ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍ ସଂଶୋଧନକୁ ବିରୋଧ

ନାଉଗାଁ, (ଓ୍ୱାଇଏନ୍‌ଏସ୍‌): ଆଳୁ, ପିଆଜ, ତୈଳ ଜାତ ଆଦି ପଦାର୍ଥକୁ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେବା ପାଇଁ କେନ୍ଦ୍ର ସରକାର ଗତ ୩ ତାରିଖରେ ଆଣିଥିବା ଅଧ୍ୟାଦେଶକୁ ଅଲ ଇଣ୍ଡିଆ କିଷାନ କ୍ଷେତ ମଜୁଦର ସଂଗଠନ(ଏ.ଆଇ.କେ.କେ.ଏମ.ଏସ) ଦୃଢ ବିରୋଧ କରୁଛି । ଲକ ଡାଉନ ର ସୁଯୋଗ ନେଇ ଯେତେ ବେଳେ ଜନସାଧାରଣ ଖୋଲା ଖୋଲି ଭାବେ ବିରୋଧ କରି ପାରୁ ନାହାନ୍ତି । ସେତେ ବେଳେ କେନ୍ଦ୍ର ଏନଡିଏ ସରକାର ଗୋଟିଏ ପରେ ଗୋଟିଏ ଜନ ବିରୋଧି ପଦକ୍ଷେପ ନେଉଛନ୍ତି । ପ୍ରଥମେ ଶ୍ରମିକଙ୍କ ୮ ଘଂଟାକୁ ୧୨ ଘଂଟା ବୃଦ୍ଧି ପରେ କୃଷିଜାତ ଉତ୍ପାଦନ ବଜାର କମିଟିକୁ ସଂଶୋଧନ କରିଛନ୍ତି । ପୂର୍ବରୁ ଦିଆଯାଇଥିବା ଚାଷୀମାନଙ୍କ ଅଧିକାର ନିର୍ବାଚିତ ପ୍ରତିନିଧିମାନଙ୍କ ନେଇ ଗଠିତ କମିଟି ପରିବର୍ତେ ସମାନ୍ତରାଳ ଭାବରେ କର୍ପୋରେଟ ସଂସ୍ଥାମାନଙ୍କ ଏକ କମିଟି ଜରିଆରେ କୃଷିଜାତ ଦ୍ରବ୍ୟର କିଣା ବିକା କରିବା ବ୍ୟବସ୍ଥା ଅଧ୍ୟାଦେଶ ଦ୍ୱାରା ଆଣିଛନ୍ତି । ଏହା ଦ୍ୱାରା କର୍ପୋରେଟ ସଂସ୍ଥା କୃଷିଜାତ ଦ୍ରବ୍ୟ ଉପରେ ନିଜର ନିୟନ୍ତ୍ରଣ ଆଣିପାରିବେ । ନିକଟରେ ଚାଷୀମାନଙ୍କ ଉନ୍ନତି ନାମରେ ଦୀର୍ଘ ୬୫ ବର୍ଷ ଧରି ଥିବା ଅତ୍ୟାବଶ୍ୟକ ସାମଗ୍ରୀ ଆଇନକୁ ପୁଂଜିପତିମାନଙ୍କ ସ୍ୱାର୍ଥକୁ ଦେଖି ସଂଶୋଧନ କରାଯାଇଛି । ସ୍ୱାମିନାଥନ କମିଶନ ରିପୋର୍ଟ ମୁତାବକ କୃଷିଜାତ ଦ୍ରବ୍ୟର ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣା ଦାମରେ ସରକାର ଖରିଦ ନ କରିବା, ଫସଲ ବିଶେଷକରି ପରିବା ପାଇଁ ମଣ୍ଡି ସ୍ଥାପନ ନ କରିବା ଦ୍ୱାରା ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ଏବେ ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ସରକାରୀ ନିୟନ୍ତ୍ରଣ ଉଠାଇବା ଏବଂ ଦେଶୀ ଓ ବିଦେଶୀ ପୁଂଜିପତିମାନଙ୍କୁ କୃଷିଜାତ ଦ୍ରବ୍ୟ ବିକ୍ରି ଖରିଦ୍ କରିବାର ଅବାଧ ସୁଯୋଗ ଦେବା ଦ୍ୱାରା ସମସ୍ତ ଜିନିଷପତ୍ରର ଦାମ ବଢିବ ଓ ପୁଂଜିପତିମାନେ ଏହା ଦ୍ୱାରା କୋଟି କୋଟି ଟଙ୍କାର ମୁନାଫା ଲୁଟିବାର ସୁଯୋଗ ପାଇବେ । ତେଣୁ ସଂଶୋଧିତ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅଧ୍ୟାଦେଶ ତୁରନ୍ତ ପ୍ରତ୍ୟାହାର କରିବାକୁ ଏ.ଆଇ.କେ.କେ.ଏମ.ଏସର ଜଗତସିଂହପୁର ଜିଲ୍ଲା କମିଟି ପକ୍ଷରୁ ସୁବାସ ସ୍ୱାଇଁ, ମହେଶ୍ୱର ଦାସ, ବସନ୍ତ ମଲ୍ଲିକ, ଆରତ ଦାସ, ରଘୁନାଥ ଦାସ, ରଂଜିତ ଜେନା, ମଙ୍ଗୁଳି ଦାସ, ରମେଶ ଭୋଇ ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ