୍ୟକ୍ତିଗଣ, ଯେଉଁମାନଙ୍କୁ ଆମେ ଋଷି, ଦ୍ରଷ୍ଟା, କବି, ପ୍ରାଜ୍ଞ, ମନୀଷୀ ଇତ୍ୟାଦି କହି ଆଦର, ଶ୍ରଦ୍ଦା, ସମ୍ମାନ କରିଆସିଛନ୍ତି, ସେହି ମହାନ୍ ପୁରୁଷମାନେ ଏଇ ଜଡଚେତନ ବନ୍ଧନକୁ ନେଇ ବହୁ ତତ୍ୱ, ତଥ୍ୟ ଲିପିବଦ୍ଧ କରିଯାଇଛନ୍ତି । ନିରାକାରଙ୍କୁ ଯିଏ ଯେଉଁପରି ଅନୁଭବ କରିଛନ୍ତି, ସେ ନିଜସ୍ୱ ଢଙ୍ଗରେ ତାହା ସମାଜରେ ପରିବେଷଣ କରିଛନ୍ତି । କେତେକ ସ୍ଥଳରେ ସେମାନଙ୍କ ଦୃଷ୍ଟିଭଙ୍ଗୀ ପରଷ୍ପରର ବିରୋଧାଭାସର ସଂକେତ ମଧ୍ୟ ଦିଏ । ଆମର କ୍ଷୁଦ୍ର ମନ ସେମାନଙ୍କର ଦର୍ଶନ ବୁଝିବାକୁ ବେଳେ ବେଳେ ଅକ୍ଷମ ବି ହୁଏ । ପରନ୍ତୁ, ପ୍ରତ୍ୟେକ ନିଜର ଦର୍ଶନକୁ ନିଷ୍ଠା ସହକାରେ ପ୍ରକାଶ କରିଛନ୍ତି । “ଏକଂ ସତ୍ ବିପ୍ରାଃ ବହୁଧା ବଦନ୍ତି ।”

ଭାରତୀୟ ଦର୍ଶନଗୁଡିକର ସାରସଂଗ୍ରହ ଶ୍ରୀମଦ୍‌ଭଗବତଗୀତାରେ ସଂକଳିତ ହୋଇଅଛି । ଏହାକୁ ସ୍ୱୟଂ ଶ୍ରୀଭଗବାନ ଶ୍ରୀମୁଖରେ କହିଛନ୍ତି । ଉଲ୍ଲିଖିତ ଶ୍ଳୋକରୁ ବୁଝାଯାଏ ଯେ, ଯେ କୌଣସି ଶରୀର ଜନ୍ମ ପୂର୍ବରୁ ଅବ୍ୟକ୍ତ ଥିଲା, ପୁଣି ମୃତ୍ୟୁ ପରେ ଅବ୍ୟକ୍ତ ହୋଇଯିବ । ତେଣୁ ଜନ୍ମମୃତ୍ୟୁର ମଧ୍ୟରେ ଥିବା ବ୍ୟକ୍ତ ଶରୀର ପାଇଁ ହେ ଅର୍ଜୁନ! ଏତେ ପରିବେଦନା କାହିଁକି? ଜୀବନ ନଦୀର ଦୁଇଟି କୂଳ ହେଉଛି ଜନ୍ମ ଓ ମୃତ୍ୟୁ । ତେଣୁ, ଆମେ ଜୀଉଥିବା ଜୀବନଟି ଯେଉଁ ଅବ୍ୟକ୍ତରୁ ଆସିଛି, ସେଇଠାକୁ ଫେରିଯିବ ନିଶ୍ଚୟ । କାରଣ, “ଜାତସ୍ୟ ହି ଧ୍ରୁବୋ ମୃତ୍ୟୁଃ ଧ୍ରୁବଂ ଜନ୍ମମୃତସ୍ୟଚ ।”

ଚାର୍ବାଚ ଋଷି କହିଲେ – ଭସ୍ମୀଭୂତ ହୋଇଯାଇଥିବା ଶରୀରର ପୁନରାଗମନ କିପରି ହେବ? ଏଇ ଜୀବନ ହିଁ ସବୁ କିଛି । ତେଣୁ, ଋଣ କରି ଘିଅ ଖାଅ, ଯେତେଦିନ ବଂଚୁଛ ଆନନ୍ଦରେ, ସୁଖରେ, ମଉଜମଜଲିସ୍‌ରେ ବଂଚ । କିନ୍ତୁ, ଭାରତୀୟ ଜନମାନସ ଏହାକୁ ଗ୍ରହଣ କଲା ନାହିଁ ।

ଆମର ପ୍ରଧାନ ଦୁଇଟି ମହାନ୍ ଗ୍ରନ୍ଥ ରାମାୟଣ ଓ ମହାଭାରତରୁ ପାଉଁ ଯେ – ଜଣେ ମରିକରି ପୁଣି ଜନ୍ମ ହୋଇ ତା’ର ବାକୀ ଥିବା କାମ, ପ୍ରତିଜ୍ଞା, ଇଚ୍ଛାଗୁଡିକୁ ପୂରଣ କରିପାରେ । ଯେପରି ତ୍ରେତୟା ଯୁଗରେ ଶ୍ରୀରାମ ବାଳୀକୁ ବଧ କରିଥିବାରୁ, ତା’ର ପୁତ୍ର ଅଙ୍ଗଦ ଦ୍ୱାପର ଯୁଗରେ ଜରାଶବର ରୂପେ ଜନ୍ମ ହୋଇ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ଘଟାଇ ଥିଲା । ଏକ ହିଁ ଭଗବାନ ତ୍ରେତୟାରେ ରାମ ଓ ଦ୍ୱାପରରେ କୃଷ୍ଣ ହୋଇ ଜନ୍ମ ହୋଇଥିଲେ । ତ୍ରେତୟାର ସୂର୍ପଣଖା ଦ୍ୱାପରର କୁବ୍‌ଜୀ ବୋଲି ବର୍ଣ୍ଣନା କରାଯାଇଛି । ଏହିପରି ଅନେକ ଉଦାହରଣ ରହିଛି । ଯେଉଁମାନେ ଈଶ୍ୱରବିଶ୍ୱାସୀ, ପୁରାଣଶାସ୍ତ୍ର ଉପରେ ଆସ୍ଥା ରଖନ୍ତି, ସେମାନଙ୍କ ନିମନ୍ତେ ଏହା ସତ୍ୟ । ଅପରପକ୍ଷେ, ଯେଉଁମାନେ ସେପରି ନୁହଁନ୍ତି, ସେମାନଙ୍କ ପାଇଁ ଏହା ସୁବିନ୍ୟସ୍ତ, ସୁସଂଯୋଜିତ କାହାଣୀ ମାତ୍ର ।

ପରନ୍ତୁ, ଶାସ୍ତ୍ରପୁରରାଣକୁ ବାଦ୍ ଦେଲେ ଆମ ଯୁଗରେ ମଧ୍ୟ ଏପରି ପ୍ରମାଣ ପାଉଛନ୍ତି ଯେ ଜୀବନ ଗୋଟିଏ ଜନ୍ମରେ ଶେଷ ହୁଏ ନାହିଁ । ବିଭିନ୍ନ ପୁସ୍ତକ, ପତ୍ରପତ୍ରିକାରେ ଏପରି ଖବର ଦେଖିବାକୁ ମିଳେ । ଛୋଟ ପିଲାଟିଏ, ଗାଁ ଛାଡି ବାହାରକୁ ଯାଇନି; ଅଥଚ ଗତ ଜନ୍ମରେ ସେ କିଏ ଥିଲା, ତା’ର ନାମ, ଘର, ପରିବାରର ଠିକଣା ଠିକ୍ ଠିକ୍ ବତାଇ ପାରୁଛି । ଏମାନଙ୍କୁ ‘ଜାତିସ୍ମର’ କୁହାଯାଏ । ଅବଶ୍ୟ, ଏପରି ଘଟଣା ଅତି ବିରଳ । ପ୍ରାଗୈତିହାସିକ କାଳର ଜଡ ଭରତ କାହାଣୀ, ବୁଦ୍ଧଦେବଙ୍କ ବିଷୟରେ ‘ବୁଦ୍ଧ ଜାତକ’ ଗଳ୍ପଗୁଡିକ ପୁନର୍ଜନ୍ମକୁ ସିଦ୍ଧ କରନ୍ତି । ସୌଭାଗ୍ୟବଶତଃ, ମହାନ୍ ସନ୍ଥ ଆତ୍ମନିଷ୍ଠ ସ୍ୱାମୀ ଶ୍ରୀଗୈବାନନ୍ଦଜୀ ମହାରାଜ ପରମହଂସ ଦେବଙ୍କୁ ଦର୍ଶନ କରିଛି । ସେ ତାଙ୍କର ସୁଯୋଗ୍ୟା ଶିଷ୍ୟା ପରମହଂସୀ ପୂର୍ଣ୍ଣା ମାତାଜୀଙ୍କୁ କହିଥିଲେ,- ଗତଜନ୍ମରେ ସେ ଜଣେ ଜୈନମୁନି ଥିଲେ । ତାଙ୍କର ମଠ ବା ଠା’ଠିକଣା ନ ଥିଲା । ମୁଁ ମୋର ଅତ୍ୟନ୍ତ ପ୍ରିୟ ବୁଢାବା’ ସହିତ ପ୍ଲାନସେଟ୍ ସହାଯ୍ୟରେ ପ୍ରଶ୍ନୋତର କରିଛି । ମୁଁ ଅନୁଭବ କରିଛି ଯେ ମରଣ ପରେ ଆତ୍ମା ରହିଛନ୍ତି । ପ୍ରାରବଧ୍ ଅନୁସାରେ କର୍ମଫଳ ଭୋଗ କରିବା ନିମନ୍ତେ ପ୍ରତ୍ୟେକ ଜୀବାତ୍ମାଙ୍କୁ ବିଭିନ୍ନ ଶରୀର ଧାରଣ କରିବାକୁ ପଡେ । ଅବଶ୍ୟ ଯେଉଁ ଶୁଦ୍ଧାତ୍ମାମାନେ ସାଧନା କରି ପରମାତ୍ମାଙ୍କୁ ପ୍ରାପ୍ତ ହୋଇଛନ୍ତି ବା ତାଙ୍କଠାରେ ଲୀନ ହୋଇଯାଇଛନ୍ତି, ସେମାନେ ଜନ୍ମମୃତ୍ୟୁ ଚକ୍ରରୁ ମୁକ୍ତ ହୋଇଯାଇଛନ୍ତି ।

ପୁରାଣଶାସ୍ତ୍ର ତଥ୍ୟକୁ ବାଦ୍ ଦେଇ ଯଦି ଅତିସାଧାରଣ ମଣିଷର ଜୀବନକୁ ଲକ୍ଷ୍ୟ କରାଯାଏ ତେବେେ ଜାଣି ହେବ ଯେ ମଣିଷ ଜନ୍ମ ହୁଏ ଯେଉଁପରି ବାପମା’ ପାଇଥାଏ, ସେମାନଙ୍କ ସାମାଜିକ, ଆର୍ଥିକ, ବୌଦ୍ଧିକ ସ୍ଥିତି, ପରିବେଶ-ବିଶେଷକରି ଭୌଗଳିକ ପରିବେଶ, ପରମ୍ପରା, ରୀତିନୀତି, ବିଶ୍ୱାସ (ଅନ୍ଧବିଶ୍ୱାସ ଓ କୁସଂସ୍କାର ସହିତ) ଅନୁସାରେ ହିଁ ପାଳିତ ହୁଏ, ବଢେ, ଶିକ୍ଷାଦୀକ୍ଷା ଲାଭ କରେ । ସେମାନଙ୍କ ମଧ୍ୟରୁ କେହି କେହି ସମାଜର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇ ବୈଜ୍ଞାନୀକ, ଅଧ୍ୟାପକ, ପ୍ରଶାସକ, ସମାଜ ସୁଧାରକ, ଦେଶ ସେବକ, ଦାର୍ଶନିକ ଇତ୍ୟାଦି ହୋଇପାରନ୍ତି; କେହି କେହି ବା ବାଣିଜ୍ୟ ଇତ୍ୟାଦି ଦ୍ୱାରା ପ୍ରଭୂତ ସଂପତିର ମାଲିକ ହୋଇପାରନ୍ତି; କେହି କେହି ବା ନିଜ ଦୋଷରୁ ହେଉ ବା କୁସଂଗଦୋଷରୁ ହେଉ ପଥଭ୍ରଷ୍ଟ ହୋଇ ଦୁରାଚାରୀ, ଅତ୍ୟାଚାରୀ, ଚୋର, ଡାକୁ, ଖଂଟ ଇତ୍ୟାଦି ହୋଇପାରନ୍ତି; କେହି କେହି ବା ଖଟିବା-ଖାଇବା, ସନ୍ତାନ ଉତ୍ପତି କରିବାକୁ ହିଁ ଜୀବନ ବୋଲି ଜାଣନ୍ତି । ଆୟୂ ଶେଷରେ ଅଜଣା, ଅଲୋଡା ହୋଇ ଏ ସଂସାରରୁ ବିଦା ହୋଇଯାଆନ୍ତି । ମାନବ ସମାଜର ବହୁଳାଂଶ ଏଇ ଗଡ୍‌ଡାଳିକା ପ୍ରବାହରେ ଭାସି ଚାଲିଛନ୍ତି । ସୁଅ ମୁହଁରେ ପତର ପରି କେତେବେଳେ ବୁଡୁଛନ୍ତି, କେତେବେଳେ ଉଠୁଛନ୍ତି, ତା’ର ଠା’ଠିକଣା ନାହିଁ । ଏଇଟା ହିଁ ତାଙ୍କର ଜୀବନ । ତାଙ୍କ ବାପାମାନେ, ବାପାମାନଙ୍କ ବାପାମାନେ ଏଇପରି ଜୀବନ ବଂଚି ଆସିଛନ୍ତି, ସେମାନେ ବଂଚୁଛନ୍ତି । ଏଇଥିରେ ସେମାନେ ସନ୍ତୁଷ୍ଟ । ଜୀବନରେ କିଛି ମହଦାକାଙ୍‌କ୍ଷା, ଉଚ୍ଚଆଶା, ଗୁଳା ବଦଳାଇବାର ପ୍ରଚେଷ୍ଟା ଏମାନଙ୍କର ନାହିଁ । ଯେମିତି ଚାଲୁଛି, ସେମିତି ଚାଲୁଥାଉ । କୌରସି ନୂଆ ଚିନ୍ତା, ଭାବନା, ଉଦ୍ୟମ ଏମାନଙ୍କର ନାହିଁ । ଏମାନେ ବି ମଣିଷ, ବିଶ୍ୱ ମାନବସମୁଦାୟରେ ଅଂଗ ।

ତା’ହେଲେ, ଏଇ କ’ଣ ଜୀବନ! ଜନ୍ମ-ବୃଦ୍ଧି-ସ୍ଥିତି-କ୍ଷୟ-ବିନାଶ! ଏହା ତ ପଶୁମାନଙ୍କର ଜୀବନ, ସରିସୃପ, ଉଦ୍‌ଭିଦ ଜଗତର ଜୀବନ । ଖୁବ୍ ଅଳ୍ପକାଳ ହେଲେ ମଧ୍ୟ କୃମୀକୀଟଙ୍କ ଜୀବନ! ଡାରୱିନ୍‌ଙ୍କ ବିବର୍ତନବାଦ ଅନୁସାରେ ବର୍ତମାନର ମଣିଷ ବିବର୍ତନର ଶୀର୍ଷ ଦେଶରେ ଅବସ୍ଥିତ । ପୁରାଣଶାସ୍ତ୍ରମାନେ ତ ମାନବ ଜନ୍ମ ଦୁର୍ଲଭ ବୋଲି ଘୋଷଣା କରିଛନ୍ତି । ବଙ୍ଗଳାର ମାତୃଭକ୍ତ ରାମପ୍ରସାଦ ଗାଇଛନ୍ତି – “ମନରେ! କ୍ରିଷି କାଜ୍ ଜାନୋ ନା । ଏମନ୍ ମାନବ ଜମୀନ୍ ରଇଲ ପତିତ, ଆବଦ କରଲେ ଫଲତୋ ସୋନା ।”

ସାଧାରଣ ମାନବ ସମାଜ ମଧ୍ୟରେ ଏପରି ଜୀବନମାନ ଅଛନ୍ତି, ଯେଉଁମାନଙ୍କୁ ସମାଜ ସେମାନଙ୍କ ଜୀବନକାଳରେ କେବଳ ନୁହେଁ, ସେମାନଙ୍କ ଅବର୍ତମାନରେ ବି ପୂଜା କରେ, ସମ୍ମାନ କରେ, ଶ୍ରଦ୍ଧା କରେ, ଆଦର କରେ, ଭକ୍ତି କରେ । ସମାଜ ନତମସ୍ତକ ହୋଇ ସେମାନଙ୍କ ମହିମା, ଗୁଣଗାନ କରେ । ସେମାନେ ଏଇ ସମାଜରୁ ହିଁ ବାହାରିଛନ୍ତି, ଏଇ ସମାଜରେ ବଢିଛନ୍ତି । ପରନ୍ତୁ, ସେମାନଙ୍କ କର୍ମ, ନୀତିନିଷ୍ଠା, ପ୍ରେମ,- କେବଳ ନିଜର ଗୋଷ୍ଠୀ ପ୍ରେମ ନୁହେଁ, ସମଗ୍ର ମାନବ ସମାଜର ପ୍ରେମ – ଦୈନନ୍ଦିନ ଜୀବନଚର୍ଯ୍ୟା, ଆଦର୍ଶ ବିଚାର, ସିଦ୍ଧାନ୍ତ, ବିଶ୍ୱାସ, ଧାରଣା ସେମାନଙ୍କୁ ଏପରି ଶୀର୍ଷ ଦେଶରେ ପହଂଚାଇ ପାରିଛି । ବହୁ ପୂରାକାଳରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଏମାନଙ୍କ ନାମତାଲିକା ବହୁତ ଲମ୍ବା । ଏବେ ମଧ୍ୟ ଆମ ସମାଜରେ ଏପରି ବ୍ୟକ୍ତିତ୍ୱ ଅଛନ୍ତି, ଯେଉଁମାନେ ପୂର୍ବସୂରୀମାନଙ୍କ ପଦାଙ୍କ ଅନୁସରଣ କରି ନିଜ ଜୀବନରେ ତାହା ରୂପାୟିତ କରିଚାଲିଛନ୍ତି । ସେମାନଙ୍କୁ ମହାପୁରୁଷ, ମହାତ୍ମା, ନିଷ୍କାମ କର୍ମଯୋଗୀ ବୋଲି ନାମିତ କରିଛନ୍ତିା ଜ୍ଞାନ, କର୍ମ, ଭକ୍ତିର ତ୍ରିବେଣୀ ସଙ୍ଗମରେ ସେମାନଙ୍କ ଜୀବନ ଧନ୍ୟ ହୋଇଯାଇଛି । ସେମାନେ ପ୍ରାତଃ ସ୍ମରଣୀୟ ହୋଇଯାଇଛନ୍ତି, ଯାଉଛନ୍ତି, ଯାଉଥିବେ । ଆମ ଓଡିଶାର ଭୀମ ଭୋଇଙ୍କ ଜୀବନକୁ ଲକ୍ଷ୍ୟ କରନ୍ତୁ । ଜାତିରେ କନ୍ଧ, ଆଖିରେ ଅନ୍ଧ । କିନ୍ତୁ ତାଙ୍କର କରୁଣାମୟ ବିଶାଳ ହୃଦୟର ଗଭୀରତା ଅଥଳ । “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଁ ଦେଖୁଁ କେ’ ବା ସହୁ । ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଦାର ହେଉ ।” ଏପରି ଆବେଗଭରା ବିଶାଳ କରୁଣାସାଗର ହୃଦୟକୁ କଦାପି ସାଧାରଣ ମଣିଷର ବୋଲି କହି ପାରିବା ନାହିଁ । ଏଇମାନେ ହିଁ ମହାପୁରୁଷ, ମହାନ୍ ଆତ୍ମା ।

ଏହା ମଧ୍ୟ ସତ୍ୟ ଯେ ସେମାନଙ୍କ ପରି ସାରା ସମାଜ କେବେହେଲେ ହୋଇ ପାରିବ ନାହିଁ, ସମସ୍ତେ ହୋଇପାରିବେ ନାହିଁ । କିନ୍ତୁ ସେହିମାନେ ହିଁ ସମାଜର ଆଦର୍ଶ, ଗୁରୁ, ପଥପ୍ରଦର୍ଶକ, ଆଲୋକବାହକ । ସେହିମାନଙ୍କୁ ଅନୁସରଣ କରିବା, ସେମାନଙ୍କ ପଥରେ ପଥିକ ହେବା ପ୍ରତ୍ୟେକ ମାନବର ଲକ୍ଷ୍ୟ ହେବା ଉଚିତ୍ । କିନ୍ତୁ ସେମାନଙ୍କ ଅବିକଳ ନକଲ କରିବା ‘ହନୁକରଣ’ ହୋଇ ଯାଇପାରେ । ଉଦାହରଣ ସ୍ୱରୂପ, ମୁଁ ଦେଖିଥିବା ଏକ ଘଟଣା ବର୍ଣ୍ଣନା କରୁଛି । ମୋ ଜୀବନରେ ଦର୍ଶନ କରିଥିବା ସର୍ବଶ୍ରେଷ୍ଠ ଆଧ୍ୟାତ୍ମିକ ମହାତ୍ମା, ଚରମରେ ପହଂଚି ସାରିଥିବା ମହାନ୍ ସନ୍ଥ ହେଉଛନ୍ତି ଆତ୍ମନିଷ୍ଠ ସ୍ୱାମୀ ଶ୍ରୀଗୈବାନନ୍ଦଜୀ ମହାରାଜ ପରମହଂସ ଦେବ । ତାଙ୍କ ଜୀବନକାଳର ଶେଷଆଡକୁ ମନରେ ଏକ ଭାବନା ଆସିଲା – ‘ଦୁଧ ହେଉଛି ବାଛୁରୀର ହକ୍ । ସୃଷ୍ଟିକର୍ତା ତା’ ପାଇଁ ହିଁ ତା’ ମା’ ପହ୍ନାରେ ଦୁଧ ଭରି ଦେଇଛନ୍ତି । କୌଣସି କାରଣ ଦର୍ଶାଇ ତାହା ଦୁହିଁ ଆଣିବା ଅନ୍ୟାୟ ।’ ତେଣୁ ସେ ଦୁଧ ଛାଡି ଦେଲେ । ତାଙ୍କର ଶିଷ୍ୟମାନେ କଂଚା ଚିନାବାଦାମକୁ ବାଟି ପାଣିମିଶାଇ ଚା’ରେ ଦୁଧର କାମ ତୁଲାଉଥିଲେ । ଆହୁରି ଏକ ଭାବନା ଆସିଲା –‘ବଳଦକୁ କଷ୍ଟ ଦେଇ ଧାନ ଉତ୍ପାଦନ କରାଯାଉଛି ।’ ତେଣୁ ସେ ବଳଦଦ୍ୱାରା ଚାଷ କରାଯାଉଥିବା ଧାନର ଭାତ ଖାଇବା ଛାଡି ଦେଲେ । ମୟୁରଭଞ୍ଜ ଜିଲ୍ଲା ବଡଡାଳିମା ଆଶ୍ରମରେ, ତାଙ୍କର ନିଷ୍ଠାପର ଭକ୍ତ କପିଳି ଗ୍ରାମର ବେଦପ୍ରକାଶ ନାଏକ ନିଜେ ବଳଦବିନା ଶକ୍ତ କାଠଖୁଂଟା ସାହାଯ୍ୟରେ ନିଜ ଜମିରେ ଧାନ ରୋଈ ଫଳାଉଥିଲେ ଏବଂ ସେହି ଧାନର ଚାଉଳରେ ଶ୍ରୀବାବାଙ୍କ ପ୍ରସାଦ ପ୍ରସ୍ତୁତ ହେଉଥିଲା । ଏହା ସନ୍ଥମାନଙ୍କର ଅତ୍ୟୁଚ୍ଚ ଦରଦୀ ହୃଦୟର ଭାବନା । କିନ୍ତୁ ଏହା ସମାଜ ପାଇଁ ଗ୍ରହଣୀୟ ହୋଇପାରିବ ନାହିଁ । ତେଣୁ, ସେମାନଙ୍କର ସୂକ୍ଷ୍ମ ଭାବନାକୁ ପ୍ରଣାମ କରିବାକୁ ହୁଏ ।

ପ୍ରତ୍ୟେକ ମାନବକୁ ସମାଜ ବହୁତ ଦାନ କରିଛି । ଜନ୍ମ ପୂର୍ବରୁ ମାତୃଗର୍ଭରେ ଥିବା ସମୟରୁ ସମାଜ ତା’ ପାଇଁ ତା’ର ସୁରକ୍ଷା ଓ ଉଚିତ୍ ବର୍ଦ୍ଧନ ନିମନ୍ତେ ଚେଷ୍ଟା କରିଆସିଛି । ପ୍ରତ୍ୟେକ ମଣିଷ ପରିବେଶ, ପରିସ୍ଥିତି ଅନୁଯାୟୀ ପରିବାର, ଗ୍ରାମ, ଦେଶ ଜନ୍ମ ମାତ୍ରେ ପାଇଛି । ଅବୋଧ ଶିଶୁକୁ ପୂର୍ଣ୍ଣମାନବ କରିବା ନିମନ୍ତେ ସମାଜ ସ୍ୱାସ୍ଥ୍ୟ, ଶିକ୍ଷା, ସୁରକ୍ଷାର ସୁବନ୍ଦୋବସ୍ତ କରିଛି । ସ୍ନେହ, ସରାଗ, ଶ୍ରଦ୍ଧା, ପ୍ରେମ ଅକାତରେ ଦାନ କରିଛି । ଏଥିନିମନ୍ତେ ପ୍ରତ୍ୟେକ ମାନବ ସମାଜ ନିକଟରେ ଋଣୀ । ଏହି ଋଣରୁ ମୁକ୍ତ ହେବା ପ୍ରତ୍ୟେକ ମନୁଷ୍ୟର ପରମ କର୍ତବ୍ୟ । ଅସହାୟ ଅବସ୍ଥାରେ ସମାଜ ଯାହା ଦାନ କରିଛି, ମାନବ ଶିଶୁ ସବଳ ହେଲେ ତା’ର ଦଶଗୁଣ ସମାଜକୁ ଫେରାଇ ଦେବା ଉଚିତ୍ । ନିଜ ଶକ୍ତି ଅନୁସାରେ ଋଣମୁକ୍ତ ହେବାକୁ ଚେଷ୍ଟା କରିବା ଉଚିତ୍ । ଏହା ସତ ଯେ, ସମସ୍ତଙ୍କ ନିକଟରେ ସମାନ ସୁବିଧା ସୁଯୋଗ ନ ଥାଏ । ତଥାପି, ଯେତେ ଦୂର ସମ୍ଭବ, ଏ ଦିଗରେ ଅଗ୍ରସର ହେବା ଉଚିତ୍ । ଅତି କମ୍‌ରେ, ପ୍ରତ୍ୟେକ ଭାବିବା ଉଚିତ୍ ଯେ, ‘ମୁଁ ମୋ ଶକ୍ତି ଅନୁସାରେ ସାମଜକୁ ଆଗକୁ ବଢିବାକୁ ସହଯୋଗ କରିବି । ଯଦି କୌଣସି ଅକ୍ଷମତା କାରଣରୁ ସାମଜର ଉପକାର କରି ପାରୁନି, ତେବେ କଦାପି ସମାଜର ଅପକାର କରିବି ନାହିଁ ।’ଉଚ୍ଚ ସକାରାତ୍ମକ ଚିନ୍ତା ଏବଂ ସରଳ ଜୀବନ ଯାପନ ସହିତ ସମାଜକୁ ଅଗ୍ରଗାମୀ ହେବାରେ ସହଯୋଗ କରିବା ହିଁ ଉତମ ଜୀବନ ଅଟେ ।

ସା :ତରାପୁର, ପୋ : ଲକ୍ଷ୍ମୀନଗର,
ଜି – ଯାଜପୁର ।
ମୋ : ୯୯୩୭୫୯୩୪୯୩

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ