ବ୍ୟବସାୟୀ ସଙ୍ଘ – ପୌରପାଳିକା ମୁହାଁମୁହିଁ, ଆସନ୍ତା ୫ ରେ ଆନ୍ଦୋଳନ କରିବ ମାର୍ଚ୍ଚେଂଟ ଏସୋସିଏସନ
ହିଂଜିଳିକାଟୁ (ଶେଷଦେବ ସାହୁ): ପୌରପରିଷଦ ଓ ମାର୍ଚ୍ଚେଂଟ ଏସୋସିଏସନ ମଧ୍ୟରେ ଲାଗି ରହିଥିବା ବିବାଦ ଏବେ ପୁଣି ଭେଣ୍ଡିଂ ଜୋନକୁ ନେଇ ଆରମ୍ଭ ହୋଇଛି ଶୀତଳଯୁଦ୍ଧ । ହିଂଜିଳିକାଟୁ ପୌରାଂଚଳ ପରିବା ବଜାର ନିକଟରେ ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଭେଣ୍ଡିଂଜୋନ କାମ ଜୁଲାଇ ପହିଲାରୁ ଆରମ୍ଭ ହୋଇଛି । ତେବେ ଉକ୍ତ ଭେଣ୍ଡିଂ ଜୋନ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ହିଂଜିଳିକାଟୁ ମାର୍ଚ୍ଚେଂଟ ଏସୋସିଏସନ ପକ୍ଷରୁ ଦାବି କରାଯାଇଛି । ହିଂଜିଳିକାଟୁ ପୌରପରିଷଦ ପକ୍ଷରୁ ସ୍ଥାନୀୟ ଅଂଚଳର ବ୍ୟବସ୍ଥାୟୀ ମାନଙ୍କୁ ହାଟପଦା ଠାରେ ଥାଇଥାନ କରିବା ନିମନ୍ତେ ପୂର୍ବରୁ ବହୁବାର ଲିଖିତ ପ୍ରତିଶୃତି ଦେଇଥିଲେ ମଧ୍ୟ ତାହାକୁ ପୌର ପ୍ରଶାସନଳ ପାଳନ କରିନାହିଁ । ପୌରପରିଷଦର ପତ୍ର ସଂଖ୍ୟା – ୧୩୧୬/୨୦୧୫ ତାରିଖ ୨୪.୦୩.୨୦୧୫ ପ୍ରକାରେ ଏକମାସ ମଧ୍ୟରେ ମାର୍କେଟ କମ୍ପେ୍ଳକ୍ସ ଓ ଭେଣ୍ଡିଂଜୋନ ନିର୍ମାଣ କରାଯାଇ ବ୍ୟବସାୟୀ ମାନଙ୍କୁ ୂଥାଇଥାନ କରାଯିବ ଏବଂ ପ୍ରସ୍ତାବିତ ମାର୍କେଟ କମ୍ପେ୍ଳକ୍ସର ନକ୍ସା ଉଭୟ ପକ୍ଷର ସହମତିରେ ହେବ ବୋଲି ସ୍ଥାନୀୟ ପୌର ପ୍ରଶାସନ ଲିଖିତ ପ୍ରତିଶୃତି ଦେଇଥିଲା । ପୌର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରତିଶୃତିର ଦୀର୍ଘ ୩ ବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟକ୍ରମ ପୌର ପରିଷଦ ହାତକୁ ନେଇନଥିଲା । ଗତ ୧୮.୧୨.୨୦୧୭ ତାରିଖରେ ଦାବି ହାସଲ ସକାଶେ ମାର୍ଚ୍ଚେଂଟ ଏସୋସିଏସନ ପକ୍ଷରୁ, ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ସେହି ସମୟରେ ମଧ୍ୟ ମାର୍କେଟ କମ୍ପେ୍ଳକ୍ସ ନିର୍ମାଣ ହେବ ବୋଲି ପୌରପରିଷଦ ପ୍ରତିଶୃତି ପ୍ରଦାନ କରିଥିଲା । ସେତେବେଳେ ଓଡିଶା ଉଚ୍ଚ ନ୍ୟାୟଳୟର ନିର୍ଦ୍ଦେଶକୁ ପାଳନ କରାଯିବ ସହିତ ବ୍ୟବସାୟୀ ମାନଙ୍କୁ ଥାଇଥାନ କରାଯିବ ବୋଲି ସ୍ଥିର କରାଯାଇଥିଲା । କିନ୍ତୁ ପୌରପରିଷଦ ପକ୍ଷରୁ ମାର୍କେଟ କମ୍ପେ୍ଳକ୍ସ କାର୍ଯ୍ୟ ନିର୍ମାଣ କରାନଯାଇ ଭେଣ୍ଡିଂଜୋନ କାର୍ଯ୍ୟ ଆରମ୍ଭ କରାଯାଇଛି । ଭେଣ୍ଡିଂଜୋନ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ମାର୍ଚ୍ଚେଂଟ ଏସୋସିଏସନ ସହ ପୌରପରିଷଦ ଆଲୋଚନା କରି ନାହିଁ ବୋଲି ସଙ୍ଗ ଅଭିଯୋଗ କରିଛି ।
ପୌରପରିଷଦ, ସଙ୍ଘକୁ ଅନ୍ଧାରରେ ରଖି ଉକ୍ତ ଭେଣ୍ଡିଂଜୋନରେ ମାର୍ଚ୍ଚେଂଟ ଏସୋସିଏସନର ସଭ୍ୟ ନଥିବା ଏବଂ ଅନ୍ୟ ବ୍ୟବସାୟୀଙ୍କୁ ଥାଇଥାନ କରିବା ନିମନ୍ତେ ପୌରପରିଷଦ ଚକ୍ରାନ୍ତ ଚଲାଇଛି ବୋଲି ସଙ୍ଘ ପକ୍ଷରୁ ସଙ୍ଗୀନଅଭିଯୋଗ କରାଯାଇଛି । ଭେଣ୍ଡିଂଜୋନରେ କେଉଁ ବ୍ୟବସାୟୀ ମାନଙ୍କୁ ଥାଇଥାନକରାଯିବ ସେ ସର୍ମ୍ପକରେ ପୌରପରିଷଦ, ମାର୍ଚ୍ଚେଂଟ ଏସୋସିଏସନ ସହ ଚୁକ୍ତିନାମା କରିବା ସହିତ କେତେଦିନ ମଧ୍ୟରେ ଉକ୍ତ ସ୍ଥାନ ବ୍ୟବସାୟୀଙ୍କୁ ପ୍ରଦାନ କରାଯିବତାହା ମଧ୍ୟ ଏକ ସପ୍ତାହ ମଧ୍ୟରେ ମାର୍ଚ୍ଚେଂଟ ଏସୋସିଏସନ ସହ ଆଲୋଚନା କରି ନିଷ୍ପତି ନେବାକୁ ସଙ୍ଘ ଦାବି କରିଛି । ଏହା ନହେଲେ ଆସନ୍ତା ଅଗଷ୍ଟ ୫ ତାରିଖ ଦିନ ସକାଳ ୧୦ ଯାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ସଙ୍ଘ ପକ୍ଷରୁ ସ୍ଥାନୀୟ ପୌର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ମାର୍ଚ୍ଚେଂଟ ଏସୋସିଏସନର ସଭାପତି ଶମ୍ଭୁ ପାଣିଗ୍ରାହୀ ପତ୍ର ମାଧ୍ୟମରେ ପୌର ପରିଷଦର କାର୍ଯ୍ୟନିର୍ବାହ÷ୀ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି । ଉକ୍ତ ପତ୍ରର ଏକାକିତା ନକଲ ଗଂଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ମଧ୍ୟ ପ୍ରେରଣ କରାଯାଇଛି । ଏ ନେଇ ହିଂଜିଳିକାଟୁ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶେଶକ କୁମାର ପଣ୍ଡାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ମାର୍ଚ୍ଚେଂଟ ଏସୋସିଏସନ ପକ୍ଷରୁ କୌଣସି ଦାବି ପତ୍ର ତାଙ୍କରି ହସ୍ତଗତ ହୋଇନାହିଁ । ପତ୍ର ପାଇବା ପରେ ଘଟଣା ନେଇ ସେ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି । ତେବେ ଆଗାମୀ ଦିନରେ ସ୍ଥାନୀୟ ମାର୍ଚ୍ଚେଂଟ ଏସୋସିଏସନ ଓ ପୌର ପ୍ରଶାସନ ମୁହାଁମୁହିଁ ହେବା ପରିସ୍ଥିତିକୁ ଏଡ଼ାଇ ଦେଇ ହେବନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି ।