କଲେଜଫିସ୍ ପାଇଁ ବନ୍ଧା ପଡ଼ିଛି ଦଶମ ଓ ଯୁକ୍ତ ଦୁଇ ପ୍ରମାଣ ପତ୍ର
ଦାରିଙ୍ଗବାଡ଼ି, (ଯୁଗାବ୍ଦ ନ୍ୟୁଜ).କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ କରିବା ନାମରେ କିଛିବର୍ଷ ହେବ ଖୋଲିଛି କେତେକ ଯୁକ୍ତ ଦୁଇ ମହାବିଦ୍ୟାଳୟ । ସେହିପରି ଦାରିଙ୍ଗବାଡ଼ିରେ ୨୦୧୬-୧୭ଶିକ୍ଷା ବର୍ଷରେ ଯୁକ୍ତ ଦୁଇ ମହିଳା ପ୍ରମିଳାଦେବୀ ଘରୋଇ ମହାବିଦ୍ୟାଳୟ ଭଡ଼ା ଘରେ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହା ପ୍ରମିଳାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ରହିଛି । ଦାରିଙ୍ଗବାଡ଼ି ବ୍ଲକରେ ସରକାରଙ୍କ ନିଜସ୍ୱ ଜାଗା ଓ କୋଠାରେ ଯୁକ୍ତ ଦୁଇ ଓ ତିନି ମହାବିଦ୍ୟାଳୟ ରହିଛି । ସରକାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ସମସ୍ତପ୍ରକାର ଆର୍ଥିକ ସୁବିଧା ଯୋଗାଇ ଦେବାର ସୁବିଧା ରହିଛି । ମୁଖ୍ୟ କରି ଅସଚେତନ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସୁବିଧା ପ୍ରଦାନ କରିବା ଲାଳସା ଦେଇ ସରକାରୀ ମହାବିଦ୍ୟାଳୟ ପଡ଼ିବା ପରିବର୍ତ୍ତେ ନିଜ ପ୍ରମିଳାଦେବୀ ଘରୋଇ ମହାବିଦ୍ୟାଳୟ ପଡ଼ିବା ପାଇଁ ମଲିକ ଗୋଟି ଚାଳନ କରି ନାମ ଲେଖାଇ ଥାଆନ୍ତି । ହେଲେ ଛାତ୍ରୀମାନେ ଶେଷରେ ଆର୍ଥିକ କ୍ଷତି ଶହିବା ସହିତ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ସ୍ରାନିକେତା ପଞ୍ଚାୟତ ସୁଲୁମାହା ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ଝିଅ ସହାୟତା ପ୍ରଧାନ ଗତ ୨୦୧୬ ରେ ଲିଙ୍ଗାଗଡ଼ ଉଚ୍ଚ ବିଦ୍ୟାଳୟରୁ ଦଶମ ଶ୍ରେଣୀ ପାସ କରି ଦାରିଙ୍ଗବାଡିରେ ରହିଥିବା ପ୍ରମିଳା ଦେବୀ ଘରୋଇ ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ନାମ ଲେଖାଇଥିଲେ । ମହାବିଦ୍ୟାଳୟର ନୀୟମ ଅନୁଯାଇ ପ୍ରଥମ ବର୍ଷରେ ୧୫ ହଜାର ଓ ଦ୍ୱିତୀୟ ବର୍ଷରେ ପୁଣି ୧୫ ହଜାର ଟଙ୍କା ଏଭଳି ଭାବେ ୩୦ ହଜାର ଟଙ୍କା ମହାବିଦ୍ୟାଳୟକୁ ଦେଇଥିଲେ ।ଏହା ସହ ଦୁଇ ବର୍ଷ ମଧ୍ୟରେ ବିଭିନ୍ନ ପୂଜା ସହ ଅନ୍ୟାନ୍ୟ ବାବଦକୁ ଯାହା ଟଙ୍କା ଯେଉଁସମୟରେ ମହାବିଦ୍ୟାଳୟ ଦାବି କରିଛି ତାକୁ ମଧ୍ୟ ଛାତ୍ରୀଙ୍କ ବାପା ଦେଇଥିଲେ । ବିଭିନ୍ନ ସୁବିଧା ଯୋଗାଇବା ତଥା ଛାତ୍ରିନିବାସର ବ୍ୟବସ୍ଥା, କଂପ୍ୟୁଟର ଲାବ, ଲାଇବ୍ରେରୀ ସୁବିଧା ଯୋଗାଇ ଦିଆଯିବ ବୋଲି କହିଥିବା ମଧ୍ୟ ହୋଇ ନଥିଲା । ଦୁର୍ଭାଗ୍ୟର ବିଷୟ ଯେ ଛାତ୍ରୀ ଜଣକ ୨୦୧୮ ରେ ଯୁକ୍ତ ଦୁଇ ପାସ କରିବା ପରେ ସାର୍ଟିଫିକେଟ ମାଗିବାକୁ ମହାବିଦ୍ୟାଳୟକୁ ଯାଇଥିଲେ। ଘରୋଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀଙ୍କୁ ଆହୁରି ୧୦ ହଜାର ଟଙ୍କା ବକାୟ ରହିଯାଇଛି।ତାକୁ ଦେଲେ ଯାଇ ସମସ୍ତ ସାର୍ଟିଫିକେଟ ଦିଆଯିବ ବୋଲି ଛାତ୍ରୀଙ୍କୁ କହିଥିଲେ। ଫଳରେ ଛାତ୍ରୀ ଓ ଛାତ୍ରୀଙ୍କ ବାପା ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଯେ ଆପଣଙ୍କ ନିୟମ ଅନୁଯାୟୀ ଦୁଇବର୍ଷରେ ଦୁଇଥର ୫ ହଜାର ଲେଖାଏ ୧୦ ହଜାର। ଷ୍ଟାଇପେଣ୍ଡ ଟଙ୍କା ୧୦ ହଜାର ଲେଖାଏଁ ଦୁଇଥର ୨୦ ହଜାର ଏଭଳି ଭାବେ ସର୍ବ ମୋଟ ୩୦ ହଜାର ଟଙ୍କା ତ ଦେଇସାରିଛୁ।ଆଉ କେଉଁ ଟଙ୍କା ବାକି ରହିଲା ଯେ ଆମେ ଦେଇପାରିନାହୁଁ ବୋଲି କହିଥିଲେ। ହେଲେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଆଉ ୧୦ ହଜାର ଟଙ୍କା ଦେଲେଯାଇ ସମସ୍ତ ସାର୍ଟିଫିକେଟ ଦିଆଯିବ ବୋଲି କହି ଛାତ୍ରୀ ଓ ଛାତ୍ରୀଙ୍କ ବାପାଙ୍କୁ ଘଉଡ଼ାଇ ଦେଇଥିଲେ। ମହାବିଦ୍ୟାଳୟରେ ନାମ ଲେଖିବା ସମୟରେ ହିଁ ଛାତ୍ରୀଙ୍କ ଦଶମ ଶ୍ରେଣୀ ସାର୍ଟିଫିକେଟକୁ ଘରୋଇ ମହାବିଦ୍ୟାଳୟ ତାଙ୍କ ପାଖରେ ରଖି ଦେଇ ନଥିଲେ । ମାଗିଲେ କଣ କରିବୁ ଏକାଥରକୁ ଯୁକ୍ତ ଦୁଇର ମିଶାଇ ନେବ କହିଥିଲେ । ବର୍ତ୍ତମାନ ଛାତ୍ରୀଙ୍କ ଦଶମ ଶ୍ରେଣୀ ଓ ଯୁକ୍ତ ଦୁଇ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଯୋଗ୍ୟତା ପ୍ରମାଣ ପତ୍ର ଏବେ ମହାବିଦ୍ୟାଳୟ ପାଖରେ ରହିଛି। ଛାତ୍ରୀ ଜଣକ ଗରିବ ଆଦିବାସି ପରିବାରର ହୋଇଥିବାରୁ ୧୦ ହଜାର ଟଙ୍କା ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦେଇ ପାରୁନାହିଁ । ଯୋଗ୍ୟତା ପ୍ରମାଣ ପତ୍ର ନଥିବାରୁ ନା ଉଚ୍ଚ ଶିକ୍ଷା କରିପାରୁଛି ନା କୌଣସି କର୍ମସଂସ୍ଥାରେ କାମ କରିବା ପାଇଁ ଦରଖାସ୍ତ ହେଉଛି । ଏଥିନେଇ ଛାତ୍ରୀ ଜଣକ ବାରମ୍ବାର ଘରୋଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ କାକୁର୍ତ୍ତି ମିନତି କଲେ ମଧ୍ୟ ନିରାଶ ହୋଇଛି । ଏହା ଫଳରେ ଛାତ୍ରୀ ସହାୟତା ପ୍ରଧାନ ଦୀର୍ଘ ଏକ ବର୍ଷ ହୋଇଗଲା ଯୁକ୍ତ ଦୁଇ ପାସ କରିଥିଲେ ମଧ୍ୟ ଭାଗ୍ୟକୁ ଆଦରି ଘରେ ପଡିରହି ଛାତ୍ରୀଙ୍କ ଭାବିଷ୍ୟତ ଏବେ ଅନ୍ଧକାର ମୟ ହୋଇଯାଇଛି । ଏନେଇ ପ୍ରମିଳା ଦେବୀ ଘରୋଇ ମହାବିଦ୍ୟାଳୟର ପ୍ରିନ୍ସପାଲ ମଧୁସ୍ମିତା ମଲିକ ଏବଂ ମହାବିଦ୍ୟାଳୟର ପରିଚାଳକ ତଥା ମାଲିକ କୀର୍ତ୍ତି ଚନ୍ଦ୍ର ସାହୁଙ୍କ ସହ ଯୋଗାଯୋଗ କରିବାରୁ ଉଭୟ କହିଛନ୍ତି ଯେ ମହାବିଦ୍ୟାଳୟରେ ଦୁଇବର୍ଷରେ ଗୋଟିଏ ଛାତ୍ରୀଙ୍କ ଠାରୁ ସମୁଦାୟ ୩୦ ହଜାର ଟଙ୍କା ନିଆଯାଉଛି । ଛାତ୍ରୀ ସହାୟତାଙ୍କର କୌଣସି ଭୁଲ ରହିଛି, ସେ ବୋଧେ କୋର୍ସ ଫି ଦେଇ ପାରିନାହାନ୍ତି ଯେଉଁଥି ପାଇଁ ତାଙ୍କ ସାର୍ଟିଫିକେଟ ଦିଆଯାଇ ପାରିନାହିଁ । ଛାତ୍ରୀ ସହାୟତା କେବଳନୁହଁ ଏହିପରି ଅନେକ ଛାତ୍ରୀ ଏହିଭଳି ସମସ୍ୟାରେ ପଡ଼ି ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବା ସହ ବିଭିନ୍ନ ଅସାମାଜିକ ଏଜେଣ୍ଟ ପାଖରେ ପଡ଼ି ଜୀବନ ବରବାଦ ହେଉଥିବା ସାଧାରଣରେ ଆଲୋଚନା ହେଉଛି । ସରକାର ଘୋରଇ ମହାବିଦ୍ୟାଳୟ ଖୋଲିବା ପାଇଁ ଅନୁମତି ଦେଉଛନ୍ତି । ହେଲେ ତଦାରଖ ଠିକ ଭାବରେ ହେଉନଥିବାରୁ ନିରୀହ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରୀ ଏହିଭଳି ଆର୍ଥିକ ଶୋଷଣର ଶିକାର ହେବା ସହିତ ଭବିଷ୍ୟତ ଅନିଶ୍ଚିତ ମଧରେ ରହିଯାଉଛି ।