ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଲା
ନୂଆଦିଲ୍ଲୀ: ଭାରତରେ ବୁଧବାର ପୂର୍ବାହ୍ନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୮ ହଜାର ୯୦୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ମୋଟ ସଂଖ୍ୟା ୨ ଲକ୍ଷ ୭ ହଜାର ୬୧୫ରେ ପହଞ୍ଚିଯାଇଛି। ସେହିପରି ଦିନକ ଭିତରେ ୨୧୭ ଜଣ ମୃତ୍ୟୁବରଣ କରିବାରୁ ମୋଟ ମୃତ୍ୟୁସଂଖ୍ୟା ୫ ହଜାର ୮୧୫ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧ ଲକ୍ଷ ୧ ହଜାର ୪୯୭ ଜଣ ଚିକିତ୍ସାଧୀନ ଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ୧ ଲକ୍ଷ ଅତିକ୍ରମ କରିଛି। ଭାରତରେ ୪୮.୧୯ ପ୍ରତିଶତ ସୁସ୍ଥ ହୋଇଥିବା ବେଳେ ଏହି ସଂଖ୍ୟା ୧ ଲକ୍ଷ ୩୦୩ରେ ପହଞ୍ଚିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏଥିସହ ଭାରତରେ ସପ୍ତମ ଦେଶ ଭାବେ ୨ ଲକ୍ଷରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି। ଭାରତରେ ୧୫ ଦିନ ଭିତରେ ଏକ ଲକ୍ଷରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବା ମଧ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସେହିପରି ଭାରତରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ମୃତକଙ୍କ ସଂଖ୍ୟା ମାତ୍ର ୨.୮୨ ପ୍ରତିଶତ ରହିଥିବା ବେଳେ ଏମାନଙ୍କ ମଧ୍ୟରେ ୫୦ ପ୍ରତିଶତରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକ ବୋଲି ମନ୍ତ୍ରାଳୟ ପକ୍ଷରୁ ଯୁଗ୍ମ ସଚିବ ଲବ ଅଗରୱାଲ୍ କହିଛନ୍ତି। ବିଶ୍ବରେ ମୃତକଙ୍କ ପ୍ରତିଶତ ୬.୧୩ ପ୍ରତିଶତ ରହିଥିବା ବେଳେ ଭାରତରେ ଏହା ତୁଳନାରେ ଯଥେଷ୍ଟ କମ୍ ସଂଖ୍ୟକ ଲୋକ କୋରୋନା ସଂକ୍ରମଣ କାରଣରୁ ମୃତ୍ୟୁବରଣ କରିଥିବା ଅଗରୱାଲ୍ କହିଛନ୍ତି। ଏହାଛଡ଼ା ଦେଶରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କ ମଧ୍ୟରୁ ୭୩ ପ୍ରତିଶତଙ୍କଠାରେ ଡାଏବେଟିସ୍, ହାଇପରଟେନସନ୍, ନିଃଶ୍ବାସପ୍ରଶ୍ବାସଜନିତ ସମସ୍ୟା ଓ ହାର୍ଟ ସମସ୍ୟା ରହିଥିବା ଅଗରୱାଲ୍ କହିଛନ୍ତି।


