ପାଇଖାନା ଘରେ କଟୁଛି ପ୍ରବାସୀଙ୍କ ହୋମ କ୍ୱାରେଣ୍ଟାଇନ

ନାଉଗାଁ, (ଓ୍ୱାଇଏନ୍‌ଏସ୍‌): କରୋନା ସଂକ୍ରମଣଙ୍କୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ତଥା ବ୍ଳକ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି । ସେଥିପାଇଁ ପ୍ରବାସୀମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣି ସେମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୪ ଦିନ ରଖାଯାଉଛି । ପରବର୍ତୀ ସମୟରେ ସେମାନଙ୍କର ସ୍ୱାବ ପରୀକ୍ଷା କରାଯାଇ ନେଗେଟିଭ ରିପୋର୍ଟ ଆସିଲେ ହୋମ କ୍ୱାରେଂଟାଇନରେ ରଖିବା ସହିତ ପ୍ରତିଦିନ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାର ନିୟମ ରହିଛି । ହୋମ କ୍ୱାରେଂଟାଇନରେ ରହିବା ସମୟରେ ପରିବାର ଠାରୁ ଅଲଗା ରହିବା ସହିତ ଗୋଟିଏ ଘରେ ରହିବାର ନିୟମ ରହିଛି । କିନ୍ତୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ଜଣେ ପ୍ରବାସୀ ନିଜ ରାଜ୍ୟକୁ ଫେରି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିବା ପରେ ଏବେ ହୋମ କ୍ୱାରେଂଟାଇନ ସମୟରେ ପାଇଖାନାରେ ରହୁଥିବା ଦେଖିବାକୁ ମିଳିଛି ।ମିଳିଥିବା ସୂଚନାନୁସାରେ ଜାମୁଗାଁ ପଂଚାୟତର ମାନସ ପାତ୍ର ତାମିଲନାଡୁରେ ରହୁଥିଲେ । ସରକାରଙ୍କ ନିୟମ ଅନୁସାରେ ସେ ଓଡିଶା ଆସି ଗତ ମେ ୨୩ରେ ନୁଆଗାଁ ପଂଚାୟତ କମଳଲୋଚନ ଉଚ୍ଚ ବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିଲେ । ଉକ୍ତ କେନ୍ଦ୍ରରେ ୧୪ ଦିନ ବିତିବା ପରେ ତାଙ୍କୁ ଡିସଚାର୍ଜ ରିପୋର୍ଟ ପ୍ରଦାନ କରାଯାଇଥିଲା । ଡିସଚାର୍ଜ ରିପୋର୍ଟ ସହିତ ଜୁନ ୬ ତାରିଖରୁ ଜୁନ ୧୯ ପର୍ଯ୍ୟନ୍ତ ହୋମ କ୍ୱାରେଂଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ମାନସ ସରକାରଙ୍କ ନିର୍ଦ୍ଦେଶକୁ ମାନି ହୋମ କ୍ୱାରେଂଟାଇନରେ ରହିଥିଲେ । ହେଲେ ପରିବାରରେ ଘରର ଅଭାବ ରହିଥିବାରୁ ତାଙ୍କୁ ପାଇଖାନା ଘରେ ରହିବାକୁ ପଡୁଛି । ପ୍ରକାଶ ଯୋଗ୍ୟ ଯେ ମାନସଙ୍କ ପରିବାର କହିଲେ ବାପା ଅରୁଣ ପାତ୍ର, ମା ସହିତ ବଡ ଭାଇ, ଭାଉଜ, ସାନ ଭାଇ ଓ ମାନସଙ୍କୁ ମିଶାଇ ମୋଟ ପରିବାର ସଂଖ୍ୟା ୬ ଜଣ ଅଟନ୍ତି । ବଡ ଭାଇ ଓ ଭାଉଜ ଇନ୍ଦିରା ଆବାସ ଘରେ ରହୁଥିବା ବେଳେ ବାପା, ମା ଓ ସାନ ଭାଇ ଝାଟିମାଟି ଘରେ ରହୁଛନ୍ତି । ଆର୍ôଥକ ଅବସ୍ଥା ସ୍ୱଚ୍ଛଳ ନଥିବା ବେଳେ ଝାଟିମାଟିର ଗୋଟିଏ ବଖରା ଘର ସହିତ ଗୋଟିଏ ଇନ୍ଦିରା ଆବାସ ଘର ରହିଛି । ତେଣୁ ଘରର ଅଭାବ ଥିବାରୁ ମାନସ ବାଧ୍ୟ ହୋଇ ହୋମ କ୍ୱାରେଂଟାଇନର ସମୟ କାଟିବା ପାଇଁ ପାଇଖାନା ଘରେ ରହି ଆସୁଛନ୍ତି । ସବୁଠାରୁ ବଡ କଥା ହେଲା ଶୌଚ ହେବାକୁ ଶୌଚାଳୟ ନିର୍ମାଣ କରାଯାଇଥିବା ବେଳେ ମାନସ ଉକ୍ତ ଘରେ ରହୁଥିବାରୁ ମାନସଙ୍କ ସମେତ ପରିବାରର ଅନ୍ୟ ଲୋକ ବାହାରେ ଶୌଚ ହେଉଛନ୍ତି । ସେହିପରି ଘରେ ଗୋଟିଏ ମାତ୍ର ନଳକୂପ ଥିବାରୁ ଉକ୍ତ ନଳକୂପଟିକୁ ସମସ୍ତେ ବ୍ୟବହାର କରୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ମାନସ ୧୪ଦିନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିଲେ ମଧ୍ୟ ତାଙ୍କର ସ୍ୱାବ ପରିକ୍ଷା କରା ନ ଯାଇ ହୋମ କ୍ୱାରେଂଟାଇନଙ୍କୁ ପଠାଯାଇଛି । ଏପରିକି ଉକ୍ତ ବ୍ଳକରେ ବାହାରିଥିବା ଅଧିକାଂଶ କରୋନା ସଂକ୍ରମିତଙ୍କର କୌଣସି ଲକ୍ଷଣ ନଥାଇ ସ୍ୱାବ ପରିକ୍ଷାରେ କରୋନା ସଂକ୍ରମିତ ବାହାରୁ ଥିବାରୁ ମାନସଙ୍କର ସ୍ୱାବ ପରୀକ୍ଷା ନହେବା ଏବଂ ସେ ବାହାରେ ଶୌଚ ହେଉଥିବାରୁ ଜନସାଧାରଣଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି । ଏବିଷୟରେ ବିଡିଓ ରଶ୍ମିରେଖା ମଲିକ ଙ୍କୁ ପଚାରିବାରୁ ଏବିଷୟରେ ମୁଁ ଅବଗତ ହୋଇ ନାହିଁ । ଯେଉଁମାନେ ସ୍ୱାସ୍ଥ୍ୟ ଯାଂଚ କରିବାକୁ ଯାଉଛନ୍ତି ସେମାନେ ଏ ବିଷୟରେ କହି ନାହାନ୍ତି । ମୁଁ ଉକ୍ତ ସ୍ଥାନକୁ ଯାଇ ଘଟଣାର ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବି ବୋଲି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ