ଅନାଥ ପିଲାଙ୍କୁ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ସହାୟତା
ଜିଲ୍ଲାରେ ପ୍ରଥମ କିନ୍ନର ଶିକ୍ଷାର୍ଥୀଙ୍କୁ ଶିକ୍ଷାବୃତ୍ତି
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲାପାଳଙ୍କ ଗରାପୁରସ୍ଥିତ ଆବାସୀକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର କିନ୍ନର ଶିକ୍ଷାର୍ଥୀଙ୍କୁ ଶିକ୍ଷାବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାରେ ଚିହ୍ନଟ ହୋଇଥିବା କିନ୍ନର ବର୍ଗର ବିଦ୍ୟାର୍ଥୀ ରାଜକନିକା ବ୍ଲକ ଅନ୍ତର୍ଗତ ବଡତଇଳା ଗ୍ରାମର ସବେରା ବେଗମ ପିତା ମିର୍ଜା କରିମ ବେଗଙ୍କୁ ୧୫ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଥିଲେ । ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିନରେ “ସ୍ୱୀକୃତି”ନାମକ ଏକ ନୂତନ ଯୋଜନା ଆରମ୍ଭ କରାଯାଇଛି । ଯେଉଁଥିରେ କି ଏହି ବର୍ଗର ଲୋକଙ୍କୁ ଚିହ୍ନଟ କରାଯାଇ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେବା ଏହି ଯୋଜନାର ଲକ୍ଷ୍ୟ । ଅଦ୍ୟାବଧି ଜିଲ୍ଲାରେ ମୋଟ ୭ଜଣ କିନ୍ନରଙ୍କୁ ଚିହ୍ନଟ କରାଯାଇଛି । ତନ୍ମଧ୍ୟରୁ ଜଣକୁ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ସ୍ୱେଛାସେବୀ ସହାୟକ ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତି ପ୍ରଦାନ କରାଯାଇଛି । ୫ମ ଶ୍ରେଣୀରୁ ଯେତେ ଅଧିକ ଶିକ୍ଷା ଗ୍ରହଣ କରୁଥିଲେ ଏହି ବର୍ଗର ଶିକ୍ଷାର୍ଥୀମାନଙ୍କୁ ଶିକ୍ଷାବୃତ୍ତି,ସେମାନଙ୍କ ପିତାମାତାଙ୍କୁ ଏହିବର୍ଗର ପିଲାଙ୍କୁ ଲାଳନପାଳନ କରିବା ପାଇଁ ୧୮ବର୍ଷ ପର୍ଯ୍ୟନ୍ତ ମାସିକ ଏକହଜାର ଟଙ୍କାର ସହାୟତା,ଦକ୍ଷତା ବିକାଶ ନିମନ୍ତେ ମାଗଣା ତାଲିମ,ସ୍ୱୟଂ ସହାୟକ ଗୋଷ୍ଠି ମାଧ୍ୟମରେ ଆର୍ଥିକ ସହାୟତା ଦିଆଯାଇ ନିଜ ଗୋଡରେ ଠିଆ ହେବାର ବାଟ ଦେଖାଇବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ଅଟେ । କ୍ରମ ଭିତ୍ତିରେ ଜିଲ୍ଲା ସ୍ତରରୁ ଗ୍ରାମ ପଂଚାୟତ,ୱାର୍ଡସ୍ତର ପର୍ଯ୍ୟନ୍ତ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବାର ଲକ୍ଷ୍ୟ ସହିତ ସ୍ଥାନୀୟ ପ୍ରଶାସନକୁ ଉଚିତ ତଥ୍ୟ ଦେଇ ଏହି ବର୍ଗର ଲୋକମାନେ ସରକାରୀ ସୁବିଧା ସୁଯୋଗ ପାଇବା ପାଇଁ ନିବେଦନ କରାଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜୁ ଶିଶୁ ସୁରକ୍ଷା ଯୋଜନା ଅଧିନରେ ଜିଲ୍ଲାର ପ୍ରଥମକରି ଦୁଇଜଣ ଅନାଥ ଝିଅ ଯେଉଁମାନେକି ୨୦୧୯ମସିହାରେ ବିବାହ କରିଥିଲେ ସେମାନଙ୍କୁ ଜଣପିଛା ୫୦ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଓ ମାଟ୍ରିକ ପରୀକ୍ଷାରେ ଅଧିକ ନମ୍ବର ରଖିଥିବାରୁ ଉଚ୍ଚଶିକ୍ଷା ପାଇଁ ଜଣକୁ ୨୦ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନର ଚେକ ଜିଲ୍ଲାପାଳ ଶ୍ରୀ ବର୍ମା ପ୍ରଦାନ କରିଥିଲେ । ସେମାନେ ହେଉଛନ୍ତି କୋରୁଆସ୍ଥିତ ପଲ୍ଲୀଶ୍ରୀ ମହିଳା ସମିତିର ବର୍ଷା ପ୍ରିୟଦର୍ଶିନୀ ଓ ଭାରତୀୟ ରାଓ ଏବଂ ପାଟଳିପଙ୍କସ୍ଥିତ ଲୁଥେରାନ ମହିଳା ସମିତିର କୁନା ହାନ୍ସଦା ।