ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

ଛତ୍ରପୁର (ଓ୍ବାଇଏନ୍ଏସ୍) : ଓସ୍ବାନ୍ ଭିଡିଓ କନଫରେନ୍ସ ହଲ୍ ରେ ଭିଡିଓ କନଫରେନସିଂ ମାଧ୍ୟମରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ବିଧାନ ସଭାର ମାନ୍ୟବର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ଗଞ୍ଜାମ ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକ ମାନେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଡି ହୋଇଥିଲେ । ଚଳିତ ବର୍ଷାଋତୁରେ ଗଞ୍ଜାମ ଜିଲ୍ଲାକୁ କିପରି ପ୍ରାକୃତିକ ବିପର୍ଯ୍ୟୟକୁ କିପରି ମୁକାବିଲା କରାଯାଇ ପାରିବ ସେଥିପ୍ରତି ସମସ୍ତ ସାଂସଦ ଏବଂ ବିଧାୟକ ମାନେ ନିଜ ନିଜ ଅଞ୍ଚଳର ସମସ୍ୟା ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ବର୍ଷାଋତୁ ପୂର୍ବରୁ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ କୃଷି ବିଭାଗ, ସ୍ବାସ୍ଥ୍ୟ ବିଭାଗ ଏବଂ ଯୋଗାଣ ବିଭାଗ ସଜାଗ ରହିବା ସହ ବର୍ଷା ପୂର୍ବରୁ ଡ୍ରେନ୍ ମାନଙ୍କରେ ଜଳ ନିଷ୍କାସନ ଏବଂ ଅଧିକ ଅମଳକ୍ଷମ ଓ ଉନ୍ନତମାନର ବିହନ ଯୋଗାଣ ଉପରେ ମାନ୍ୟବର ମନ୍ତ୍ରୀ ବିକ୍ରମ ଆରୁଖ୍ ଗୁରୁତ୍ବ ଆରୋପ କରିଥିଲେ । ନଦୀ ତଟବର୍ତ୍ତୀ ଅଞ୍ଚଳ ଏବଂ ବିଭିନ୍ନ ଘାଇର ସ୍ଥିତି ଅନୁଧ୍ୟାନ କରି ତାର ମରାମତି କରିବାପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ .। ପ୍ରାକୃତିକ ବିପର୍ଯ୍ୟୟ ସହିତ ମନୁଷ୍ୟକୃତ ବିପର୍ଯ୍ୟୟ ପାଇଁ ସତର୍କ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବାଘୁଆ ନଦୀ ବନ୍ଧ ର ଯେଉଁ ସ୍ଥାନ ଗୁଡିକ ଦୁର୍ବଳ ଅଛି ତାର ମରାମତି କରିବା ନିମନ୍ତେ ଆସ୍କା ବିଧାୟିକା ମତ ରଖିଥିଲେ । ଏହା ବ୍ୟତୀତ ଆସ୍କା ଏନ୍.ଏ.ସି. ରେ ପାନୀୟ ଜଳ ସମସ୍ୟା ସମାଧାନ କରିବା ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦ ଦତ୍ତାତ୍ରେୟ ଭାଉ ସାହେବଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ