ପ୍ରାକ୍ତନ ଇଂଜିନିୟର ତଥା ସମାଜସେବୀଙ୍କ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ବସନ୍ତିଆ ପାଶ୍ୱର୍ବର୍ତ୍ତୀ ଓରାଳି ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ପ୍ରାକ୍ତନ ଚାର୍ଜକ୍ରୋମ୍ର ଇଂଜିନିୟର ଏବଂ ଠିକାଦାର ରବିନ୍ ଚନ୍ଦ୍ର ପଟ୍ଟନାୟକ(୮୪)ଙ୍କର ସୋମବାର ପରଲୋକ ଘଟିଛି । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ପତ୍ନୀ ହରପ୍ରିୟା ପଟ୍ଟନାୟକଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ । ତାଙ୍କ ମରଶରୀର ଓରାଳି ସ୍କୁଲ୍ ଠାରେ ପହଞ୍ôଚବା ପରେ ଏକ ଶୋଭାଯାତ୍ରାରେ ଓରାଳିସ୍ଥିତ ବାସଭବନକୁ ନିଆ ଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କର ଶେଷ ଦର୍ଶନ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରାକ୍ତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା, ନନ୍ଦିପଦା ଥାନାଧିକାରୀ ପରେଶ ମହାନ୍ତି, ବିଜେପି ନେତା ଆଲୋକ ସେଠୀ, ବ୍ଲକ ଅଧ୍ୟକ୍ଷା ମଞ୍ଜୁଲତା ବିଶ୍ୱାଳ, ଓରାଳି ସରପଞ୍ଚ ମମତା ମଞ୍ଜରୀ ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଆନନ୍ଦପୁର ଓ ବନ୍ତ ବ୍ଲକର ବହୁ ବିଜେପି କର୍ମୀ ଓ ଶତାଧିକ ସ୍ଥାନୀୟ ଜନତା ତାଙ୍କ ବାସଭବନରେ ପହଞ୍ôଚ ଥିଲେ । ଏକମାତ୍ର ପୁତ୍ର ସୁପ୍ରଭାତ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ । ସେ ଜଣେ ଧର୍ମପରାୟଣ, ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।