ଶ୍ରୀମନ୍ଦିରରେ ସୂର୍ଯ୍ୟୋପରାଗ ନୀତି
ପୁରୀ: ଜୁନ୍ ୨୧ ତାରିଖ ସୂର୍ଯ୍ୟୋପରାଗକୁ ଆଖିରେ ରଖି ଶ୍ରୀମନ୍ଦିର ନୀତିକୁ ପ୍ରସ୍ତୁତ କରାଯାଇଛି । ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନେତ୍ରୋତ୍ସବ ନୀତି ପାଳନ ହେବ । ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ ଶନିବାରରେ ହେବ ଶ୍ରୀବିଗ୍ରହଙ୍କ ନେତ୍ରୋତ୍ସବ ଆଉ ନବଯୌବନ ଦର୍ଶନ । ଏହି ନୀତି ଶେଷ ବେଳକୁ ରାହୁଗ୍ରସ୍ତ ଚୂଡାମଣି ଯୋଗରେ ପଡ଼ୁଥିବା ସୂର୍ଯ୍ୟୋପରାଗ ନୀତି ଅନୁପାଳନ ଆରମ୍ଭ ହେବ ।
ମେ ୨୧ ତାରିଖ ପୂର୍ବାହ୍ନ ୧୦ଟା ୩୭ ମିନିଟ ୫୫ ସେକେଣ୍ଡରେ ପରାଗ ସ୍ପଷ୍ଟ କରିବ । ଗ୍ରହଣ ସର୍ବମୋକ୍ଷ ସମୟ ଅପରାହ୍ନ ୨ଟା ୯ ମିନିଟ ୨ ସେକେଣ୍ଡ ନିର୍ଦ୍ଧାରଣ କରାଯାଇଛି । ପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ପାକ ନିଷେଧ ବିଧି ଅନୁପାଳନ କରାଯିବ । ଏହି ସମୟ ଠାରୁ ପରାଗ ସର୍ବମୋକ୍ଷ ପର୍ଯ୍ୟନ୍ତ ଦେବନୀତି ନିଷେଧ ହେବ । ତଦନୁସାରେ ୨୦ ତାରିଖ ରାତି ୧୦ଟା ୩୭ ମିନିଟ ୫୫ ସେକେଣ୍ଡରୁ ସୂର୍ଯ୍ୟୋପରାଗ ପାକ ତ୍ୟାଗ ଅନୁପାଳନ ହେବ ।
ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି ପରାଗ ନୀତି ପାଳନ ପୂର୍ବରୁ ନେତ୍ରୋତ୍ସବ ତଥା ନବ ଯୌବନ ଦର୍ଶନ ବିଧି ସମ୍ପନ୍ନ କରାଯିବ । ଜୁନ ୨୦ ରାତି ୯ଟା ୧୦ ମିନିଟରୁ ସାଢେ଼ ୧୦ଟା ମଧ୍ୟରେ ଭୋଗ ମଣ୍ଡପ ଉଠିବା ପରେ ରାତି ୧୦ଟା ୩୫ ମିନିଟରେ ମଇଲମ ଓ ତଡ଼ପ ଲାଗି ହୋଇ ପରାଗ ନୀତି ଅନୁପାଳନ ଲାଗୁ ହେବ । ରାତି ୧୦ଟା ୩୭ ମିନିଟ ୫୫ ସେକେଣ୍ଡରୁ ଦେବନୀତି, ପାକତ୍ୟାଗ ଓ ଅନ୍ନଭୋଜନ ନିଷେଧ ରହିବ ।
ଶ୍ରୀମନ୍ଦିରରେ ପରାଗ ନୀତି ରାଜ୍ୟର ବିଭିନ୍ନ ପ୍ରାନ୍ତରେ ନୀତି ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ସୂର୍ଯ୍ୟୋପରାଗ ବେଳେ ରାଜ୍ୟ ସାରା ଦେବପୀଠରେ ଦେବନୀତି ବନ୍ଦ ହେଉଥିବା ବେଳେ ପରାଗ ସ୍ପର୍ଶଠାରୁ ଶ୍ରୀମନ୍ଦିରର ଦେବନୀତି ଆରମ୍ଭ ହେବ ।
ପରାଗ ସ୍ପର୍ଶ ପରେ ପୂର୍ବାହ୍ନ ୧୦ଟା ୪୫ ରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉତ୍ତରି ମଇଲମ, ଗ୍ରହଣ ମହାସ୍ନାନ, ମଇଲମ ଓ ବେଶ ହୋଇ ମଙ୍ଗଳ ଆଳତି ନୀତି ଅପରାହ୍ନ ଗୋଟାଏ ବେଳେ ବଢ଼ିବ । ପରେ ମଇଲମ, ତଡ଼ପଲାଗି, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ କରାଯାଇ ପ୍ରଭୁଙ୍କୁ ଖଇକେରା ଭୋଗ ଲାଗି ପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ଅପରାହ୍ନ ସାଢେ଼ ୫ଟା, ଭୋଗ ମଣ୍ଡପ ସନ୍ଧ୍ୟା ୫ଟା ୪୦ ମିନିଟରେ ସମ୍ପନ୍ନ ହେବ । ପରେ ଦ୍ୱିତୀୟ ଭୋଗ ମଣ୍ଡପ, ସନ୍ଧ୍ୟା ଆଳତି ସରି ସନ୍ଧ୍ୟା ଧୂପ ବଢ଼ିବ । ଶେଷରେ ରାତି ୧୨ଟା ୩୦ ରେ ଦତ୍ତ ପ୍ରବେଶ କରିବେ ବୋଲି ନୀତି ନିର୍ଘଣ୍ଟରେ ସୂଚନା ଦିଆଯାଇଛି ।


