ମଇଁଷି ଗର୍ଭବତୀ ହେବାରୁ ଗାଁରେ ପାଳନ ହେଲା ଉତ୍ସବ

ଛତିଶଗଡ଼ରେ ଏବେ ପଶୁପ୍ରେମୀଙ୍କ ଉତ୍ସାହ ଦେଖିବାକୁ ମିଳିଛି । କାରଣ ଏଠାରେ ଥିବା ଉଦନ୍ତି ଅଭୟାରଣ୍ୟର ଗୋଟିଏ ବଣୁଆ ମଇଁଷି ଗର୍ଭବତୀ ହୋଇଛି । କଥାଟା ଟିକେ ଅଡୁଆ ଲାଗୁଥିଲେ ବି ସତ । ଏହି ମଇଁଷିଟିର ନାଁ ଖୁସି । ଖୁସି ଗର୍ଭବତୀ ହୋଇଥିବା ବେଳେ ଆସନ୍ତା ଅଗଷ୍ଟ ମାସରେ ସେ ଛୁଆ ଜନ୍ମ କରିପାରେ ବୋଲି କୁହାଯାଉଛି । ଆଉ ଏହି ଖବର ପାଇବା ପରେ ଆଖପାଖର ପ୍ରାୟ ସବୁ ଲୋକଙ୍କ ମଧ୍ୟରେ ଖୁସି ପରିଲକ୍ଷିତ ହୋଇଛି । ପ୍ରକୃତ ଘଟଣା ହେଲା ଏହି ବଣୁଆ ମଇଁଷିଙ୍କ ବଂଶ ଏବେ ଲୋପ ପାଇବାରେ ଲାଗିଛି । ଏବେ ଉଦନ୍ତି ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ପହଞ୍ଚିଛି ୮ରେ । ସେଥିମଧ୍ୟରୁ ମାଈ ବଣୁଆ ମଇଁଷି ହେଉଛନ୍ତି ମାତ୍ର ୨ଟି । ଗୋଟିଏ ହେଉଛି ଆଶା ଓ ଅନ୍ୟଟି ତା’ର ଝିଅ ଖୁସି । ଆଶା ଏବେ ବୟସ୍କ ହୋଇଯାଇଥିବାରୁ ସେ ଆଉ ପ୍ରଜନନକ୍ଷମ ହୋଇ ରହିନାହିଁ । ଏବେ କେବଳ ଖୁସି ହିଁ ଛୁଆ ଜନ୍ମ କରିବାର କ୍ଷମତା ରଖିଛି । ଯଦି ଏବେ ଖୁସି ଛୁଆ ଜନ୍ମ କରେ ତା’ହେଲେ ଏମାନଙ୍କ ବଂଶ ବୃଦ୍ଧି ହୋଇପାରିବ । ତେଣୁ ଖୁସି ଗର୍ଭବତୀ ହେବା ଖବର ଏବେ ସମସ୍ତଙ୍କୁ ଖୁସି ଦେଇଛି । ଏମିତିକି ବିଶେଷଜ୍ଞମାନେ ତା’ର ବିଶେଷ ଯତ୍ନ ବି ନେଉଛନ୍ତି । ତାକୁ କେବେହେଲେ ଏକୁଟିଆ ରହିବାକୁ ଦିଆଯାଉ ନାହିଁ । ତା’ର ଖାଦ୍ୟ ପାନୀୟରେ ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯାଉଛି । ଏଥର ଯଦି ଖୁସି ଝିଅ ଜନ୍ମ କରେ ତେବେ ତାହା ଗାଁ ଲୋକଙ୍କ ପାଇଁ ଆହୁରି ଖୁସି ଆଣିଦେବ ବୋଲି କୁହନ୍ତି ସ୍ଥାନୀୟ ଲୋକେ । କାରଣ ଝିଅ ହେଲେ ସେ ପୁଣି ବଣୁଆ ମଇଁଷିଙ୍କ ବଂଶ ବୃଦ୍ଧିରେ ସାହାଯ୍ୟ କରିବ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ