ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ନେଇ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
ନୂଆଦିଲ୍ଲୀ : କରୋନା ବୈଶ୍ୱିକ ମହାମାରୀ ବିରୋଧରେ ମୁକାବିଲା କରି ଏବେ ଆମେ ଅନଲକ-୨ରେ ପ୍ରବେଶ କରୁଛୁ । ଆମେ ସେ ଋତୁରେ ମଧ୍ୟ ପ୍ରବେଶ କରୁଛୁ ଯେତେବେଳେ ଥଣ୍ଡା-ସର୍ଦ୍ଦି, କାଶ-ଜ୍ୱର ଏ ସବୁ କେତେ କ’ଣ ହୋଇଥାଏ, ଏସବୁର ମାତ୍ରା ବଢ଼ିଯାଇଥାଏ । ଏପରି ସ୍ଥିତିରେ ମୁଁ ଆପଣମାନଙ୍କୁ, ସମସ୍ତ ଦେଶବାସୀଙ୍କୁ ପ୍ରାର୍ଥନା କରୁଛି ଯେ ଆପଣ ନିଜର ଯତ୍ନ ନିଅନ୍ତୁ । ସାଥୀଗଣ, ଏ କଥା ଠିକ ଯେ ଯଦି କରୋନାଜନିତ ମୃତ୍ୟୁହାରକୁ ଦେଖିବା ତ’ ବିଶ୍ୱର ଅନେକ ଦେଶ ତୁଳନାରେ ଭାରତ ନିୟନ୍ତ୍ରଣାଧୀନ ସ୍ଥିତିରେ ରହିଛି । ସଠିକ ସମୟରେ ଲକଡାଉନ ଏବଂ ଅନ୍ୟ ନିଷ୍ପତ୍ତି ଫଳରେ ଭାରତରେ ଲକ୍ଷାଧିକ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିଛି । କିନ୍ତୁ ଆମେ ଏହା ମଧ୍ୟ ଦେଖୁଛୁ ଯେ ଯେତେବେଳେ ଦେଶରେ ଅନଲକ-୧ କାର୍ଯ୍ୟକାରୀ ହେଲା, ବ୍ୟକ୍ତିଗତ ଓ ସାମାଜିକ ଜୀବନରେ ଅବହେଳା ମଧ୍ୟ ବଢ଼ିଚାଲିଲା । ପୂର୍ବରୁ ଆମେ ମାସ୍କକୁ ନେଇ, ଦୁଇ ଗଜ ଦୂରତାକୁ ନେଇ, ୨୦ ସେକେଣ୍ଡ ପର୍ଯ୍ୟନ୍ତ ଦିନରେ ଅନେକ ଥର ହାତ ଧୋଇବାକୁ ନେଇ ବହୁତ ସତର୍କ ଥିଲୁ । କିନ୍ତୁ ଆଜି, ଯେତେବେଳେ ଅଧିକ ସତର୍କତାର ଆବଶ୍ୟକତା ରହିଛି, ତ’ ଅବହେଳା କରିବା, ଚିନ୍ତାର କାରଣ ପାଲଟିଯାଇଛି । ଲକଡାଉନ ସମୟରେ ଅତ୍ୟନ୍ତ ଗମ୍ଭୀରତା ସହିତ ନିୟମ ପାଳନ କରାଗଲା । ଏବେ ସରକାରଙ୍କୁ, ସ୍ଥାନୀୟ ପ୍ରଶାସନିକ ସଂସ୍ଥାଗୁଡ଼ିକୁ, ଦେଶର ନାଗରିକମାନଙ୍କୁ, ପୁଣିଥରେ ସେପରି ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ଦେଖାଦେଇଛି । ବିଶେଷ କରି କଣ୍ଟେନମେଣ୍ଟ ଜୋନଗୁଡ଼ିକ ପ୍ରତି ଅଧିକ ଧ୍ୟାନ ଦେବାକୁ ହେବ । ଯେଉଁ ଲୋକମାନେ ନିୟମ ପାଳନ କରୁନାହାନ୍ତି, ଆମକୁ ସେମାନଙ୍କୁ ଅଟକାଇବାକୁ ପଡ଼ିବ ଏବଂ ସଚେତନ କରିବାକୁ ପଡ଼ିବ । ଏବେ ଆପଣମାନେ ଖବରରେ ଦେଖିଥିବେ, ଗୋଟିଏ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ଏଥିପାଇଁ ୧୩ ହଜାର ଟଙ୍କାର ଜୋରିମାନା ଲାଗୁ ହେଲା, କାରଣ ସେ ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧି ବୁଲୁଥିଲେ । ଭାରତରେ ମଧ୍ୟ ସ୍ଥାନୀୟ ପ୍ରଶାସନକୁ ଏହି ସ୍ଫୃର୍ତ୍ତିର ସହିତ କାମ କରିବାର ଆବଶ୍ୟକତା ରହିଛି । ଏହା ୧୩୦ କୋଟି ଦେଶବାସୀଙ୍କ ଜୀବନ ରକ୍ଷା କରିବାର ଅଭିଯାନ । ଭାରତରେ ଗ୍ରାମ ପ୍ରଧାନ ହୁଅନ୍ତୁ ବା ଦେଶର ପ୍ରଧାନମନ୍ତ୍ରୀ, କେହି ବି ନିୟମ ଠାରୁ ଊର୍ଦ୍ଧ୍ବରେ ନୁହନ୍ତି । ଲକଡାଉନ ସମୟରେ ଦେଶର ସର୍ବୋଚ୍ଚ ପ୍ରାଥମିକତା ଥିଲା ଯେ, ଏଭଳି ସ୍ଥିତି ସୃଷ୍ଟି ନହେଉ ଯାହାଦ୍ୱାରା ଦେଶର କୌଣସି ଗରିବ ଘରେ ଚୁଲି ନଜଳୁ । କେନ୍ଦ୍ର ସରକାର ହୁଅନ୍ତୁ, ରାଜ୍ୟ ସରକାର, ନାଗରିକ ସମାଜର ଲୋକମାନେ ହୁଅନ୍ତୁ, ସମସ୍ତେ ସମ୍ପୂର୍ଣ୍ଣ ପ୍ରୟାସ କଲେ ଯେ ଏତେ ବଡ଼ ଦେଶରେ ଆମର କୌଣସି ଗରିବ ଭାଇ-ଭଉଣୀ ଯେମିତି ଭୋକିଲା ନରୁହନ୍ତୁ । ଦେଶ ହେଉ ଅବା ବ୍ୟକ୍ତି, ସଠିକ ସମୟରେ ନିଷ୍ପତ୍ତି ନେବା, ସମ୍ବେଦନଶୀଳତାର ସହ ନିଷ୍ପତି ନେବା ଦ୍ୱାରା, ଯେକୌଣସି ସଂକଟର ମୁକାବିଲା କରିବାର ଶକ୍ତି ବଢ଼ିଯାଇଥାଏ । ସେଥିପାଇଁ, ଲକଡାଉନ ଜାରି ହେବା କ୍ଷଣି ସରକାର, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଆଣିଲେ । ଏହି ଯୋଜନା ଅନ୍ତର୍ଗତ ଗରିବଙ୍କ ପାଇଁ ୧.୭୫ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଯୋଗାଇ ଦିଆଗଲା । ଗତ ତିନି ମାସ ମଧ୍ୟରେ ୨୦ କୋଟି ଗରିବ ପରିବାରର ଜନଧନ ଖାତାରେ ସିଧାସଳଖ ୩୧ ହଜାର କୋଟି ଟଙ୍କା ଜମା କରାଯାଇଛି । ଏଥିସହିତ, ଗାଁରେ ଶ୍ରମିକମାନଙ୍କୁ ରୋଜଗାର ଦେବା ଲାଗି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଦ୍ରୁତ ଗତିରେ ଆରମ୍ଭ କରାଯାଇଛି । ଏହା ଉପରେ ସରକାର ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ୯ କୋଟି କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ 18 ହଜାର କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ଆଉ ଗୋଟିଏ ବଡ଼ କଥା ଯାହା ସାରା ବିଶ୍ୱକୁ ମଧ୍ୟ ଚକିତ କରିଦେଇଛି, ଆଶ୍ଚର୍ଯ୍ୟରେ ବୁଡ଼ାଇ ଦେଇଛି । ତାହା ହେଉଛି କରୋନାର ମୁକାବିଲା କରି ଭାରତରେ 80 କୋଟିରୁ ଅଧିକ ଲୋକମାନଙ୍କୁ ୩ ମାସର ରାସନ, ଅର୍ଥାତ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ୫ କିଗ୍ରା ଗହମ କିମ୍ବା ଚାଉଳ ମାଗଣା ଦିଆଯାଇଛି । ଏହାବ୍ୟତୀତ ପ୍ରତି ପରିବାର ପ୍ରତ୍ୟେକ ମାସ ଏକ କିଗ୍ରା ଡାଲି ମଧ୍ୟ ମାଗଣାରେ ପାଇଛି । ଅର୍ଥାତ ଏକପ୍ରକାରରେ ଦେଖିଲେ ତ’ ଆମେରିକାର ମୋଟ ଜନସଂଖ୍ୟା ଠାରୁ ଅଢ଼େଇ ଗୁଣ ଅଧିକ ଲୋକଙ୍କୁ, ବ୍ରିଟେନର ମୋଟ ଜନସଂଖ୍ୟାର ୧୨ ଗୁଣା ଅଧିକ ଲୋକମାନଙ୍କୁ ଏବଂ ୟୁରୋପୀୟ ସଂଘର ଜନସଂଖ୍ୟା ଠାରୁ ପାଖାପାଖି ଦୁଇ ଗୁଣାରୁ ଅଧିକ ଲୋକଙ୍କୁ ଆମ ସରକାର ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦେଇଛନ୍ତି । ଆଜି ମୁଁ ଏହା ସହିତ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବାକୁ ଯାଉଛି । ଆମ ଦେଶରେ ବର୍ଷା ଋତୁ ସମୟରେ ଏବଂ ଏହା ପରେ ମୁଖ୍ୟତଃ କୃଷି କ୍ଷେତ୍ରରେ ଅଧିକ କାମ ହୋଇଥାଏ । ଅନ୍ୟ କ୍ଷେତ୍ରଗୁଡ଼ିକରେ କିଛିଟା ମାନ୍ଦାବସ୍ଥା ରହିଥାଏ । ଜୁଲାଇ ମାସ ପରଠାରୁ ଧୀରେ ଧୀରେ ପର୍ବପର୍ବାଣୀର ପରିବେଶ ଆସିଥାଏ । ଏବେ ୫ ଜୁଲାଇରେ ଗୁରୁ ପୂର୍ଣ୍ଣିମା ପଡ଼ିବ, ଏହାପରେ ଶ୍ରାବଣ ମାସ ଆରମ୍ଭ ହେବ । ଏହାପରେ ୧୫ ଅଗଷ୍ଟ ଆସିବ, ରାକ୍ଷୀ ପୂର୍ଣ୍ଣିମା ପଡ଼ିବ, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଆସିବ, ଗଣେଶ ଚତୁର୍ଥୀ ଆସିବ, ଓଣମ ପାଳିତ ହେବ । ଆହୁରି ଆଗକୁ ଯିବା ତଥା କାଟୀ ବିହୁ ପଡ଼ିବ, ନବରାତ୍ରୀ, ଦୁର୍ଗାପୂଜା, ଦଶହରା, ଦୀପାବଳୀ, ଛଠୀ ମା’ଙ୍କ ପୂଜା ପଡ଼ିବ । ପର୍ବପର୍ବାଣୀର ଏହି ସମୟରେ ଆବଶ୍ୟକତା ମଧ୍ୟ ବଢ଼ାଇଥାଏ, ଖର୍ଚ୍ଚ ବି ବଢ଼ାଇଥାଏ । ଏ ସବୁ କଥାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମ୍ପ୍ରସାରଣ ଏବେ ଦୀପାବଳି ଓ ଛଟ ପୂଜା ପର୍ଯ୍ୟନ୍ତ, ଅର୍ଥାତ ନଭେମ୍ବର ମାସ ଶେଷ ପର୍ଯ୍ୟନ୍ତ କରିଦିଆଯିବ । ଅର୍ଥାତ ୮୦ କୋଟି ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ପ୍ରଦାନ କରୁଥିବା ଏହି ଯୋଜନା, ଏବେ ଜୁଲାଇ-ଅଗଷ୍ଟ-ସେପ୍ଟେମ୍ବର-ଅକ୍ଟୋବର-ନଭେମ୍ବର ପର୍ଯ୍ୟନ୍ତ ମଧ୍ୟ ଲାଗୁ ହେବ । ସରକାରଙ୍କ ଦ୍ୱାରା ଏହି ୫ ମାସ ପାଇଁ, ୮୦ କୋଟିରୁ ଅଧିକ ଗରିବ ଭାଇ-ଭଉଣୀଙ୍କୁ ପ୍ରତ୍ୟେକ ମାସ, ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ, ୮୦କୋଟିରୁ ଅଧିକ ଗରିବ ଭାଇ-ଭଉଣୀମାନଙ୍କୁ ପ୍ରତ୍ୟେକ ମାସରେ, ପରିବାର ପ୍ରତ୍ୟେକ ସଦସ୍ୟଙ୍କୁ ୫ କିଗ୍ରା ଗହମ କିମ୍ବା ଚାଉଳ ମାଗଣାରେ ଯୋଗାଇ ଦିଆଯିବ । ଏଥିସହିତ ପ୍ରତ୍ୟେକ ପରିବାରକୁ ପ୍ରତ୍ୟେକ ମାସରେ ଏକ କିଗ୍ରା ଚଣା ଡାଲି ମଧ୍ୟ ମାଗଣାରେ ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଏହି ସମ୍ପ୍ରସାରଣ ଫଳରେ ୯୦ ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ । ଯଦି ଏଥିରେ ଗତ ତିନିମାସର ଖର୍ଚ୍ଚ ମଧ୍ୟ ଯୋଡ଼ି ଦେବା ତ’ ଏହା ପାଖାପାଖି ଦେଢ଼ ଲକ୍ଷ କୋଟି ଟଙ୍କା ହୋଇଯିବ । ଏବେ ସାରା ଭାରତ ପାଇଁ ଆମେ ଏକ ସ୍ୱପ୍ନ ଦେଖିଛୁ, ଅନେକ ରାଜ୍ୟ ତ’ ବହୁତ ଭଲ କାମ ମଧ୍ୟ କରିଛନ୍ତି । ବାକି ରାଜ୍ୟଗୁଡ଼ିକୁ ମଧ୍ୟ ଆମେ ଅନୁରୋଧ କରୁଛୁ ଯେ ଏହି କାମକୁ ଆଗେଇ ନେବା, କାମ କ’ଣ ? ଏବେ ସାରା ଭାରତ ପାଇଁ ଏକ ରାସନ କାର୍ଡ ବ୍ୟବସ୍ଥା ମଧ୍ୟ ହେଉଛି ଅର୍ଥାତ ‘ଏକ ରାଷ୍ଟ, ଏକ ରାସନ କାର୍ଡ’ ୱାନ ନେସନ ୱାନ ରାସନ କାର୍ଡ । ଏହାର ସବୁଠୁ ବଡ଼ ଲାଭ ସେହି ଗରିବ ସାଥୀମାନଙ୍କୁ ମିଳିବ, ଯେଉଁମାନେ ରୋଜଗାର କିମ୍ବା ଅନ୍ୟ ଆବଶ୍ୟକତା ପାଇଁ ନିଜ ଗାଁ ଛାଡ଼ି ଅନ୍ୟ କେଉଁ ସ୍ଥାନ, ଅନ୍ୟ କୌଣସି ରାଜ୍ୟକୁ ଯାଉଛନ୍ତି, ଆଜି ଗରିବ ମାନଙ୍କୁ, ବଞ୍ଚିତମାନଙ୍କୁ ସରକାର ଯଦି ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦେଇପାରୁଛି ତ’ ଏହାର ଶ୍ରେୟ ଦୁଇଟି ବର୍ଗକୁ ଯିବ । ପ୍ରଥମ ଆମ ଦେଶର ପରିଶ୍ରମୀ କୃଷକ, ଆମର ଅନ୍ନଦାତା । ଦ୍ୱିତୀୟ- ଆମ ଦେଶର ସଚ୍ଚୋଟ ଟିକସଦାତା । ଆପଣମାନଙ୍କର ପରିଶ୍ରମ, ଆପଣମାନଙ୍କର ସମର୍ପଣ, କାରଣରୁ ହିଁ ଦେଶ ଏହି ସହାୟତା କରିପାରୁଛି । ଆପଣମାନେ ଦେଶର ଅନ୍ନଭଣ୍ଡାରକୁ ଭରିଛନ୍ତି, ସେଥିପାଇଁ ଆଜି ଗରିବମାନଙ୍କର, ଶ୍ରମିକମାନଙ୍କର ଚୁଲି ଜଳୁଛି। ଆପଣମାନେ ସଚ୍ଚୋଟତାର ସହିତ ଟିକସ ଭରୁଛନ୍ତି, ଆପଣମାନଙ୍କ ଦାୟିତ୍ୱ ନିର୍ବାହ କରୁଛନ୍ତି, ସେଥିପାଇଁ ଆଜି ଦେଶର ଗରିବ, ଏତେ ବଡ଼ ସଙ୍କଟର ମୁକାବିଲା କରିପାରୁଛି । ମୁଁ ଆଜି ପ୍ରତ୍ୟେକ ଗରିବଙ୍କ ସହିତ, ଦେଶର ପ୍ରତ୍ୟେକ କୃଷକ, ପ୍ରତ୍ୟେକ ଟିକସଦାତାମାନଙ୍କୁ ହୃଦୟରୁ ବହୁତ ବହୁତ ଅଭିନନ୍ଦନ ଜ୍ଞାପନ କରୁଛି, ସେମାନଙ୍କୁ ପ୍ରଣାମ କରୁଛି । ଆଗାମୀ ଦିନରେ ଆମେ ଆମ ପ୍ରୟାସକୁ ଆହୁରି ଦ୍ରୁତ କରିବା । ଆମେ ଗରିବ, ପୀଡ଼ିତ, ଶୋଷିତ-ବଞ୍ଚିତ ପ୍ରତ୍ୟେକ ବର୍ଗକୁ ସଶକ୍ତ କରିବା ଲାଗି ନିରନ୍ତର କାମ କରିବା । ଆମେ ସମସ୍ତ ସତର୍କତା ଅବଲମ୍ବନ କରି ଅର୍ଥନୈତିକ କାର୍ଯ୍ୟକଳାପକୁ ଆହୁରି ଆଗେଇ ନେବା । ଆମେ ଆତ୍ମନିର୍ଭର ଭାରତ ପାଇଁ ଦିନରାତି ଏକ କରିଦେବା । ଆମେ ସମସ୍ତେ ଲୋକାଲ ପାଇଁ ଭୋକାଲ ହେବା । ଏହି ସଂକଳ୍ପ ସହିତ ଆମେ ୧୩୦ କୋଟି ଦେଶବାସୀ ମିଳିମିଶି, ସଂକଳ୍ପର ସହିତ କାମ ମଧ୍ୟ କରିବା, ଆଗକୁ ମଧ୍ୟ ବଢ଼ିବା । ପୁଣିଥରେ ମୁଁ ଆପଣ ସମସ୍ତଙ୍କୁ ପ୍ରାର୍ଥନା କରୁଛି, ଆପଣମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରୁଛି, ଆପଣମାନଙ୍କୁ ଅନୁରୋଧ କରୁଛି, ଆପଣମାନେ ସମସ୍ତେ ସୁସ୍ଥ ରୁହନ୍ତୁ, ଦୁଇ ଗଜ ଦୂରତାର ପାଳନ କରନ୍ତୁ, ଗାମୁଛା, ଫେସ କଭର ମାସ୍କ ଏସବୁ ସବୁବେଳେ ଉପଯୋଗ କରନ୍ତୁ, କୌଣସି ଅବହେଳା କରନ୍ତୁ ନାହିଁ ।