ବିଶ୍ୱ ପିତୃତ୍ୱ ଦିବସ, ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ପରମ ତପ…

ବିପିନ ବିହାରୀ ମହାନ୍ତି

ପିତା ଓ ମାତା ଦୁଇ ବିପରୀତ କାରକଙ୍କ ସହଯୋଗରେ ସନ୍ତାନର ସୃଷ୍ଟି ଅଥଚ ସନ୍ତାନର ଗର୍ଭଧାରିଣୀ ହେଉଛି ମା’ । ସେହି ତା’ର ଈଶ୍ୱରୀ, ସେ ତା’ର ଲାଳନପାଳନ କରେ । ସକଳ ଅଳି ଅର୍ଦ୍ଦଳି ସହେ; ସେ ତା’ ପାଇଁ ସର୍ବସଂହା । ସନ୍ତାନଟିଏ ତା ପାଇଁ ଯାହା ହେଉନା କାହିଁକି, ମା’ଟି ତା’ ପାଇଁ ସଦାକାଳେ ଯୋଗ୍ୟ । ଅଥଚ ଶିଶୁଟି ଭୂମିଷ୍ଠ ହେବା ପୂର୍ବରୁ ମା’ ଓ ଗର୍ଭସ୍ଥ ଶିଶୁର ଯତ୍ନ ନେବାରେ ଗୁରୁ ଦାୟିତ୍ୱ ଥାଏ ପିତାର ଏବଂ ଭୂମିଷ୍ଠ ହେବା ପରେ ଦାୟିତ୍ୱ ବଢ଼ିଯାଏ ସେହି ପିତାର । ଶିଶୁର ସର୍ବାଙ୍ଗୀନ ବିକାଶ ଓ ଲାଳନପାଳନ ପରେ ପିତାର ଦାୟିତ୍ୱ ମଧ୍ୟ କମ୍ ନଥାଏ । ମା’ର ଅନାବିଳ ପ୍ରେମ ଓ ବାପାର ଯତ୍ନ ଉଭୟ ସମପରିମାଣରେ ସନ୍ତାନ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏଇଥିପାଇଁ ମା’ ସ୍ୱର୍ଗାଦପୀ ଗରିୟସୀ ଏବଂ ପିତା ଆକାଶଠାରୁ ମହାନ୍‌, ବିଶାଳ ତାଙ୍କ ହୃଦୟ । ବାପାଙ୍କ କାନ୍ଧରେ ବସି ସନ୍ତାନଟି ଦୁନିଆ ଦେଖେ । ପିତା ହେଉଛନ୍ତି ସେହି ବ୍ୟକ୍ତି ଯିଏ ତା’ ପାଇଁ ଦୁନିଆର ସର୍ବ ଶ୍ରେଷ୍ଠ ଶୁଭଚିନ୍ତକ, ଯିଏ ଜଣେ ସନ୍ତାନର ହିତାର୍ଥେ ପାଲଟି ପାରନ୍ତି ବିମ୍ବିସାର ଓ ବିସର୍ଜି ପାରନ୍ତି ବିନା ଯୁଦ୍ଧରେ, ବିନା ଦ୍ୱିଧାରେ ସକଳ ସାମ୍ରାଜ୍ୟ ଓ ସୁଖ ସୌଭାଗ୍ୟ । ଇଂରାଜୀରେ କଥିତ ଅଛି: A dad is someone (he) who holds you when you cry, scolds you when you break the rules, shines whith pride when you succeed and has faith in you when you fail ଅର୍ଥାତ୍ ପିତା ହେଉଛନ୍ତି ସେହି ଜଣକ ଯିଏ ତୁମ ଦୁଃଖ ଓ କ୍ରନ୍ଦନ ବେଳେ ତୁମକୁ କୋଳେଇ ନିଏ, ସେହି ଜଣକ ଯିଏ ତୁମ ବିଶୃଶୃଙ୍ଖଳିତ ହେଲେ ବା ବେରାସ୍ତାକୁ ଗଲେ ତୁମକୁ ବାଟକୁ ଆଣିବାରେ ତାଗିଦ୍ କରି ଗାଳିଦିଏ, ସେ ସେହି ଲୋକ ଯିଏ ତୁମ କୃତକାର୍ଯ୍ୟରେ ଗର୍ବରେ ଫୁଲିଉଠେ ଏବଂ ସେ ସେହି ଲୋକ ଯିଏ ତୁମ ଅକୃତକାର୍ଯ୍ୟରେ ତୁମଠି ବିଶ୍ୱାସ ହରାଏ ନାହିଁ । ଗୋଟିଏ ଶିଶୁ ବାପାଙ୍କ ସ୍ନେହ, ଆଦର ଓ ଶ୍ରଦ୍ଧାରୁୁ ବଂଚିତ ହେଲେ ତାର ବ୍ୟକ୍ତିତ୍ୱ, ବୌଦ୍ଧିକ ଏବଂ ମନସ୍ତାତ୍ୱିକ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିଥାଏ ଏବଂ ତାର ସାମଗ୍ରିକ ବିକାଶ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଶିଶୁଟିଏ ବାପାଙ୍କ ସହିତ ମିଶି କେବଳ ଦୁନିଆ ଚିହ୍ନିବା ଶିଖେ । ଘାତ-ପ୍ରତିଘାତରେ ପିତାଙ୍କ ଠାରୁ ସୁରକ୍ଷା ଲୋଡ଼େ, ପିତାଙ୍କ ନାଁରେ ନିଜ ପରିଚୟ ଖୋଜେ । ଦେଖାଯାଇଛି ଯେ ଝିଅଟିଏ ଜନ୍ମଦିନରୁ ତା’ ମା’ ସହିତ ଅଧିକ ସଂପୃକ୍ତ ଥିଲା ପରି ପୁଅଟିଏ ତା ବାପାଙ୍କ ସହିତ ଭାବଗତ ଦୃଷ୍ଟିରୁ ଅଧିକ ସଂପୃକ୍ତ, ସୁରକ୍ଷିତ ଓ ଜଡ଼ିତ ଥାଏ । ବାପାଙ୍କ କାରଣରୁ ସେ ପ୍ରଶଂସିତ ବା ପ୍ରତିଷ୍ଠିତ ମଧ୍ୟ ଥାଏ । ପିତାଙ୍କର ସମସ୍ତ ସାକାରାତ୍ମକ ପ୍ରଭାବ ଶିଶୁର ବୌଦ୍ଧିକ, ମାନସିକ, ଶୈକ୍ଷିକ ତଥା ସମଗ୍ର ଅନୁରୂପ ସ୍ତର ପ୍ରତି ପ୍ରଭାବିତ କରେ । ଏହି କାରଣରୁ ବାପ୍ ସେ ବେଟା ଜ୍ୟାଦା ହୈ ବା ବାପଠୁ ପୁଅ ବଳେଇଯାଏ ଏବଂ ବାପ ଥିଲା ପୁତ୍ର ସଭାରେ ହାରେ ନାହିଁ । ଅଧୁନା ପୁତ୍ର ଓ କନ୍ୟା ସକଳ କ୍ଷେତ୍ରରେ ସମକକ୍ଷ ଏବଂ ପ୍ରତିଯୋଗୀ ହେତୁ, ସବୁଥିକୁ ପୁଅ ବୋଲି ବିଚାର ନକରି ସନ୍ତାନ ବୋଲି କହିବା ଉତମ ହେବ । ପିତାର ବଂଶାନୁକ୍ରମିକ ପରମ୍ପରାରେ ଆମେ ବି ଜଣେ ଜଣେ ପୁତ୍ର । ଧର୍ମାନୁସାରେ ପିତାଙ୍କ ଗୁରୁତ୍ୱ ଏତେ ଅଧିକ ଯେ ତାଙ୍କ ଋଣ କାଳେ କାଳେ ଯେତେ ଯାହା କଲେ ଅଶୁଝା । ଜଣେ ବ୍ୟକ୍ତିକୁ ତିନୋଟି ଋଣ ଶୁଝିବାକୁ ହୁଏ – ମାତୃ/ପିତୃଋଣ, ଗୁରୁଋଣ ଏବଂ ଦେବ ଋଣ । ଏମାନଙ୍କ ମଧ୍ୟରେ ପିତୃଋଣ ହିଁ ସବୁଠୁ ଅଧିକ । ଏଥିରୁ ମୁକ୍ତି ପାଇବାକୁ ହେଲେ ଦୁଇଟି କଥା କରିବାକୁ ହୁଏ, ପ୍ରଥମଟି ପିତୃସେବା ବା ପିତୃପୂଜା ଏବଂ ତୃତୀୟଟି ପୁତ୍ର ସନ୍ତାନର ପିତା ହେବା ଯିଏ କି ପୂର୍ବ ପୁରୁଷମାନଙ୍କର ମୁକ୍ତି ଦାତା । ଅବଶ୍ୟ ଏବେକୁ ଉଭୟ ସନ୍ତାନ ଏ ବିଚାରରେ ସମାନ ବୋଲି ଗ୍ରହଣ ଯୋଗ୍ୟ । ଭାରତୀୟ ସଭ୍ୟତାରେ ପିତୃପୂଜାର ପରମ୍ପରା ବୈଦିକ ଯୁଗରୁ ଚଳିଆସୁଛି । ତେବେ ବିଶ୍ୱସ୍ତରରେ ପିତୃପୂଜାରେ ମହତ୍ୱ ଉପଲବ୍‌ଧି କରି ସାର୍ବଜନୀନ ଭାବେ କେବେଠୁ ପାଳନ ହେଉଛି, ସେମିତି କିଛି ନିର୍ଦ୍ଦିଷ୍ଟ ତିଥିବାର ଜଣାନାହିଁ । ତେବେ ୧୯୦୮ ମସିହାରେ ପଶ୍ଚିମ ଭର୍ଜିନିଆ ଠାରେ ଗୀର୍ଜାସେବା ଭାବରେ ପ୍ରଥମେ ଏହା ଆରମ୍ଭ ହୋଇଥିଲା । ଆଉ କେତେକଙ୍କ ମତରେ ୧୯୦୯ ମସିହା ୧୮ ଜୁନ୍‌ରେ ୱାଶିଂଟନ୍ ଠାରେ ଏହାକୁ ବିଶ୍ୱ ପିତୃତ୍ୱ ଦିବସ ରୂପେ ଗ୍ରହଣ କରାଗଲା । ଏହିଦିନ ଜେ.ଏଚ୍‌. ବେରିଙ୍ଗର ଧଳା କଇଁଫୁଲକୁ ଏହାର ସଂକେତ ରୂପେ ଆଦରି ନିଆଗଲା । କଥାରେ ଅଛି : ଘୋଡ଼ାଚଢ଼ା ବାପା ଯାଉ ପଛେ ଶାଗ ତୋଳି, ମା’ ଥିଲେ ପିଲାମାନେ ଅନାଥ ହେବେ ନାହିଁ । ଏକଥା ମଧ୍ୟ ଗୋଟିଏ ପିତା ପାଇଁ ସତ୍ୟ । ଅନ୍ୟପକ୍ଷରେ ମା’ ବିନା ପିତା ପକ୍ଷେ ଶିଶୁ ପାଳନ ବଡ଼ କଷ୍ଟସାଧ୍ୟ । ଗୋଟିଏ ସଦ୍ୟଜାତ ଶିଶୁକୁ ଜନ୍ମ ଦେଇ ଯଦି ମା’ଟିଏ ଚାଲିଯାଏ ଅଥବା କୋଉ ସନ୍ତାନ ଭାଗ୍ୟରେ ଯଦି ବିମାତା ଆସିଯାଏ, ସେ କ୍ଷେତ୍ରରେ ପିତା ପାଇଁ କେତେ ଗୁରୁଦାୟିତ୍ୱ ଆସିଯାଏ, ସେକଥା ଚିନ୍ତା କଲେ, ମୁଣ୍ଡ ସତରେ ଘୁରିଯାଏ । ସେଠି ବାପାଟିଏ ମା’ ହେବା ଓ ବାପା ଦାୟିତ୍ୱ ତୁଲାଇବା କେତେ କଷ୍ଟ ସାଧ୍ୟ ବିଚାର୍ଯ୍ୟ । ସେଇଥିପାଇଁ ଯଥାର୍ଥରେ ବାପା ହେଉଛନ୍ତି- ବା…ପା ।
ଏବେ ବାପାଙ୍କୁ ସନ୍ତାନମାନେ ବୁଝନ୍ତି ନାହିଁ । ବିବାହ ପରେ ନିଜ ପରିବାରଙ୍କୁ ଧରି ବାଟକୁ ବୁଢ଼ା ଅଡ଼ୁଆ ନ୍ୟାୟରେ ଅନ୍ୟତ୍ର ବାସ କଲେଣି । ପୂଜା ପରିବର୍ତେ ଏବେ ବିପରୀତ ପୂଜା କଲେଣି । କୋଉଠି ମଦ୍ୟପ ପୁତ୍ରମାନେ ପିତାମାତାଙ୍କୁ ହତ୍ୟା କଲେଣି ତେଣୁ ଏବେ ଅସହାୟ ପିତାମାତାମାନେ ଜରାଶ୍ରମ ଦେଖିଲେଣି । ସତରେ କାହାନ୍ତି ସେ ପିତୃଭକ୍ତ ଶ୍ରବଣ କୁମାର କାହାନ୍ତି ସେ ରାମଚନ୍ଦ !! ହାୟରେ ସମୟ । ତଥାପି ବାପାଙ୍କ ପାଇଁ ଦିନଟିଏ ପ୍ରତିବର୍ଷ ଜୁନ୍ ତୃତୀୟ ରବିବାର ‘ବିଶ୍ୱ ପିତୃତ୍ୱ ଦିବସ’ ଅନ୍ତତଃ ଏତିକି ହେଉ ।

ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶନଗର, ଜଟଣୀ, ଖୋର୍ଦ୍ଧା, ଫୋନ୍‌-୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ