ନିଆରା ବନ୍ଧୁତା : ସମସ୍ତେ ମିଶି ଶୁଝିଲେ ବନ୍ଧୁଙ୍କ ଋଣ
ସୋସିଆଲ ମିଡିଆରେ ଦିନକୁ ଦିନ ନୂଆ ନୂଆ ଆପ୍ଲିକେସନ୍ ବାହାରୁଛି । ଲୋକମାନେ ବି ଏବେ ଅଧିକାଂଶ ସମୟ ଫୋନ୍ରେ ବିତାଉଥିବା ହେତୁ ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ପୂର୍ବ ଅପେକ୍ଷା ଧୀରେ ଧୀରେ କମିବାରେ ଲାଗୁଥିବା କୁହାଯାଉଛି । କିନ୍ତୁ ଅନ୍ୟ ପକ୍ଷେ ବନ୍ଧୁର ବନ୍ଧୁତା ସୋସିଆଲ ମିଡିଆ ଜରିଆରେ ଅଧିକ ଗଭୀର ହୋଇଥିବାର ଏକ ଉଦାହରଣ ଦେଖିବାକୁ ମିଳିଛି । ଏହି ଘଟଣା ଏକ ଚର୍ଚ୍ଚିତ ଗୀତକୁ ମନେ ପକାଇ ଦେଉଛି, “ୟେ ଦୋସ୍ତି ହମ ନେହିଁ ଛୋଡେଙ୍ଗେ, ତୋଡେଙ୍ଗେ ହମ ମଗର ତେରା ସାଥ୍ ନା ଛୋଡେଙ୍ଗେ ।’
ଘଟଣାଟି ହେଉଛି ଏପରି । କୃଷ୍ଣା (ଛଦ୍ମନାମ) ବ୍ୟବସାୟରେ କ୍ଷତି ସହି ଆର୍ଥିକ ସଙ୍କଟକୁ ଚାଲିଥିଲେ । ଏଭଳି ପରିସ୍ଥିତିରେ କୃଷ୍ଣାଙ୍କ ଦେଶ ଓ ବିଦେଶରେ ରହିଥିବା ୪୪ଜଣ ସାଙ୍ଗ ତାଙ୍କୁ ସାହାଯ୍ୟର ହାତ ବଢ଼ାଇ କରଜମୁକ୍ତ କରିଥିଲେ । ଏମିତି ଏକ ଘଟଣା ଜୁନ୍ ୨୯ରେ ଭୋପାଳରେ ଘଟିଛି । ଆର୍ଥିକ ସଙ୍କଟରେ ଥିବା କୃଷ୍ଣା ଭୋପାଳରେ ବସବାସ କରନ୍ତି । ତାଙ୍କର ୪୪ ଜଣ ସାଙ୍ଗ ଦେଶ ଓ ବିଦେଶରେ ରହୁଥିଲେ । ୪୪ ଜଣ ସମସ୍ତ ସାଙ୍ଗ ୧୯୯୨ରେ ଇନ୍ଦୋରର ଏସ୍ଜିଏସ୍ ଆଇଟିଏସ୍ କଲେଜରେ ଏକାଠି ପଢ଼ୁଥିଲେ । କଲେଜର ୧୯୯୨ ବ୍ୟାଚରେ ୧୦୦ଜଣ ପିଲା ପାଠପଢ଼ୁଥିଲେ । ତାଙ୍କ ସହିତ ଭୋପାଳର କୃଷ୍ଣା ବି ପଢ଼ୁଥିବା ଜଣାପଡ଼ିଛି । ଗତ ମାସରେ ଭୋପାଳର କୃଷ୍ଣା ତାଙ୍କର ଜଣେ ସାଥୀ ଅଶୋକ ଗୁପ୍ତାଙ୍କୁ କଲ କରି ନିଜର ଏହି ଆର୍ଥିକ ସଙ୍କଟ ବିଷୟରେ ଜଣାଇଥିଲେ । ଭୋପାଳର ଟିଟି ନଗର ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ସେ ଏକ କୋଟିରୁ ଅଧିକ ବକେୟା ରାଶି ପୈଠ କରିବା ପାଇଁ ନିଜର ଫ୍ୟାକ୍ଟ୍ରି ବିକ୍ରି କରି ଦେଇଥିଲେ । କୋଠା ବି ବ୍ୟାଙ୍କ ନିକଟରେ ବନ୍ଧା ପକାଇଥିଲେ । ଜୁନ୍ ୩୦ ଭିତରେ ବାକି ଥିବା ରାଶି ଜମା କରିବା ପାଇଁ କୃଷ୍ଣାଙ୍କୁ ବ୍ୟାଙ୍କ ଚେତାବନୀ ଦେଇଥିଲା । ଯେମିତି ହେଲେ ବି ଜୁନ୍ ୩୦ ଭିତରେ କୃଷ୍ଣାଙ୍କୁ ୧୭ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା କରିବାର ଥିଲା । ଅଷ୍ଟ୍ରେଲିଆରେ ଥିବା ସାଙ୍ଗ ଅଶୋକ କୃଷ୍ଣାଙ୍କୁ କିପରି ସାହାଯ୍ୟ କରିହେବ ସେ ନେଇ ଚିନ୍ତା କରିଥିଲେ । ଜୁନ୍ ୨୬ରେ ସେ ଏକ ଗ୍ରୁପ୍ ବନାଇ ସାଥୀ ହୋଇ ପାଠପଢ଼ୁଥିବା ୪୪ଜଣ ସାଙ୍ଗଙ୍କୁ କୃଷ୍ଣାଙ୍କୁ ସାହାଯ୍ୟ କରିବା ପାଇଁ ଜଣାଇଥିଲେ । ଏହି ମେସେଜ ୪୪ଜଣ ସାଙ୍ଗଙ୍କ ପାଖରେ ପହଞ୍ଚିବା ମାତ୍ରେ ଗୋଟିଏ ଦିନରେ ରାତି ୧୦ଟା ୩୦ ସୁଦ୍ଧା ୧୧ ଲକ୍ଷ ଟଙ୍କା କୃଷ୍ଣାଙ୍କ ଆକାଉଣ୍ଟରେ ଜମା ହୋଇଯାଇଥିଲା । ବ୍ୟାଙ୍କର ୧୭ ଲକ୍ଷ ଟଙ୍କାକୁ ୱାନ୍ ଟାଇମ୍ ସେଟେଲ୍ମେଣ୍ଟ୍ ଜରିଆରେ ୧୧ ଲକ୍ଷ ରାଶି ଜମା କରି କରଜ ଶୁଝି ଦେଇଥିଲେ କୃଷ୍ଣା ।


