ବ୍ୟାସକବି ଫକୀର ମୋହନ ଥିଲେ ସାହିତ୍ୟ ଜଗତର ମଉଡ଼ମଣି
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୦୨ତମ ଶ୍ରାଦ୍ଧବାର୍ଷିକୀ ସ୍ଥାନୀୟ ବାଣୀବିହାରସ୍ଥିତ ପ୍ରତିମୂର୍ତିଠାରେ ଫଟୋଚିତ୍ରରେ ପୁଷ୍ପମାଲ୍ୟ ସହ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ ଫକୀର ମୋହନ ଥିଲେ ସମଗ୍ର ଓଡ଼ିଆ ଜାତିର ମଉଡ଼ମଣି । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନର ମହାନ କାଣ୍ଡାରୀ, ମହାନ ସ୍ୱାଧୀନତା ସଂଗ୍ରାମୀ, ଭାଷା, ସାହିତ୍ୟ, ସଂସ୍କୃତିର ମହାନ କାଣ୍ଡାରି । ତାଙ୍କର ବଳିଷ୍ଠ ଲେଖା ‘ଛ’ ମାଣ ଆଠ ଗୁଣ୍ଠ’, ରେବତୀ, ମାମୁଁ ଲଛମା, ପ୍ରାୟଶ୍ଚିତ ପ୍ରମୁଖ ସମାଜ ଉପରେ ଗଭୀର ଭାବରେ ପ୍ରଭାବ ପକାଇବା ସହ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି । ତାଙ୍କ ଆଦର୍ଶରେ ଆଜିର ଯୁବପୀଢ଼ି ଅନୁପ୍ରାଣିତ ହୁଅନ୍ତୁ ବୋଲି ମଧ୍ୟ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ସାମାଜିକ ଦୂରତା ରଖିବା ସହିତ ଉପ କୂଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ, ଅଭିଯାନର ସଦସ୍ୟ କୈଳାସ ଚନ୍ଦ୍ର ମୁଦୁଲି, ଡମ୍ବରୁଧର ହରଣସିଂହ, ସମୀତା ମହାରଣା, ସିତାଂଶୁ ଶେଖର ମହାରଣା, ଲକ୍ଷଣ ଦାସ, ବୁଦ୍ଧିମାନ ନାୟକ, ଲଗ୍ନଦୀପା ମିଶ୍ର ପ୍ରମୁଖ ଉପସ୍ଥିତ ରହି ଯୋଗଦାନ କରିଥିଲେ ବୋଲି ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।