ଏବେ ପଙ୍ଗପାଳ ଚିନ୍ତା

ସୌଭାଗ୍ୟ ରଂଜନ ମହାନ୍ତି (ରାଜା)

ପ୍ରାଣଘାତୀ କରୋନା ଭୂତାଣୁ ସଂକ୍ରମଣ ବିରୁଦ୍ଧରେ ଦେଶ ଏବେ ଲଢେଇ ଜାରି ରଖିଥିବା ସମୟରେ ଏବଂ ସାମୁଦ୍ରିକ ଝଡ ଅମ୍ଫନର କମ୍ପନ ପରେ ଦେଶ ଆଉ ଏକ ଭୟଙ୍କର ବିପର୍ଯ୍ୟାୟର ସମ୍ମୁଖୀନ ହୋଇଛି, ତାହା ହେଉଛି ପଙ୍ଗପାଳ, ଆକ୍ରମଣ ବୋଲି କୁହାଯାଇପାରେ । କରୋନା ଓ ଅମ୍ଫନ ଉଭୟ ଜୀବନ, ଜୀବିକା ଓ ଭିତିଭୂମି ଉପରେ ତାଣ୍ଡବ ସୃଷ୍ଟି କରିଥିବା ବେଳେ ପଙ୍ଗପାଳ କୃଷିକ୍ଷେତ୍ର ବା ଖାଦ୍ୟର ଭଣ୍ଡାର ଉପରେ ବିପର୍ଯ୍ୟାୟର କାରଣ ହୋଇଛି । କରୋନା ଭୂତାଣୁରେ ଦୈନିକ ୬ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ହେଉଥିବା ବେଳେ ଦୈନିକ ଶତାଧିକ ଲୋକ ପ୍ରାଣ ହରାଇଛନ୍ତି । ୧୯୯୯ ସୁପର ସାଇକ୍ଲୋନର ଦୁଇ ଦଶନ୍ଧି ପରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ପୂର୍ବ ଭାରତୀୟ ଅଂଚଳରେ ଧ୍ୱଂସର ତାଣ୍ଡବ ରଚିଥିବା ବେଳେ ଭିତିଭୂମୀକୁ ଦୋହଲାଇ ଦେଇଛି । କିନ୍ତୁ ଏବେ ପଶ୍ଚିମ-ଉତର ଭାରତର ପାଂଚଟି ରାଜ୍ୟ ତଥା ପଂଜାବ, ରାଜସ୍ଥାନ, ଗୁଜୁରାଟ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ପଙ୍ଗପାଳ କୃଷିକ୍ଷେତ୍ରକୁ ଶ୍ରୀହୀନ କରିଦେବା ସହ ଖାଦ୍ୟ ଭଣ୍ଡାରରେ ଝଡ ସୃଷ୍ଟି କରି ଦେଶକୁ ଆଉ ଏକ ବଡ ବିପର୍ଯ୍ୟାୟ ସୃଷ୍ଟି କରିଛି । କୁହାଯାଏ ଯେ, ଗୋଟିଏ ମଧ୍ୟମ ଧରଣର ସହରର ବାସିନ୍ଦା ଗୋଟିଏ ଦିନରେ ଯେତିକି ଖାଦ୍ୟ ଖାଆନ୍ତି, ଗୋଟିଏ ପଙ୍ଗପାଳ ଦଳ ମଧ୍ୟ ଗୋଟିଏ ଦିନରେ ସେତିକି ଖାଦ୍ୟ ଖାଇଥାନ୍ତି । ପାକିସ୍ଥାନ ତଥା ରାଜସ୍ଥାନର ଥର ମରୁଭୂମି ପଟୁ ଆସିଥିବା ଏହି ପଙ୍ଗପାଳ ଦଳ ଗୋଟିଏ ପରେ ଗୋଟିଏ ରାଜ୍ୟ ଅତିକ୍ରମ କରି ଏବେ ମହାରାଷ୍ଟ୍ରରେ ପହଁଚିଛନ୍ତି । ଏଥିରୁ ଗୋଟିଏ ଦଳ ଏବେ ଓଡ଼ିଶା ମୁହାଁ ହୋଇଥିବା କୁହାଯାଇଛି । ଆହୁରି ମଧ୍ୟ କୁହାଯାଇଛି ଯେ, ପଙ୍ଗପାଳ ଦଳ ଗୋଟିଏ ଦିନରେ ଶହ ଶହ ହେକ୍ଟର ଜମିରେ ଫସଲ ଖାଇଯିବା ସହ ୧୫୦ କିଲୋମିଟର ପଥ ଅତିକ୍ରମ କରିଥାନ୍ତି । ଯଦି ଓଡ଼ିଶା ମୁହାଁ ପଙ୍ଗପାଳ ଦଳ ହୋଇଥାନ୍ତି, ତେବେ ରାଜ୍ୟରେ ପହଁଚିବା ଆଉ ବେଶୀ ଦୂର ନୁହେଁ ବୋଲି କୁହାଯାଇପାରେ । ଏବେ ରବି ଫସଲ ଅମଳ ସମୟ ହୋଇଥିବାରୁ ଚାଷୀ ଆତଙ୍କିତ ହୋଇଥିବା ବେଳେ ସରକାର ମଧ୍ୟ ଚିନ୍ତାରେ । ଉଲ୍ଲେଖ ଯୋଗ୍ୟ ଯେ, ମରୁଭୂମି ଅଂଚଳରୁ ସୃଷ୍ଟି ହୋଇଥିବା ପଙ୍ଗପାଳ କୃଷିକ୍ଷେତ୍ର ପ୍ରତି ସର୍ବଦା ଅନିଷ୍ଟକାରକ ହୋଇ ଆସିଛନ୍ତି । ୧୯୬୪ ମସିହାରୁ ୧୯୯୭ ମସିହା ମଧ୍ୟରେ ଆମ ଦେଶରେ ୧୩ଥର କୃଷିକ୍ଷେତ୍ର ପଙ୍ଗପାଳ ଦଳର ଶିକାର ହୋଇଛି । ୨୦୧୦ ମସିହା ପରେ କୃଷିକ୍ଷେତ୍ର ପଙ୍ଗପାଳ ଦଳର ଆକ୍ରମଣର ଶିକାର ହୋଇନଥିଲା କିମ୍ବା ବ୍ୟାପକ ମାତ୍ରାରେ ପଙ୍ଗପାଳ ବଂଶ ବିସ୍ତାର କରିଥିବା କୌଣସି ରିପୋର୍ଟ ନାହିଁ । ଗୋଟିଏ ଗୋଟିଏ ପଙ୍ଗପାଳ ଦଳରେ ୩ ଲକ୍ଷରୁ ଉର୍ଦ୍ଧ୍ୱ ରହିଥାନ୍ତି । ପଙ୍ଗପାଳ ଦଳ ଉଡିବା ସମୟରେ ସୂର୍ଯ୍ୟଙ୍କ ଆଲୋକ ପୃଥିବୀ ପୃଷ୍ଠରେ ପଡେ ନାହିଁ । ଜଳବାୟୁ ଉପରେ ପଙ୍ଗପାଳର ବଂଶ ବିସ୍ତାର ହୋଇଥାଏ । ଗତ ବର୍ଷ ଦେଶରେ ଅତ୍ୟଧିକ ବର୍ଷା ହେତୁ ମରୁଭୂମି ଅଂଚଳରେ ପଙ୍ଗପାଳର ବଂଶ ବିସ୍ତାରରେ ସହାୟକ ହୋଇଛି ବୋଲି କୁହାଯାଉଛି । ସେହିପରି ପଙ୍ଗପାଳ ଆକାଶରେ ଉଡିବା ଆରମ୍ଭ କରିବା ପରେ ଏହାକୁ ନିୟନ୍ତ୍ରଣ କରିବା କିମ୍ବା ମାରିବା ଆଦୌ ସହଜ ହୋଇନଥାଏ । ବଂଶ ବିସ୍ତାର ସମୟରେ ଏହା ଭୂପତିତ ଥିବା କୀଟନାଶକ ଔଷଧ ସିଂଚନ ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରିଥାଏ । ଏବେ ପଙ୍ଗପାଳ ଦଳକୁ ନିୟନ୍ତ୍ରଣ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପକ୍ଷରୁ ୮୯ଟି ଅଗ୍ନିଶମ ବାହିନୀ ଦ୍ୱାରା କୀଟନାଶକ ଔଷଧ ସିଂଚନ କାର୍ଯ୍ୟରେ ନିୟୋଜିତ ଥିବାବେଳେ ୧୨୦ଟି ସର୍ଭେଯାନ, ସ୍ପ୍ରେ ଉପକରଣ ସହ ଶତାଧିକ କଂଟ୍ରୋଲ ଭେକିଲ, ଶହଶହ ଟ୍ରାକ୍ଟରକୁ ନିୟୋଜିତ କରାଯାଇଥିବା ସତ୍ୱେ ଏହା ଫଳପ୍ରଦ ହୋଇପାରିନାହିଁ । ଏବେ ପଙ୍ଗପାଳ ଦଳ ଓଡ଼ିଶା ମୁହାଁ ହୋଇଥିବାରୁ ଚାଷୀକୂଳ ଆତଙ୍କିତ ହେବା ସ୍ୱାଭାବିକ । ତେବେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସତର୍କତା ପାଇଁ ଏକ ମାର୍ଗଦର୍ଶିକା ଜାରି କରାଯିବା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ । ରାଜ୍ୟ ସରକାର ମଧ୍ୟ ପଙ୍ଗପାଳକୁ ପ୍ରତିହିତ କରିବା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି । ତେବେ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ମାର୍ଗଦର୍ଶିକା ଅନୁଯାୟୀ ନିମ୍ବ ମଂଜିର ଦ୍ରବଣ ପଙ୍ଗପାଳ କବଳରୁ ଫସଲକୁ ସୁରକ୍ଷିତ ରଖିପାରିବ । ରାଜ୍ୟ ସରକାର ଯଥେଷ୍ଟ ପରିମାଣାର ନିମ୍ବ ମଂଜି ଦ୍ରବଣ ମହଜୁଦ ରଖିବା ଏବେ ସବୁଠାରୁ ଜରୁରୀ । ଏ କ୍ଷେତ୍ରରେ ସାମାନ୍ୟ ଅବହେଳା କେବଳ ଚାଷ ଓ ଚାଷୀଙ୍କୁ କ୍ଷତି ପହଂଚାଇବ ନାହିଁ । ଦେଶରେ ଖାଦ୍ୟ ସଂକଟ ସୃଷ୍ଟି କରିବା ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇନପାରେ । ବନ୍ୟା, ବାତ୍ୟା, ମରୁଡି ଜନିତ କ୍ଷତିଠାରୁ ପଙ୍ଗପାଳ ଦ୍ୱାରା କ୍ଷତି ଅତି ଭୟଙ୍କର । ପଙ୍ଗପାଳ ଗଛର ପତ୍ର, ଫୁଲ ଫଳ ଖାଇ ଦେଉଥିବାରୁ ଅମଳ ଆଶା ଶୂନ । ସରକାର କେବଳ ତତ୍ପରତା ପ୍ରକାଶ କଲେ ହେବନାହିଁ, ପଙ୍ଗପାଳ ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ।

ସାମ୍ବାଦିକ
୧୮୧୦, ଅନନ୍ତ ନଗର,
ମହତାବ ରୋଡ୍‌, ଓଲଡ୍ ଟାଉନ୍‌,
ଭୁବନେଶ୍ୱର-୭୫୧୦୦୨
୯୪୩୭୯୯୪୩୭୯

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ