ପ୍ଲାଷ୍ଟିକ ବର୍ଜ୍ୟରେ ତିଆରି ହେବ ପୁରୀ-ଭୁବନେଶ୍ୱର ରାସ୍ତା

ଭୁବନେଶ୍ୱର: ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରେ ତିଆରି ହେବ ରାସ୍ତା । ଏହି ଯୋଜନା ନେଇ ଆଗେଇଛି ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) । ପ୍ରଥମ ପ୍ରକଳ୍ପ ଭାବେ ପୁରୀ-ଭୁବନେଶ୍ୱରକୁ ସଂଯୋଗ କରୁଥିବା ଜାତୀୟ ରାଜପଥକୁ ଚୟନ କରାଯାଇଛି । ଏହି ଏନଏଚ ମରାମତି କାର୍ଯ୍ୟରେ ପିଚୁ ସହ ପ୍ଲାଷ୍ଟିକ ବର୍ଜ୍ୟକୁ ବ୍ୟବହାର କରାଯିବ ।
ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏବେ ସାରା ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଛି । ଓଡ଼ିଶାରେ ବି ଏହା ଚିନ୍ତାର ବିଷୟ ହୋଇଛି । ଏହାକୁ ନଷ୍ଟ କରିବା ସହଜ ପ୍ରକ୍ରିୟା ନୁହେଁ । ତେଣୁ ସବୁଠି କୁଢ଼ କୁଢ଼ ପ୍ଲାଷ୍ଟିକ ପଲିଥିନ ଆବର୍ଜନା ଗଦା ହୋଇ ରହୁଛି ।
ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଓଡ଼ିଶାର ୧୧୪ଟି ପୌରାଞ୍ଚଳର ୨୦୨୪ଟି ୱାର୍ଡରୁ ଦିନକୁ ପ୍ରାୟ ୧୫୦ ଟନରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବାହାରୁଛି । ଏହାକୁ ପୁନଃ ପ୍ରକ୍ରିୟାକରଣ (ରିସାଇକ୍ଲିଂ) କରିବା ବଡ଼ ଚ୍ୟାଲେଞ୍ଜ । ଅଧିକାଂଶ ସହରରେ ବର୍ଜ୍ୟବସ୍ତୁ ଟ୍ରିଟମେଣ୍ଟ ପ୍ଲାଣ୍ଟ ନଥିବାରୁ ଶହ ଶହ ଟନ ପ୍ଲାଷ୍ଟିକ ଓ ପଲିଥିନ ଆବର୍ଜନା ଏଠି ସେଠି ଗଦା ହୋଇ ରହୁଛି । ଏଭଳି ସ୍ଥିତିରେ ଏନଏଚଆଇ ରାଜ୍ୟରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି । ପ୍ରଥମ ପର୍ଯ୍ୟାୟରେ ପୁରୀରୁ ଭୁବନେଶ୍ୱରକୁ ସଂଯୋଗ କରୁଥିବା ଏନଏଚର ମରାମତି କାର୍ଯ୍ୟରେ ପ୍ଲାଷ୍ଟିକ ବର୍ଜ୍ୟ ବ୍ୟବହାର ହେବ । ପ୍ରଥମ ପ୍ରକଳ୍ପ ଭାବେ ଚଳିତ ଆର୍ଥିକ ବର୍ଷରେ ୫ କିଲୋମିଟର ରାସ୍ତା ନିର୍ମାଣରେ ପ୍ଲାଷ୍ଟିକ ବର୍ଜ୍ୟ ବ୍ୟବହାର ହେବ । ଏନଏଚଏଆଇ ଓଡ଼ିଶା ଶାଖାର ଆଞ୍ଚଳିକ ଅଧିକାରୀ ଆର.ପି ପଣ୍ଡା କହିଛନ୍ତି, ପିଚୁ ସହ ପ୍ଲାଷ୍ଟିକ ବର୍ଜ୍ୟକୁ ମିଶାଇ ରାସ୍ତା ନିର୍ମାଣ ହେବ । ଫଳରେ ଏଠି ସେଠି ପ୍ଲାଷ୍ଟିକ ଆବର୍ଜନା ପଡ଼ି ପରିବେଶ ପାଇଁ ବିପଦ ସୃଷ୍ଟି କରିବ ନାହିଁ । ପୁରୀ-ଭୁବନେଶ୍ୱର ଏନଏଚରେ ୫ କିମି ରାସ୍ତା ମରାମତିରେ ମୋଟ ୧୫ ଟନ୍‍ ପ୍ଲାଷ୍ଟିକ ଆବର୍ଜନା ବ୍ୟବହାର କରାଯିବ । ପ୍ରତି କି.ମି ପାଇଁ ୨.୮ ଟନ ପ୍ଲାଷ୍ଟିକ ଆବର୍ଜନା ବ୍ୟବହାର ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ